କେନ୍ଦୁଝର, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)-ବେଆଇନ ଖଣି ଖନନ ଏବଂ ପରିବେଶ ଆଇନକୁ ଉଲ୍ଲଘନ କରିଥିବା ୨୩ଜଣ ଲିଜ୍ଧାରୀଙ୍କ ବିରୁଦ୍ଧରେ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ଓପିଡିଆର୍ ଆକ୍ଟ ୧୯୬୨ ଅନୁସାରେ ସାର୍ଟିଫିକେଟ କେସ୍ର ବିଚାର ଚାଲିଛି । ଖଣି ଜୋରିମାନା ଖିଲାପକାରୀ ଲିଜ୍ଧାରୀମାନଙ୍କୁ କ୍ରମାନ୍ୱୟରେ କୋର୍ଟ ନୋଟିସ ଜାରି କରି ଦଣ୍ଡବିଧାନ ଆରମ୍ଭ ହୋଇଛି । ତେବେ ଗତ ୨୨ତାରିଖରେ ଜିଲ୍ଲାପାଳଙ୍କ କୋର୍ଟ ୬ ଲିଜ୍ଧାରୀଙ୍କ ସମ୍ପତି ଜବତ ପାଇଁ ୱାରେଂଟ ଜାରି କରିବା ପରେ ଜବତ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୨୯ତାରିଖ ଦିନ ପୁଣି ଦୁଇ ଖଣି ଲିଜଧାରୀଙ୍କ ସମ୍ପତି ଜବତ କରି ଜୋରିମାନା ଅର୍ଥ ଭରଣା କରିବାକୁ ଜିଲ୍ଲାପାଳଙ୍କ କୋର୍ଟ ୱାରେଂଟ ଜାରି କରିଛି । ଶନିବାର ଅର୍ଜୁନ ଲୋଧା, ଏମ୍ଆର୍ ଦାସ, ମେସର୍ସ ବିଡି ପଟ୍ଟନାୟକ, ମିନେରାଲ ଟ୍ରେଡିଂ ସିଣ୍ଡିକେଟ, ମେସର୍ସ ଫାକର, ମିଡ୍ଇଷ୍ଟ ଇଂଟିଗ୍ରେଟେଡ ଷ୍ଟିଲର ଦୁଇ ଖଣି ଲିଜଧାରୀଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ ହୋଇଥିଲା । ଏମାନଙ୍କ ମଧ୍ୟରୁ ଜଣେ ଲିଜ୍ଧାରୀ ଅନୁପସ୍ଥିତ ଥିବାବେଳେ ଅନ୍ୟ ସମସ୍ତ ଖଣି ଲିଜ୍ଧାରୀ ଉପସ୍ଥିତ ଥିଲେ । ତେବେ ଏମ୍ଆର୍ ଦାସ ଓ ଅର୍ଜୁନ ଲୋଧା ଖଣି ଲିଜ୍ଧାରୀଙ୍କ ସମ୍ପତି ଜବତ କରି ଜୋରିମାନା ଅର୍ଥ ଆଦାୟ କରିବାକୁ ଜିଲ୍ଲାପାଳଙ୍କ କୋର୍ଟ ୱାରେଣ୍ଟ ଜାରି କରିଥିବା
ଜଣାପଡ଼ିଛି । ଅପରପକ୍ଷରେ ଗତ ୨୨ ତାରିଖ ଶୁଣାଣି ସମୟରେ ୱାରେଂଟ ଜାରି କରାଯାଇଥିବା ବିଡି ପଟ୍ଟନାୟକ ଖଣି ଲିଜ୍ଧାରୀ ଶନିବାର କୋର୍ଟରେ ହାଜର ହୋଇ ୨କୋଟି ୨୦ଲକ୍ଷ ଟଙ୍କା ଜୋରିମାନା ଅର୍ଥ ଦାଖଲ କରିଥିବା ଜଣାପଡ଼ିଛି ଏବଂ ଆଗାମୀ ୧୫ଦିନ ମଧ୍ୟରେ ବଳକା ଜୋରିମାନା ଅର୍ଥ ଜମା କରାଯିବ ବୋଲି ଲିଜ୍ଧାରୀଙ୍କ ପକ୍ଷରୁ କୋର୍ଟଙ୍କୁ ଜଣାଯାଇଛି । ସେହିପରି ମିନେରାଲ ଟ୍ରେଡିଂ ସିଣ୍ଡିକେଟ ଶନିବାର ୧ଲକ୍ଷ ଟଙ୍କା ଜୋରିମାନା ଅର୍ଥ ଦାଖଲ କରିଥିବା କୋର୍ଟ ସୂତ୍ରରୁ ସୂଚନା ମିଳିଛି । ଶନିବାର ହାଜର ହୋଇଥିବା ଅନ୍ୟ ସମସ୍ତ ଖଣି ଲିଜ୍ଧାରୀ ଆଗାମୀ ୭ଦିନ ମଧ୍ୟରେ ଜୋରିମାନା ଅର୍ଥ ପୈଠ ନକଲେ ସେମାନଙ୍କ ବିରୁଦ୍ଧରେ ସମ୍ପତିି ଜବତ ୱାରେଂଟ ଜାରି କରାଯିବ ବୋଲି ଜଣାପଡ଼ିଛି ।
ପ୍ରକାଶଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶମତେ ୬୩୫୦କୋଟି ଜୋରିମାନା ଅର୍ଥ ଦେଇନଥିବା ୩୧ଟି ଖଣିର ୨୩ଜଣ ମାଲିକଙ୍କ ନାମରେ ସାର୍ଟିଫିକେଟ କେସ୍ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ଗତ ୨୦୧୮ ମେଁ ୨୪ ତାରିଖରୁ ଚାଲୁ ରହିଛି । ଏହି ଶୁଣାଣି ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଥିବାବେଳେ ବର୍ତମାନ ପର୍ଯ୍ୟନ୍ତ ୮ଖଣି ଲିଜ୍ଧାରୀଙ୍କ ସମ୍ପତି ବାଜ୍ୟାପ୍ତ ପାଇଁ ୱାରେଂଟ ଜାରି କରାଯାଇ ସାରିଲାଣି । ଓଡ଼ିଶା ସମାଚାର