ଭୁବନେଶ୍ୱର, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ କ୍ଷତିଗ୍ରସ୍ତ ସାଧାରଣ ସଂପତି, ବାସଗୃହ, ଫସଲ, ଗୃହପାଳିତ ପଶୁପକ୍ଷୀ, ଡଙ୍ଗା, ଜାଲ ଆଦି ବ୍ୟକ୍ତିଗତ ସଂପତିର ପରିମାଣ ମୋଟ ୯୩୩୬.୨୭ କୋଟି ଟଙ୍କା ଆକଳନ ହୋଇଛି । ବର୍ତମାନ ସୁଦ୍ଧା ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗ ଓ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ୧୪୮୧.୨୫ କୋଟି ଟଙ୍କା ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା: ମରୁଡ଼ି, ବନ୍ୟା, ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି, ଫାଇଲିନ୍, ହୁଡହୁଡ୍, ତିତିଲି ଓ ସର୍ବଶେଷରେ ଫନି ବାତ୍ୟା ଜନିତ କ୍ଷୟକ୍ଷତି ପାଇଁ ଓଡ଼ିଶା ସରକାର ମୋଟ ୩୮୦୯୪ କୋଟି ୫୧ ଲକ୍ଷ ଟଙ୍କା ଦାବି କରିଛନ୍ତି । କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର ଦେଇଛନ୍ତି ମାତ୍ର ୪୫୭୨ କୋଟି ୯୭ ଲକ୍ଷ ଟଙ୍କା । ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଦୁଇଟି ଭିନ୍ନ ଭିନ୍ନ ତଥା ବିପର୍ଯ୍ୟୟ ସଂପର୍କିତ ଅଣତାରକା ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ଓଡ଼ିଶା ରିଲିଫ କୋଡର ନିର୍ଦ୍ଦେଶାବଳୀ ଅନୁଯାୟୀ ଫନି ବାତ୍ୟାର କ୍ଷୟକ୍ଷତି ଆକଳନ କରାଯାଇଥିଲା । ପ୍ରାଥମିକ ଆକଳନ ୭ ଦିନ ମଧ୍ୟରେ କରାଯାଇଥିବା ବେଳେ ବିସ୍ତୃତ ଆକଳନ ପାଇଁ ଏକ ମାସ ସମୟ ଲାଗିଥିଲା । ମୋଟ କ୍ଷୟକ୍ଷତି ଆକଳନ ପରିମାଣ ୯୩୩୬.୨୭ କୋଟି ଟଙ୍କା । ତେବେ ବିପର୍ଯ୍ୟୟ ସହାୟତା ପାଣ୍ଠିର ନିୟମ ଅନୁଯାୟୀ ୫୨୨୭.୬୮ କୋଟି ଟଙ୍କାର ନିମନ୍ତେ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବର୍ତମାନ ସୁଦ୍ଧା କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏନଡ଼ିଆରାଏଫ) ରୁ ୭୮୮.୮୭୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି ପ୍ରକାଶ କରିଛନ୍ତି । ଗତ ୧୯ ବର୍ଷର ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ଦାବି ସଂକ୍ରାନ୍ତରେ ଉଲ୍ଲେଖ କରି ମନ୍ତ୍ରୀ କହିଲେ ଯେ ୨୦୦୩ ଅକ୍ଟୋବର ମାସର ବନ୍ୟା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ୩୪୮.୭୮ କୋଟି ଦାବି କରିଥିବା ବେଳେ ଟଙ୍କାଏ ବି ମିଳିନଥିଲା । ସେହିପରି ୨୦୦୫ର ବନ୍ୟା ଓ ପ୍ରବଳ ବର୍ଷା, ୨୦୦୬ ଜୁଲାଇ ଓ ଅଗଷ୍ଟ ଓ ସେପ୍ଟେମ୍ବର ମାସର ବନ୍ୟା, ୨୦୦୯ ଝଡ଼ବାତ୍ୟା, ଅଚାନକ ବନ୍ୟା ଓ ମରୁଡ଼ି, ୨୦୧୪ର ହୁଡହୁଡ୍ ଓ ୨୦୧୮ର ମରୁଡ଼ି ନିମନ୍ତେ ମଧ୍ୟ ଟଙ୍କାଏ ବି କେନ୍ଦ୍ର ଦେଇନଥିଲା ବୋଲି ମନ୍ତ୍ରୀ ତାଙ୍କ ଉତରରେ ଉଲ୍ଲେଖ କରିଛନ୍ତି । ରାଜସ୍ୱ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ୨୦୧୩ ମସିହାରେ ଘଟିଥିବା ଅତି ପ୍ରଳୟଙ୍କରୀ ଫାଇଲିନ୍ ବାତ୍ୟା ଓ ପରବର୍ତୀ ବନ୍ୟା ଯୋଗୁଁ କ୍ଷୟକ୍ଷତିର ଆକଳନ କରି ରାଜ୍ୟ ସରକାର ୫୮୩୨.୫୦ କୋଟି ଟଙ୍କା ଦାବି କରିଥିଲେ । କିନ୍ତୁ ମିଳିଥିଲା ୧୧୪୯.୮୩ କୋଟି ଟଙ୍କା । ସେହିପରି ୨୦୧୪ର ହୁଡହୁଡ୍ ବାତ୍ୟା ପାଇଁ ରାଜ୍ୟ ସରକାର ମାଗିଥିଲେ ୭୭୭.୧୨ କୋଟି ଟଙ୍କା । କିନ୍ତୁ ଟଙ୍କାଏ ବି ମିଳିଲା ନାହିଁ । ୨୦୧୮ର ତିତିଲି ବାତ୍ୟା ପାଇଁ ରାଜ୍ୟ ସରକାର ଦାବି କରିଥିଲେ ୨୭୭୯.୩୨ କୋଟି ଟଙ୍କା । କିନ୍ତୁ ମିଳିଥିଲା ୩୪୧.୭୨ କୋଟି ଟଙ୍କା । ଓଡ଼ିଶା ସମାଚାର