Friday , October 22 2021
Breaking News
Home / କୃଷି / ସରକାରୀ ନଳିତା ଓ ଧଣିଚା ବିହନ ଏଯାଏ ମିଳିନି

ସରକାରୀ ନଳିତା ଓ ଧଣିଚା ବିହନ ଏଯାଏ ମିଳିନି

ପାଟକୁରା,୨୮/୦୬/୨୦୧୯ (ଓଡ଼ିଶା ସମାଚାର)-ଚଳିତ ବର୍ଷ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ପାଇଁ ନଳିତା କିମ୍ବା ଧଣିଚା ବିହନ ଯୋଗାଣ କରାଯାଇ ନ ଥିବାରୁ ସମ୍ପୃକ୍ତ ଚାଷୀମାନେ ହତାଷ୍ ହୋଇ ପଡିଛନ୍ତି । ସରକାରଙ୍କ ଆନ୍ତରିକତାର ଅଭାବ ସାଙ୍ଗକୁ କୃଷି ବିଭାଗର ଅବହେଳା ପାଇଁ ଏହି ଚାଷ କ୍ରମେ କ୍ରମେ ବୁଡିଯିବାକୁ ବସିଲାଣି । ନଳିତା ଚାଷ ଏକ ଅର୍ଥନୈତିକ ଚାଷ ହୋଇ ଥିବାରୁ ପାଟକୁରା ଓ ମାର୍ଶାଘାଇ ଅଂଚଳର ବହୁ ସ୍ଥାନରେ ଏହି ଚାଷ କରାଯାଉଥିଲା । କେନ୍ଦ୍ରାପଡା ଜିଲାରେ ନଳିତା ଚାଷ ବହୁ ପରିମାଣରେ କରାଯାଉଥିବାରୁ କେନ୍ଦ୍ରାପଡା ନିକଟସ୍ଥ ଜଜାଙ୍ଗ ଠାରେ ସରକାରଙ୍କ ପକ୍ଷରୁ କେନ୍ଦ୍ରିୟ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରା ଯାଇଛି । ମାତ୍ର ଚଳିତ ବର୍ଷ ଏହି ନଳିତା ଚାଷ କରାଯିବା ପାଇଁ ସରକାରୀ ଭାବରେ ନଳିତା ବିହନ ଯୋଗାଯାଇ ନାହିଁ । ଫଳରେ ନଳିତା ଚାଷ କରୁଥିବା ପାରମ୍ପାରିକ ଚାଷୀ ମାନେ ବାହାର ବଜାରର କେତେକ ସ୍ଥାନରୁ ବିହନ କିଣି ଜମିରେ ବୁଣାବୁଣି କରିଛନ୍ତି । ନଳିତା ଗଛ ହେଲାଣି ମାତ୍ର ସରକାରଙ୍କ ପକ୍ଷରୁ ବିହନ ଯୋଗାଣ କରାଯାଇ ନାହିଁ । ଏ ସମ୍ପର୍କରେ ମାର୍ଶାଘାଇ ଠାରେ ଥିବା ଜିଲା କୃଷି ଅଧିକାରୀ ଶରତ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି ଯେ କୃଷି ବିଭାଗ ପକ୍ଷରୁ ନଳିତା ବିହନ ଯୋଗାଣ କରାଯାଉ ନାହିଁ,ଏହା କେବଳ ସେବା ସମବାୟ ମାଧ୍ୟମରେ ଯୋଗାଣ କରାଯିବା କଥା । ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ସେବା ସମବାୟ ସମିତିର ସଭାପତି ଚିତରଞ୍ଜନ ଚୌଧୁରୀ ଓ ଗରଦପୁର ସେବା ସମବାୟ ସମିତିର ସଭାପତି ରଞ୍ଜିତ୍ କୁମାର ପଣ୍ଡା ପ୍ରକାଶ କରିଛନ୍ତି ଯେ ଚାଷୀମାନଙ୍କର ଏହି ଚାଷ ପାଇଁ ଆଗ୍ରହ ରହିଥିଲେମଧ୍ୟ ସେବା ସମବାୟ ସମିତିକୁ ଏହାର ମଞ୍ଜି ଆସି ପାରୁ ନାହିଁ । ଫଳରେ ଚାଷୀ ଏହି ଚାଷ କରିବାରୁ ବଂଚିତ ହେଉଛନ୍ତି । କେତେକ ସ୍ଥାନରେ ବୁଣା ଯାଇଥିବା ନଳିତା ବିହନ ନିମ୍ନମାନର ହୋଇଥିବାରୁ ନଳିତା ଗଛଗୁଡିକ ଆକାରରେ ଯଥେଷ୍ଟ ବୃଦ୍ଧି ପାଉ ନାହିଁ ବୋଲି ଅନେକ ଚାଷୀ ମାନେ ପ୍ରକାଶ କରିଛନ୍ତି । କେତେକ ନଳିତା ଚାଷୀମାନେ ପ୍ରକାଶ କରିଛନ୍ତି ଯେ,ଏହି ଚାଷ କରିବା ଦ୍ୱାରା ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ମିଳୁଥିବା ବେଳେ,ଦୀପାବଳୀରେ କାଉଁରିଆରେ ବଡବଡୁଆମାନଙ୍କୁ ଦୀପଦାନ କରାଯାଇଥାଏ । ଦୀପାବଳୀ ସମୟରେ କାଉଁରିଆକୁ ବିକ୍ରୀ କରି ବେଶ୍ ଦୁଇ ପଇସା ମିଳୁଥିଲା । ମାତ୍ର କୃଷି ବିଭାଗର ଅପାରଗତା ପାଇଁ ଚଳିତ ବର୍ଷ ନଳିତା ବିହନ ଆସି ପାରି ନ ଥିବା ସମ୍ପର୍କରେ ଚାଷୀମାନେ ମତ ପ୍ରକାଶ କରିଛନ୍ତି । ସରକାରୀ ଦାମ୍ରେ ନଳିତା ମଞ୍ଜି କିଲୋ ପ୍ରତି ୩୦ ଟଙ୍କା ଥିବା ବେଳେ, ଚଳିତ ବର୍ଷ କେତେକ ଚାଷୀମାନେ ବାହାର ବଜାରରୁ କିଲୋ ପ୍ରତି୬୫ ଟଙ୍କାରେ ନଳିତା ମଞ୍ଜି କିଣି ଜମିରେ ବୁଣି କରିଛନ୍ତି । ଯଦି ସରକାରୀ ଭାବରେ ଚାଷୀମାନଙ୍କୁ ରିହାତି ଦରରେ ନଳିତା ବିହନ ଯୋଗାଣ କରାଯାଇଥାଆନ୍ତା, ତେବେ ଦିନକୁ ଦିନ ବୁଡିଯାଉ ଥିବା ଏହି ନଳିତା ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବା ସହିତ ଅଧିକ ପରିମାଣର ଜମିରେ ନଳିତା ଚାଷ ହୋଇପାରନ୍ତା ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି । ନଳିତା ଚାଷ ପାଇଁ ସରକାର ସ୍ୱତନ୍ତ୍ର ନିତୀ ପ୍ରଣୟନ କରିବା ଆବଶ୍ୟକ ବୋଲି ଚାଷୀମାନଙ୍କ ପକ୍ଷରୁ ମତ ପ୍ରକାଶ ପାଉଛି ।
ସେହିପରି ଧାନ ଚାଷ କ୍ଷତ୍ରରେ ଧଣିଚା ଚାଷର ମଧ୍ୟ ବିଶେଷ ମହତ୍ୱ ରହିଛି । ଜମିରେ ଧଣିଚା ବୁଣାଯାଇଥିଲେ ଏବେ ଧଣିଚା ଗଛ ବଡ ବଡ ହୋଇ ଯାଇଥାଆନ୍ତା ଯାହାକି ଧଣିଚା ଗଛ ଜମିର ଉର୍ବରତା ବଢାଇବାରେ ସହାୟକ ହୋଇ ପାରିଥାଆନ୍ତା । ଧଣିଚା ଚାଷ କରା ଯାଇଥିବା ଜମିରେ ରାସାୟନିକ ସାରର ବ୍ୟବହାର ଖୁବ୍ କମ୍ ପରିମାଣରେ କରାଯାଇଥାଏ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଧଣିଚା ଗଛ ପିତା ହେତୁ ଧାନ ଫସଲରେ ମଧ୍ୟ ରୋଗପୋକ ନିୟନ୍ତ୍ରଣରେ ସହାୟକ ହୋଇଥାଏ । ଚାଷୀମାନଙ୍କୁ ଅକ୍ଷୟ ତୃତୀୟା ସମୟରୁ ଧଣିଚା ମଞ୍ଜି ଯୋଗାଇ ଦିଆଯାଇ ଥିଲେ,ଅନେକ ଚାଷୀ ଜମିରେ ଧଣିଚା ବୁଣାବୁଣି କରି ପାରି ଥାଆନ୍ତେ । ପୂର୍ବ ବର୍ଷରୁ କୌଣସି ଚାଷୀମାନେ ଧଣିଚା ମଞ୍ଜି ଘରେ ସାଇଥି ରଖି ପାରି ନାହାଁନ୍ତି । ସରକାରୀ ଧଣିଚା ବିହନକୁ ଚାଷୀ ଚାହିଁ ବସିଥିବା ବେଳେ,କୃଷି ବିଭାଗ ପକ୍ଷରୁ ଚଳିତ ବର୍ଷ ଧଣିଚା ମଞ୍ଜି ଯୋଗାଣ କରାଯାଇ ପାରି ନ ଥିବାରୁ ଚାଷୀ ହତାଷ ହୋଇପଡିଛନ୍ତି । ଧଣିଚା ଚାଷ ଏବେ ଏକ ପ୍ରକାର ବୁଡିବାକୁ ବସିଲାଣି । ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମୋଦୀ ଓ ଶାହାଙ୍କ କୁଶପୁତଳିକା ଦାହ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଭାରତରେ ଚାଲିଥିବା ଅନ୍ୟାୟ, ଅତ୍ୟାଚାର, କୃଷକ ଗଣହତ୍ୟା. କୃଷକ ଓ  ଶ୍ରମିକ ବିରୋଧୀ ଆଇନ, ଉକôଟ …

Leave a Reply

Your email address will not be published. Required fields are marked *