ଭୁବନେଶ୍ୱର, ୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ବରେଣ୍ୟ ଜନନାୟକ, ଦୈନିକ ‘ସମାଜ’ର ପ୍ରତିଷ୍ଠାତା, ପ୍ରଖ୍ୟାତ୍ ସ୍ୱାଧୀନତା ସଂଗ୍ରାମୀ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସେନାପତି, ଦରଦୀ ଜନନେତା ଉତକଳମଣି ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧଦିବସ ଉପଲକ୍ଷେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମଙ୍ଗଳବାର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପାର୍ଟିର ରାଜ୍ୟସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ସ୍ଥାନୀୟ ଗୋପବନ୍ଧୁ ଛକସ୍ଥିତ ଉତକଳମଣି ଙ୍କ ପ୍ରତିମୂର୍ତିରେ ସକାଳୁ ମାଲ୍ୟାର୍ପଣ କରିଥିଲେ । ଲଗାଣ ବର୍ଷାରେ ଛୁଆପିଲା ଧରି ଗୋଟିଏ ପଲିଥିନ୍ ତଳେ କଲବଲ ହେଉଥିବା ଲୋକମାନଙ୍କ ଦୁର୍ଦ୍ଦଶା ଦେଖିଲେ ଜନଦରଦୀ ଗୋପବନ୍ଧୁଙ୍କ କଥା ମନେପଡ଼େ ବୋଲି ସଭାପତି ଶ୍ରୀ ବେହେରା ଉପସ୍ଥିତ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ଯୁବନେତା ଦୀପଦାସ ଯାଦବ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର