‘ପୁଣି ଜରୁରୀ ପରିସ୍ଥିତି ଜାରି ହେବ କି!’
କଟକ, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ଦେଶର ସୁରକ୍ଷା ଓ ସମୃଦ୍ଧି ପାଇଁ ସମ୍ପୂର୍ଣ୍ଣ କ୍ରାନ୍ତି ଅପରିହାର୍ଯ୍ୟ ବୋଲି ସ୍ଥାନୀୟ ଗାନ୍ଧୀଭବନ ଠାରେ ଆୟୋଜିତ ଜରୁରୀସ୍ଥିତି ସ୍ମୃତିଚାରଣ ସଭାରେ ଉପସ୍ଥିତ ବକ୍ତାମାନେ ମତପୋଷଣ କରିଛନ୍ତି । ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନ ଓଡ଼ିଶା ସଂଗଠନର ସଭାପତି ଆଇନଜୀବୀ ଶିଶିର ଦାସଙ୍କ ଅଧ୍ୟକ୍ଷତାରେ ଉପସ୍ଥିତ ବକ୍ତାମାନେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ୧୯୭୫ ଜୁନ ୨୫ ସଂଧ୍ୟାରେ ଶ୍ରୀ ନାରାୟଣ କହିଥିଲେ ଯେ, ସମ୍ବିଧାନ ଓ ନ୍ୟାୟାଳୟକୁ ମାନୁନଥିବା ସରକାରଙ୍କୁ ସତ୍ୟାଗ୍ରହ ବଳରେ ଅଚଳ କରାଯିବା ଉଚିତ । ପ୍ରତିକ୍ରିୟାରେ ତକ୍ରାଳୀନ ଶାସକ ବର୍ଗ ସେହିଦିନ ମଧ୍ୟରାତ୍ରୀରେ ଦେଶରେ ଜରୁରୀ ପରିସ୍ଥିତି ଜାରିକଲେ । ଯାହା ପରବର୍ତୀ ସମୟରେ ଦେଶର ଜନତା ସରକାରଙ୍କୁ ପ୍ରତ୍ୟାଖ୍ୟାନ କଲେ । ତେଣୁ ବିଗତ ଦିନର ସେହି ଅବାଞ୍ôଛତ ଅଧ୍ୟାୟକୁ ସ୍ମରଣ କରି ସ୍ଥାୟୀ ପ୍ରତିକାର କରିବା ଲକ୍ଷ୍ୟରେ ସମ୍ପୂର୍ଣ୍ଣକ୍ରାନ୍ତି ଅଭିଯାନ ପକ୍ଷରୁ ‘ପୁଣି ଜରୁରୀ ପରିସ୍ଥିତି ଜାରୀ ହେବ କି?’ ଶୀର୍ଷକ ଆଲୋଚନା କରାଯାଇଥିଲା । ବ୍ୟବସ୍ଥାରେ ପରିବର୍ତନ ନହୋଇ କେବଳ ବ୍ୟକ୍ତି କି ସରକାର ବଦଳିଲେ ଦେଶରେ ସମସ୍ୟାର ସମାଧାନ ସମ୍ଭବ ନୁହେଁ ବୋଲି ମତପ୍ରକାଶ ପାଇଥିଲା । ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନକୁ ଧାରାବାହିକ ଓ ସାଲିସ ବିହୀନ ଭାବେ ଚଳାଇ ରଖିଲେ ଦେଶରେ ବେକାରୀ, ଦରବୃଦ୍ଧି, ଚାଷୀ ଆତ୍ମହତ୍ୟା, ନାରୀ ନିର୍ଯାତନା ଆଦି ବହୁ ମୌଳିକ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ସିଂହ, ପୂର୍ବତନ ମନ୍ତ୍ରୀ ଅମର ଶତପଥୀ, ଶ୍ରମିକ ନେତା କୃଷ୍ଣଚନ୍ଦ୍ର ପାତ୍ର, ସମତା ମଞ୍ଚ ସଭାପତି ଚିତରଞ୍ଜନ ମହାନ୍ତି, ସଂଗଠନ ମହାସଚିବ ଯୁଗଳ କିଶୋର ନାୟକ, ପ୍ରଶାନ୍ତ ଦାସ, ସୀତାରାମ ଶତପଥୀ, ବିଶ୍ୱାବସୁ ଦାସ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା, ଡକ୍ଟର ସତ୍ୟ ରାୟ, ପ୍ରତାପ ଶତପଥୀ, ଡକ୍ଟର ବିଶ୍ୱଜିତ, ଅଜୟ ମିଶ୍ର, ପୂର୍ବତନ ସିଏମସି ମେୟର ସୌମେନ୍ଦ୍ର ଘୋଷ, ଅନୀତା ବେହେରା, ଗୌତମ ଦାସ ପ୍ରମୁଖ ଭାଷଣ ଦେଇ ଆଗାମୀ ଦିନରେ ପୁଣି ଜରୁରୀ ସ୍ଥିତି ଆସିଲେ ଲଢ଼େଇ କରିବୁ ବୋଲି ଘୋଷଣା କରିଥିଲେ । ଏହି ଅବସରରେ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବଙ୍କ ବାର୍ତା ପାଠ କରାଯାଇଥିଲା । ସଂଗଠନ ପକ୍ଷରୁ ଖଗେଶ୍ୱର ସେଠୀ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର