ଭୁବନେଶ୍ୱର, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ଫାନିରେ୧୪ଟି ଜିଲ୍ଲାରେ ୨୨,୨୨୦ ହେକ୍ଟର ଜମିରେ ଫଳ ଗଛ ନଷ୍ଟ ହୋଇଛି । ଫାନିରେ ସବୁଠାରୁ ଅଧିକ ପୁରୀ ଜିଲ୍ଲାରେ ୧୬,୯୧୧ ଗଛ ନଷ୍ଟ ହୋଇଛି । ବିଧାନସଭାରେ ବିଧାୟକ ସୁଧିର କୁମାର ସାମଲଙ୍କ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ ଅରୁଣ ସାହୁ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି । ଏଥିସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ ଉଦ୍ୟାନ ନିର୍ଦ୍ଦେଶାଳୟ ମାଧ୍ୟମରେ ରାଜ୍ୟ ଯୋଜନା, ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନା, ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଭୃତି ମାଧ୍ୟମରେ ପ୍ରାୟ ୨୦,୮୧୦ ହେକ୍ଟର ଜମିରେ ଅଧିକ ସଂଖ୍ୟକ ଫଳ ଗଛ ରୋପଣ ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ଏନ୍ଆରଇଜିଏସ୍ ଏବଂ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଯୋଜନାରେ କାର୍ଯ୍ୟକାରୀ ହେବାକୁ ଥିବା ଫଳଚାର ମଧ୍ୟ ସେଥିରେ ସାମିଲ ରହିଛି । ଏହାବାଦ୍ ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଦ୍ୱାରା ପୁରୀ ଜିଲ୍ଲାରେ ୩୨୭ କିମି ପଥ ପାଶ୍ୱର୍ରେ ୩୦୬ ହେକ୍ଟର ନଡ଼ିଆ ଗଛ, ୨୧ ହେକ୍ଟର କାଜୁ, ବାଲେଶ୍ୱର ଜିଲ୍ଲାରେ ୧୫ ହେକ୍ଟର କାଜୁ ବଗିଚା, କଟକ ଜିଲ୍ଲାରେ ୧୦ ହେକ୍ଟର ନଡ଼ିଆ, ୨୨ ହେକ୍ଟର କାଜୁ, ୬ ହେକ୍ଟର ଆମ୍ବ, ଅନ୍ୟାନ୍ୟ ମିଶ୍ରିତ ୫ ହେକ୍ଟର ଫଳଗଛ ରୋପଣ ପାଇଁ ପ୍ରସ୍ତାବ କରାଯାଇଛି । ଓଡ଼ିଶା ସମାଚାର