କଟକ, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ଚୋରାରେ ଆଉଟା ସୁନା କିଣିବା ପରେ ତାହାକୁ ଅଳଙ୍କାର ତିଆରି କରି ବିଭିନ୍ନ ସ୍ଥାନରେ ବିକ୍ରି କରି ଆସୁଥିବା ଦୁଇ ବଙ୍ଗୀୟ ବ୍ୟବସାୟୀଙ୍କୁ ବାଦାମବାଡ଼ି ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କଠାରୁ ନଗଦ ୮୧ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିବା ଥାନାଧିକାରୀ ହିମାଂଶୁ ଶେଖର ସ୍ୱାଇଁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ପଶ୍ଚିମବଙ୍ଗ ମେଦିନାପୁର ଅଂଚଳର ଅନୁପମ ମାଝି(୨୬) ଓ ମନୋରଞ୍ଜନ ମାଝି(୩୬) । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରାଯାଇଛି । ପୁଲିସ ସୂଚନା ଅନୁସାରେ, ବାଦାମବାଡି ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବାଦାମବାଡି ଛକରେ ଥିବା ଆକ୍ସିସ ବ୍ୟାଙ୍କ ନିକଟରେ ଦୁଇ ବଙ୍ଗୀୟ ଯୁବକ ବଡ଼ବଡ଼ ବ୍ୟାଗ ଧରି ସନ୍ଦେହଜନ ଭାବେ ବୁଲୁଥିଲେ । ପୁଲିସ ସେମାନଙ୍କୁ ଯାଂଚ କରିବା ସମୟରେ ତାଙ୍କ ବ୍ୟାଗରୁ ନଗଦ ୮୧ ଲକ୍ଷ ୫୦ ହଜାର ଟଙ୍କା ମିଳିଥିଲା । ଏତେ ଟଙ୍କା ସେମାନେ କେଉଁଠୁ ଆଣିଥିଲେ ତାହାର ଯାଂଚ ଆରମ୍ଭ କରିଥିଲା ପୋଲିସ୍ । ପଚରାଉଚରା ସମୟରେ ଗିରଫ ଅଭିଯୁକ୍ତଦ୍ୱୟ ସୁନା ବ୍ୟବସାୟ କରୁଥିବା ସ୍ୱୀକାର କରିଥିଲେ । ପରେ ଉଭୟ ବ୍ୟବସାୟୀ ଜବତ ଟଙ୍କା ସଂକ୍ରାନ୍ତରେ ଆବଶ୍ୟକ ଦସ୍ତାବିଜ ଦେଖାଇ ପାରି ନଥିବାରୁ ଘଟଣାର ଅଧିକ ଖୋଳତାଡ଼ ପାଇଁ ପୁଲିସ ଆୟକର ବିଭାଗର ସହାୟତା ନେଇଥିଲେ । ବିଭାଗୀୟ ଅଧିକାରୀମାନେ ଥାନାରେ ପହଂଚି ଦୀର୍ଘସମୟ ଧରି ସେମାନଙ୍କୁ ପଚରାଉଚୁରା କରିଥିଲେ । ଗିରଫ ଅଭିଯୁକ୍ତଦ୍ୱୟ ଦରଘାବଜାର ଅଂଚଳରେ ରହି ଚୋରାରେ ସୁନା ବ୍ୟବସାୟ କରୁଥିଲେ । ସେମାନେ ସୁନା ବ୍ୟବସାୟ କରି ଟଙ୍କା ସଂଗ୍ରହ କରିଥିବା ପୁଲିସକୁ ସୂଚନା ଦେଇଥିଲେ । ଏ ସଂପର୍କରେ ବାଦମବାଡ଼ି ଥାନାରେ ଏକ ମାମଲା ରୁଜୁ କରାଯାଇଛି । ସମ୍ପୃକ୍ତ ଦୁଇ ଚୋରା ସୁନା ବ୍ୟବସାୟୀ କଟକ ଦରଘା ବଜାର ଉକ୍ରଳିକା ଗଳିରେ ଘରଭଡ଼ା ନେଇ ରହି କଟକ ସହର, ସାଲେପୁର, ଆଠଗଡ଼, ବାଙ୍କି, ବିଲହାଟ, ନିଶ୍ଚିନ୍ତକୋଇଲି, କେନ୍ଦ୍ରାପଡ଼ା,ତିର୍ତୋଲ ଆଦି ସହରରେ ଥିବା ସୁନା ଗହଣା ଦୋକାନକୁ ଚୋରା ସୁନା ଗହଣା କମ ଦାମରେ ଯୋଗାଉଥିଲେ । ଉପରୋକ୍ତ ସହର ମାନଙ୍କରେ ଥିବା ସୁନା ଗହଣା ଦୋକାନ ଉପରେ ଚଢ଼ାଉ କରାଗଲେ ଚୋରା ସୁନା ରାକେଟ ର ପର୍ଦ୍ଦାଫାସ ହୋଇ ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଓଡ଼ିଶା ସମାଚାର
