ବିରିଡି, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)-ଜଗତସିଂହପୁର ଜଳସେଚନ ବିଭାଗ ମାଛଗାଁ କେନାଲର ଅଷ୍ଟଶମ୍ଭୁ ମନ୍ଦିର ପାଶ୍ୱର୍ ଓ ବାଲିଆ ନିକଟସ୍ଥ ବନ୍ଧକୁ ବେଆଇନ ଭାବେ ଖୋଳାଯାଇଥିବାରୁ ନାଳରେ ପାଣି ଆସିଲେ ଏହି ସ୍ଥାନରେ ଘାଇ ସୃଷ୍ଟି ହେବାର ଆଶଙ୍କା କରି ବିଲୁଆଖାଇ କେନାଲ ଉପଖଣ୍ଡ ବାଲିଆ ସହକାରୀ ନିର୍ବାହୀ ଯନ୍ତ୍ରୀ ଦଳପତି ମଣ୍ଡଳ ଶନିବାର ବିରିଡ଼ି ଥାନାରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଏତଲା ଦେଇଛନ୍ତି । ବିରିଡ଼ି ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଶିଲ କୁମାର ରାଉତରାୟ ଜଳସମ୍ପଦ ବିଭାଗର ବିନା ଅନୁମତିରେ ଦୁଇଟିଯାକ ସ୍ଥାନରେ ପ୍ରୋକଲିନ ମେସିନ ଲଗାଇ ବନ୍ଧ ଖୋଳିଛନ୍ତି । ବାରମ୍ବାର ଜଳସେଚନ ବିଭାଗ ତରଫରୁ ପତ୍ର ଲେଖି କେନାଲ ବନ୍ଧ ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଥିଲେ ମଧ୍ୟ ଯନ୍ତ୍ରୀ ଶ୍ରୀ ରାଉତରାୟ କୌଣସି ପଦକ୍ଷେପ ନେଇନଥିବାରୁ ଜଳସମ୍ପଦ ବିଭାଗ ପୁଲିସର ସହାୟତା ନେଇଛି । ଉଲ୍ଲେଖଥାଉକି, ଜୁଲାଇ ପହିଲାରେ କେନାଲକୁ ଜଳପ୍ରବାହ କରାଯିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର