ଭୁବନେଶ୍ୱର, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)-ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍ ନେଚର୍, ଏଜୁକେସନ୍ ଆଣ୍ଡ ହେଲ୍ଥ (ସ୍ନେହ) ତରଫରୁ ଜୁନ୍ ୨୯ ତାରିଖରେ ବସ୍ତିର ମହିଳା ମାନଙ୍କୁ ନେଇ ଘରୋଇ ହିଂସା, ଲିଙ୍ଗଗତ ବୈଷମ୍ୟ ଏବଂ ମହିଳା ଅଧିକାର ସଂପର୍କିତ ଏକ କର୍ମଶାଳା ଅନୁଷ୍ଠାନର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟଯେ ଗତ ଦୁଇ ବର୍ଷଧରି ସ୍ୱେହ ସଂସ୍ଥା ସାଲିଆ ସାହିର ଆଠଟି ବସ୍ତିରେ ଶାନ୍ତି ଓ ସଦ୍ଭାବନା କାର୍ଯ୍ୟକ୍ରମ କରିଆସୁଅଛି । ଏହି ଆଠଟି ବସ୍ତିରେ ଆଠଟି ଶାନ୍ତି କମିଟି ଗଠନ କରି ବସ୍ତି ଭିତରେ ସୃଷ୍ଟି ହେଉଥିବା କଳହ ଏବଂ ଦ୍ୱନ୍ଦକୁ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିଆସୁଛନ୍ତି ।
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବସ୍ତିରେ ଘଟୁଥିବା ପାରିବାରିକ ହିଂସାକୁ ରୋକିବାକୁ ଶାନ୍ତି କମିଟିର ନେତ୍ରୀ ମାନଙ୍କୁ ଏହି କର୍ମଶାଳାରେ ତାଲିମ ପ୍ରଦାନ କରାଯାଇଥିଲା । ରାଜ୍ୟ ମହିଳା କମିଶନ୍ର ପରାମର୍ଶଦାତା ଡଃ ମମତା ଦାଶ ଯୋଗଦେଇ ସମାଜରେ ଲିଙ୍ଗଗତ ବୈଷମ୍ୟ ଏବଂ ମହିଳା ମାନଙ୍କ ମଧ୍ୟରେ ଆଇନଗତ ଅଧିକାର ବିଷୟରେ ଜ୍ଞାନର ଅଭାବ ଯୋଗୁଁ ଗରିବ ଏବଂ ଅବହେଳିତ ବର୍ଗର ମହିଳା ମାନେ ସାଧାରଣତଃ ହିଂସାର ଶିକାର ହେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।
ବିଭିନ୍ନ ବିଷୟ ବସ୍ତୁ ଅଧାରିତ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ମାନଙ୍କୁ ସଚେତନ କରାଯାଇଥିଲା । ଏହି କର୍ମଶାଳାରେ ୪୦ ଜଣ ମହିଳା ଯୋଗଦେଇଥିଲେ । ଏହାକୁ ମେନୋନାଇଟ୍ ସେଂଟ୍ରାଲ କମିଟି (ଏମ୍.ସି.ସି) ଏବଂ ସ୍ନେହ ମିଳିତ ଭାବେ ଆୟୋଜନ କରିଥିଲେ । ଓଡ଼ିଶା ସମାଚାର
