ଟାଙ୍ଗୀ.୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ଜଗନ୍ନାଥ ଦର୍ଶନ ସଂକୀର୍ତନ ଯାତ୍ରା ଅଧୁରା ରହିଲା । ବିଶ୍ୱ ନିୟନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷ ଯାତ୍ରାରେ ଯୋଗ ଦେବା ପାଇଁ ସଂକୀର୍ତନ ସହ ପଦଯାତ୍ରା ରେ କିଛି ଶ୍ରଦ୍ଧାଳୁ କୋରେଇ (ଧନେଶ୍ୱରରୁ) ରୁ ପୁରୀ ବାହାରିଥିଲେ । ପ୍ରତିବର୍ଷ ପରି ଶ୍ରୀ କ୍ଷେତ୍ର ଅଭିମୁଖେ ଶନିବାର ଉକ୍ତ ସଂକୀର୍ତନ ପଦଯାତ୍ରା ଧନେଶ୍ୱରରୁ ବାହାରିଥିଲା । ଧୋନଶ୍ୱର, ବେଗନା,ପଣ୍ଡୁଳା,କୋରେଇ,ବଟିରା, ତାଜପୁର,ହାଟସାହି, ଧନପୁର,ନରପଦା ଆଦି ଗ୍ରାମରୁ ଶ୍ରଦ୍ଧାଳୁ ମ।।ନେ ସାମିଲ ହୋଇଥିଲେ । ୧୬୫ ଜଣ ଶ୍ରଦ୍ଧାକୁ ଧନେଶ୍ୱର ମନ୍ଦିର ନିକଟରେ ଏକତ୍ରିତ ହୋଇ ଶ୍ରୀକ୍ଷେତ୍ର ଅଭିମୁଖେ ସଂକୀର୍ତନ ପଦଯାତ୍ରା ଆରମ୍ଭ କରିଥିଲେ । ଟାଙ୍ଗୀ ନିକଟରେ ୧୬ ନଂ ଜାତୀୟ ରାଜପଥ ରେ ଏକ ବୋଲେରୋ ଉକ୍ତ ସଂକୀର୍ତନ ପଦଯାତ୍ରୀଙ୍କ ଉପରକୁ ମାଡ଼ିଯାଇଥିଲା । ଫଳରେ ନରପଦା ଗାଁ ର ବିଜୁ ସାମଲ ଓ ଚୈତନ୍ୟ ମଲିକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଦୁର୍ଘଟଣା ପରେ ଅବଶିଷ୍ଟ ୧୬୩ ଜଣ ସଂକୀର୍ତନ ପଦଯାତ୍ରୀ ଆଉ ଶ୍ରୀକ୍ଷେତ୍ର ଅଭିମୁଖେ ନଯାଇ ଘରକୁ ଫେରିଯାଇଛନ୍ତି । ଓଡ଼ିଶା ସମାଚାର