ସାଲେପୁର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶିକ୍ଷାବିଭାଗର ବରିଷ୍ଠ ପ୍ରାଧ୍ୟାପକ ତଥା ଜାତୀୟ ସ୍ତରର ଶିକ୍ଷା ଗବେଷକ ଡଃ ପ୍ରସନ୍ନ କୁମାର ମହାପାତ୍ରଙ୍କୁ ବିଶିଷ୍ଟ ଶିକ୍ଷାବିତ୍ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଦ୍ୱାରିକାନାଥ ସ୍ମୃତି ସମିତିର ୩୦ତମ ଶ୍ରାଦ୍ଧବାର୍ଷିକ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶିକ୍ଷା, ଶିକ୍ଷାୟତନ, ଶିକ୍ଷାର୍ଥୀ, ଶିକ୍ଷକଙ୍କ ସର୍ବବିଧ ଉନ୍ନତି ନିମିତ ଗବେଷକ ଡଃ ମହାପାତ୍ର ଅଧୁନା ପ୍ରୟାସରତ ଥିବାବେଳେ ବହୁ ଅନୁଷ୍ଠାନର ନ୍ୟାସୀ, ସଭାପତି, ଆଜୀବନ ସଦସ୍ୟ, ପ୍ରତିଷ୍ଠାତା, ଗବେଷଣା, ମାର୍ଗଦର୍ଶକ ରହି ପ୍ରଚଣ୍ଡ କର୍ମପ୍ରବଣତା ପାଇଁ ଅନୁଷ୍ଠାନ ପକ୍ଷରୁ ଏହି ବିଶିଷ୍ଟ ସମ୍ମାନରେ ଡଃ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି । ପ୍ରକାଶ ଥାଉକି ଡଃ ମହାପାତ୍ର ଜାତୀୟ ସ୍ତରର ଜଣେ ଶିକ୍ଷା ଗବେଷକ ଭାବେ ପରିଚିତ । ବିଶ୍ୱର ବିଭିନ୍ନ ଦେଶରେ ଅନୁଷ୍ଠିତ ଶିକ୍ଷା ସମ୍ମିଳନୀରେ ନିଜର ସନ୍ଦର୍ଭ ପାଠ କରି ସୁଖ୍ୟାତି ଅର୍ଜନ କରିଛନ୍ତି । ଜାତୀୟ ପ୍ରତିଷ୍ଠିତ ଶିକ୍ଷା ଗବେଷଣା ସଂସ୍ଥା ଟୀକା ଫାଉଣ୍ଡେସନ୍ର ଡଃ ମହାପାତ୍ର ପ୍ରତିଷ୍ଠାତା ଅଟନ୍ତି । ଏହି ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ବହୁ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇବା ସହ ଉନ୍ନତି କାମନା କରିଛନ୍ତି । ଓଡ଼ିଶା ସମାଚାର