ପାଟକୁରା ,୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ ତମ ଶ୍ରାଦେ୍ଧାତ୍ସବ ମଙ୍ଗଳବାର ପୂର୍ବାହ୍ନରେ ଗରଦପୁର ବ୍ଲକ ଅନ୍ତର୍ଗତ ହରିଦାସପୁର ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚିତରଞ୍ଜନ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରାଦେ୍ଧାତ୍ସବରେ ବିଶିଷ୍ଟ ସମାଜିକ କର୍ମୀ ତଥା ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଭଗବାନ ଜେନା ଯୋଗ ଦେଇ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ ଜଣେ ମହାନ୍ ଦେଶ ଭକ୍ତ, ସ୍ୱାଧିନତା ସଂଗ୍ରାମୀ ଏବଂ ସେବା ଓ ତ୍ୟାଗର ଜଣେ ଶ୍ରେଷ୍ଠ ପୁରୋଧା ଥିଲେ ବୋଲି ଆଲୋଚନା କରିଥିଲେ । ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବାଲ୍ୟ ଜିବନୀ ସମ୍ପର୍କରେ କେତେକ ଦୃଷ୍ଟାନ୍ତ ମୂଳକ ଆଲୋଚନା କରିଥିବା ବେଳେ, ରାଜ୍ୟରେ ତତକାଳିନ ବନ୍ୟା ପରିସ୍ଥିତି ସମୟରେ ଚୂଡା,ଚାଉଳ ଆଦି ସଂଗ୍ରହ କରି ଦୁଃସ୍ଥ,ଅସହାୟ ଲୋକମାନଙ୍କ ନିକଟରେ ପହଂଚୁଥିବା ସମ୍ପର୍କରେ କହିଥିଲେ । ଯାହାକି ଆଜି ପର୍ଯ୍ୟନ୍ତ ମଧ୍ୟ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମାନସପୁତ୍ର ଭାବରେ ପ୍ରତିଷ୍ଠା କରିଥିବା ଦୈନିକ ‘ସମାଜ’ଅନୁଷ୍ଠାନ ପକ୍ଷରୁ ତାହା କରାଯାଇ ଆସୁଅଛି । ପରାଧିନ ଥିବା ଓଡିଶାର ଲୋକମାନଙ୍କ ଦୁଃଖ,କଷ୍ଟକୁ ସେ ମାର୍ମିକ ଭାବରେ ଅନୁଭବ କରି ବିଭିନ୍ନ ସମୟରେ ଲେଖନି ଚାଳନା କରିଥିବା ବିଭିନ୍ନ ରଚନାବଳୀ ସମ୍ପର୍କରେ ଶ୍ରୀ ଜେନା ଆଲୋଚନା କରିଥିଲେ । ପାଟକୁରା ‘ସମାଜ ପ୍ରତିନିଧି’ଯଶୋବନ୍ତ ପାତ୍ର ଶ୍ରାଦେ୍ଧାତ୍ସବ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେବା ସହିତ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ‘ଦୈନିକ ‘ସମାଜ’ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ ମହାପାତ୍ର ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଜଣେ ମହାନ ରାଷ୍ଟ୍ର ଭକ୍ତ ବୋଲି ବର୍ଣ୍ଣନା କରିଥିଲେ । ବିଦ୍ୟାଳୟର ଗୁରୁମା ଏମ୍.ବି.ଶୈଳଜା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ,ଗୁରୁମା ଅନୂପମା ନାୟକ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋପାମୁଦ୍ରା ସାହୁ, ସଂଘମିତ୍ରା ଦାସ, ପ୍ରତିଭା ପରିଡା, ସ୍ମିତା ମହାପାତ୍ର, ନିବେଦିତା ଦାସ,ସୁବାଷ ଚନ୍ଦ୍ର ସାହୁ ଓ ହୃଷିକେଷ ମହାନ୍ତି ପ୍ରମୁଖ ଗୁରୁଜୀ/ଗୁାରୁମା ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମ୍ପର୍କରେ କୁଇଜ୍ କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମ ପରେ ସମସ୍ତ ବିଦ୍ୟାର୍ଥୀମାନଙ୍କୁ ମୂଖ୍ୟ ଅତଥି ଶ୍ରୀ ଜେନା ବିସ୍କୁଟ୍ ବଣ୍ଟନ କରିଥିଲେ । ଓଡ଼ିଶା ସମାଚାର