Sunday , October 1 2023
Home / ବିଶେଷ / ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ ଶାଳିନୀ ସମ୍ବର୍ଦ୍ଧିତ

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ ଶାଳିନୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨୮/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)-  ସ୍ଥାନୀୟ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାର୍ଯ୍ୟାଳୟରେ ଗାର୍ଲସ ଚାମ୍ପିଅନ୍ ଶାଳିନୀ ସାହୁଙ୍କୁ ଆୟୋଗର ଅଧ୍ୟକ୍ଷା ଏବଂ ସମସ୍ତ କର୍ମକର୍ତାଙ୍କ ଉପସ୍ଥିତିରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଦ୍ୱାରା ସମ୍ମାନିତ କରାଯାଇଛି । ପ୍ରକାଶ ଯେ ଶାଳିନୀ ୨୦୧୬ ମସିହାରୁ ଅନ୍ତର୍ରାଷ୍ଟ୍ରୀୟ ସଂସ୍ଥା ସେଭ୍ ଦି ଚିଲ୍ଡ୍ରେନ୍ ସହାୟତାରେ କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରେ ଚାଲିଥିବା ‘ଅନନ୍ୟା: ବିବାହ ପିଲା ଖେଳ ନୁହେଁ’ ପ୍ରକଳ୍ପରେ ଯୋଡ଼ିହୋଇ ଚର୍ଚ୍ଚାନେତ୍ରୀ ଭାବେ ବିଭିନ୍ନ ପ୍ରକାର ତାଲିମ୍ ନେଇ ଗ୍ରାମବାସୀଙ୍କୁ ଅହରହ ବାଲ୍ୟବିବାହର କୁ ପ୍ରଭାବ, ଋତୁସ୍ରାବ ସ୍ୱଚ୍ଛତା ଏବଂ ବାଳିକା ଶିକ୍ଷାକୁ ଗୁରୁତ୍ୱ ଦେବା ନେଇ ବାର୍ତା ଦେଇଆସିଛନ୍ତି । ଏଣୁ ବାଲ୍ୟବିବାହ ରୋକିବା, ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ବାର୍ତା ତଥା ବାଳିକା ଶିକ୍ଷାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିଥିବାରୁ ୨୦୧୮ରେ ମିଳିତ ଜାତିସଂଘ ତରଫରୁ ‘ଭଲ୍ୟୁଂଟିଅର ଆୱାର୍ଡ’ ପାଇଛନ୍ତି । ବିଗତ ମାସରେ ଶାଳିନୀ କାନାଡ଼ାରେ ହୋଇଥିବା ‘ଓମେନ୍ ଡେଲିଭର କନ୍ଫରେନ୍ସ-୨୦୧୯’ରେ (ଅନ୍ତର୍ରାଷ୍ଟ୍ରୀୟ ମହିଳା ସମ୍ମେଳନ-୨୦୧୯) ସେଭ୍ ଦି ଚିଲ୍ଡ୍ରେନ ଓ ଏମ୍ଟିବି ଆଲିଆନ୍ସ ତରଫରୁ ଭାରତର ପ୍ରତିନିଧିତ୍ୱ କରି ବାର୍ତା ଦେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି । ତାଙ୍କର ଏଭଳି ଦୃଷ୍ଟାନ୍ତମୂଳକ ଉଦ୍ୟମ ପାଇଁ ତାଙ୍କୁ ଏବଂ କନ୍ଧମାଳ ଓ ନୂଆପଡ଼ାରେ ସଚେତନ କରୁଥିବା ଅନ୍ୟ ୧୦ ଜଣ ଗାର୍ଲସ ଚାମ୍ପିଅନ ଙ୍କୁ ଆୟୋଗ ତରଫରୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ସଚିବ ସୋନିଆ ବେହେରା, ଡ. ଗୀତାଞ୍ଜଳି ବସ୍ତିଆ, ନିବେଦିତା ନାୟକ, ସୁନନ୍ଦା କୁମାରୀ ପତି, ହରିହର ନାୟକ, ମନ୍ଦାକିନୀ କର, ଦିବ୍ୟା ଶାଶ୍ୱତୀ, ଉପସ୍ଥିତ ଥିବାବେଳେ ସେଭ୍ ଦି ଚିଲ୍ଡ୍ରେନ ପକ୍ଷରୁ ନ୍ୟାସ୍ନାଲ ମ୍ୟାନେଜର ପ୍ରଦୀପ ମିଶ୍ର, ରାଜ୍ୟର ଆସିଷ୍ଟାଂଟ ମ୍ୟାନେଜର ଡ. ସୌମ୍ୟକାନ୍ତ ମିଶ୍ର, କନ୍ଧମାଳର ମନୋଜ କୁମାର ମିଶ୍ର ଓ ନୂଆପଡ଼ାର ବିଦ୍ୟାଧର ମେହେର ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *