Sunday , October 1 2023
Home / ବିଶେଷ / ପାଇକ ସଂଗଠନ ସମୂହର ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ କେନ୍ଦ୍ରମନ୍ତ୍ରୀ

ପାଇକ ସଂଗଠନ ସମୂହର ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ କେନ୍ଦ୍ରମନ୍ତ୍ରୀ

ଓଡିଶାର ବିନା ନେତୃତ୍ୱରେ ଭାରତ ସମୃଦ୍ଧଶାଳୀ ହେବା ଅସମ୍ଭବ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୨୮/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ପୂର୍ବ ଭାରତ ସମୃଦ୍ଧ ହେଲେ ଭାରତ ସମୃଦ୍ଧ ହେବ । କିନ୍ତୁ ଓଡିଶାର ବିନା ନେତୃତ୍ୱରେ ପୂର୍ବ ଭାରତ ସମୃଦ୍ଧଶାଳୀ ହେବାର କଳ୍ପନା କରାଯାଇପାରିବ ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଓଡିଶାର ବିଭିନ୍ନ ପାଇକ ସଂଗଠନ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ ହେବା ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ସମୁଦ୍ର ଉପକୂଳ, ଖଣିଜ ସମ୍ପଦ, ପାଣି, ଜଙ୍ଗଲ ସମ୍ପଦ, କୁଶଳୀ ଓଡିଆ ଦୁଃସାହସୀ ଯୁବକ ଅଛି । ଏହି ଦୁଃସାହସୀ ଯୁବକ ପୂର୍ବକାଳରେ କଳିଙ୍ଗ ଯୁଦ୍ଧ ଓ ପାଇକ ବିଦ୍ରୋହର ନେତୃତ୍ୱ ନେଇଥିଲା । ଆଜି ଏକବିଂଶ ଶତାବ୍ଦିରେ ଭାରତବର୍ଷର ଅର୍ଥନୀତିକୁ ନେତୃତ୍ୱ ନେବାର ଦାୟିତ୍ୱ ଓଡିଶାର ଅଛି । ତେଣୁ ଓଡିଶାକୁ ଏକ ସମୃ୍ଦ୍ଧଶାଳୀ ରାଜ୍ୟ ଭାବେ ତିଆରି କରିବାକୁ ପଡିବ ଏବଂ ଏଥିପାଇଁ ସମସ୍ତଙ୍କୁ ଏକାଠୀ ହେବାକୁ ପଡିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ସ୍ୱାର୍ଥ ତଥା ଓଡିଆ ଲୋକଙ୍କ ହକ୍ ପାଇଁ କେନ୍ଦ୍ର ଓ ରାଜ୍ୟ ଉଭୟ ମିଳିତ ଭାବରେ କାମ କରିବାର ଆବଶ୍ୟକତା ରହିଛି । ଇସ୍ପାତ କ୍ଷେତ୍ରରେ ଚାଇନା ପରେ ଭାରତ ଦ୍ୱିତୀୟ ଦେଶ ଭାବରେ ଅଧିକ ଉତ୍ପାଦନ କରୁଛି । ଭାରତବର୍ଷରେ ୨୦୦ ମିଲିୟନ ଟନ ଲୁହା ପଥର ଉତ୍ପାଦନ ଦେଉଥିବା ବେଳେ ଅଧାରୁ ଅଧିକ ଓଡିଶାରେ ଉତ୍ପାଦନ ହେଉଛି । ଏହି ଲୁହା ପଥର ଓଡିଆ ଲୋକଙ୍କ ଅର୍ଥନୀତିରେ ଲାଗୁଛି ନା ବାଟମାରଣା ହେଉଛି ତାହା ଆଲୋଚ୍ୟର ବିଷୟ । ୨୦୩୦ ସୁଦ୍ଧା ଭାରତରେ ୨୫୦ ମିଲିୟନ ମେଟ୍ରିକ ଟନ୍ ଲୁହାର ଆବଶ୍ୟକତା ହେବ । ଏଥିପାଇଁ ୩୦୦ ମିଲିୟନ ମେଟ୍ରିକ ଟନର କାରଖାନା ନିର୍ମାଣ କରିବାକୁ ହେବ । ତା’ ମଧ୍ୟରୁ ୧୦୦ ମିଲିୟନ ମେଟ୍ରିକ ଟନ୍ କାରଖାନା ଓଡିଶାରେ ହେବ । ଓଡିଶାରେ ଷ୍ଟିଲ ଆଧାରିତ ମାନୁଫ୍ୟାକ୍ଚରିଂ ହବ୍ର କଳ୍ପନା ସମସ୍ତଙ୍କ ମନରେ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଥର ନିର୍ବାଚନର ବଳିଦାନ ୨୦୦ ବର୍ଷ ପୂର୍ବେ ହୋଇଥିଲା । ତାହାର ଫଳ ଆଜି ଆମେ ପାଇଛେ । ଭାରତର ବିଭିନ୍ନ ବର୍ଗର ଲୋକମାନେ ନରେଦ୍ର ମୋଦିଙ୍କୁ ୫୧ ପ୍ରତିଶତ ଭୋଟ ଦେଇ ପୁନର୍ବାର ପ୍ରଧାନମନ୍ତ୍ରୀ କରିଛନ୍ତି । ଚଳିତ ୧୭ତମ ଲୋକସଭା ନିର୍ବାଚନରେ ପ୍ରଥମ ଥର ମହିଳା ଓ ପୁରୁଷ ସମାନୁପାତ ଭୋଟ ଦେଇଛନ୍ତି । ଅପରପକ୍ଷରେ ଓଡିଶାର ଏକ ତୃତୀୟାଂଶ ଲୋକ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦେଇ ଦେଶର ଦାୟିତ୍ୱ ନେବାର ଆଶୀର୍ବାଦ ଦେଇଛନ୍ତି । ଭାରତବର୍ଷରେ “ସବ କି ସାଥ୍, ସବ୍ କି ବିକାଶ” ସବକି ବିଶ୍ୱାସରେ ପରିଣତ ହୋଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦି ଦେଶରେ ଦାୟିତ୍ୱ ନେବା ପରେ ମାଆ ଭଉଣୀଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳ ଉପରେ ଗୁରୁତ୍ୱ ଦେଇଥିଲେ । ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୫ ଲକ୍ଷ ଘର ଥିବାବେଳେ ଗତ ୫ ବର୍ଷରେ ଏହି ଯୋଜନାରେ ୨ କୋଟି ୨୫ ଲକ୍ଷ ଘର ନିର୍ମାଣ ହୋଇଛି । ମୋଦିଙ୍କ ସରକାରରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଏଲପିଜି ଗ୍ରାହକଙ୍କ ୧୩ କୋଟିରୁ ୭ କୋଟିରେ ପହଁଚିଛି । ଅଧାରୁ ଅଧିକ ଘରେ ବିଦ୍ୟୁତ ସଂଯୋଗ ହୋଇଛି । ରାଜ୍ୟରେ ଲିଙ୍ଗରାଜ ମନ୍ଦିର, ପୁରୀ ବଡ ଦେଉଳ, କୋଣାର୍କ ଭଳି ଭବ୍ୟ ସଂସ୍କୃିତର କେନ୍ଦ୍ର ଓ ଅନ୍ୟାନ୍ୟ ସମ୍ବୋନ୍ଧିତ ଜିନିଷ ଗୁଡିକ କେବଳ ସାଂସ୍କୃତିକ ପ୍ରତିଛବି ନୁହେଁ ଏହା ପଛରେ ସମ୍ପନ୍ନତା ଓ ବହୁତ ବଡ ଅର୍ଥନୀତିର ପ୍ରତିଫଳନ ଅଛି । ସେହିପରି ଭାରତରେ ବ୍ରିଟିଶ ମାନଙ୍କ ବିରୋଧରେ ପାଇକ ଜାତି ଲଢେଇ କରିଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *