ବାଙ୍କୀ, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ବାଙ୍କୀ ବ୍ଲକ ଅଧିନସ୍ଥ ବରପୁଟ ହାଟଠାରେ ଆଜକୁ ୧୦ବର୍ଷ ହେଲା ଏକ ମାର୍କେଟ କମ୍ପେ୍ଲକ୍ସ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି । ବର୍ଷ ବର୍ଷ ଧରି ଅର୍ଦ୍ଧନିର୍ମାଣ ଅବସ୍ଥାରେ ପଡିରହିବା ହେତୁ ଗତଦିନରେ ଯେଉଁ କାମ ହୋଇଥିଲା ତାହା ଏବେ ଭାଙ୍ଗିବା ଆରମ୍ଭ ହେଲାଣି । ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ଯେଉଁ ଅନୁଦାନ ମଞ୍ଜୁର ହୋଇଥିଲା ସେଥିରୁ ୮୦ ପ୍ରତିଶତ ଅର୍ଥ ଉଠାଇ ନିଆଯାଇଥିବା ବେଳେ ଅବଶିଷ୍ଟ ପଡିରହିଛି । ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କିପରି ଶେଷ ହେବ ସେଥ୍ରିତି ଧ୍ୟାନ ଦେବାକୁ କେହି ନାହାନ୍ତି । ଅନୁସନ୍ଧାନରୁ ଜଣାଯାଇଛି ଯେ ବାଙ୍କୀ ବ୍ଲକ ଅଧିନସ୍ଥ ବରପୁଟଠାରେ ସାପ୍ତାହିକ ଦୁଇଦିନ ହାଟ ହୋଇଥାଏ । ଏହି ହଙ୍କଳର ଆଖପାଖ ଅଂଚଳର ପଥୁରୀପଡା, ପଶାଣିଆ, ଅନ୍ଧାରୁଆ, କିଆପଲ୍ଲା, ବ୍ରହ୍ମପୁରା, ନୂଆଗାଁ, ଭେଡା ଦୁର୍ଗାପୁର ଆଦି ଅଂଚଳର ଚାଷୀମାନେ ସେମାନଙ୍କର ଉତ୍ପାଦିତ ପନିରିବାକୁ ବିକ୍ରି କରିବାକୁ ନେଇଥାଆନ୍ତି । ଏହି ପନିପରିବା ସବୁକୁ ସେମାନେ ରାସ୍ତାକଡରେ ରଖି ବିକ୍ରି କରିବା ଫଳରେ ଯାନବାହାନ ଯିବାରେ ଅସୁବିଧା ହୋଇଥାଏ । ଏହାକୁ ସୁଧାରିବା ସହ ଚାଷୀଙ୍କ ନିମନ୍ତେ ସରକାରୀ ଭାବେ ଗତ ୧୦ ବର୍ଷ ତଳେ ଏକ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ କରାଯିବାକୁ ନିଷ୍ପତି ହୋଇ ଏଥିନିମନ୍ତେ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ନିଜେ ବାଙ୍କୀ ବ୍ଲକ କର୍ତୃପକ୍ଷ ପ୍ରକଳ୍ପ ନିର୍ମାଣର ଦାୟିତ୍ୱ ନେଇଥିଲେ । ଇତିମଧ୍ୟରେ ମଞ୍ଜୁର ଅର୍ଥରୁ ୮୦ ଭାଗ ଅର୍ଥ ଖର୍ଚ୍ଚ ସରିଯାଇଛି ବୋଲି କୁହାଯାଉଛି । ପ୍ରକଳ୍ପଟି ସେମିତି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି । ଖରା, ବର୍ଷାରେ ବର୍ଷ ବର୍ଷ ଧରି ପଡିରହିବା ଫଳରେ ଯେତିକି ନିର୍ମାଣ ହୋଇଥିଲା ସେଥିରୁ ଏବେ କେତେକ ଅଂଶ ଭାଙ୍ଗିବା ଅବସ୍ଥାକୁ ଚାଲିଆସିଲାଣି । ଶତାଧିକ ଚାଷୀଙ୍କ ସ୍ୱାର୍ଥ୍ୟରକ୍ଷା ପାଇଁ ସରକାର ଯୋଗାଇ ଦେଇଥିବା ଅର୍ଥ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ନପାରି ପଡିରହିବା ସହ ପ୍ରକଳ୍ପଟି ପୂର୍ଣ୍ଣାଙ୍ଗ ରୂପରେଖ ନପାଇବା ଫଳରେ ଅଂଚଳର ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାର ଏଥିପ୍ରତି ଦୃଷ୍ଟିଦେବାକୁ ସମାଜସେବୀ ଜୟପ୍ରକାଶ ମିଶ୍ରଙ୍କ ସମେତ ମା’ମହାବେରଣା ବ୍ୟବସାୟୀ ସଂଘ ସଭାପତି ନିରଞ୍ଜନ ମିଶ୍ର, ସମ୍ପାଦକ ଗଣେଶ୍ୱର ପୃଷ୍ଟି, କୋଷାଧକ୍ଷ ବେଣୁଧର ପ୍ରଧାନ, ସଭ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ, ବାମନଚରଣ ପାତ୍ର, ରବିନାରାୟଣ ପାଣିଗ୍ରାହୀ, ପ୍ରସନ୍ନ ପଣ୍ଡା ପ୍ରମୁଖ ବିଧାୟକଙ୍କ ମାଧ୍ୟମରେ ପ୍ରଶାସନ ଦୃଷ୍ଟିଦେବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ ବାଙ୍କୀ ବ୍ଲକ ବିଡିଓ ପ୍ରଭାତକୁମାର ସାହୁଙ୍କୁ ପଚାରିବାରେ ସେ କହିଲେ ଯେ ଘଟଣାର ଅନୁସନ୍ଧାନ କରାଯାଇ ଯଥାଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଡ଼ିଶା ସମାଚାର