ଭୁବନେଶ୍ୱର,୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ଓଡ଼ିଶାର ପ୍ରାଚୀନ ଆଧ୍ୟାତ୍ମିକ ଲୋକକଳା ଲଉଡ଼ିବାଡ଼ି ବା ରାମତାଳିର ପ୍ରଚାର, ପ୍ରସାର ଓ ପ୍ରୋତ୍ସାହନ ପାଇଁ ଏହି କଳାକୁ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ମହୋତ୍ସବ ମାନଙ୍କରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଷଣ କରାଯାଉଛି । ଲୁପ୍ତ ପ୍ରାୟ ଲୋକକଳା ସଂରକ୍ଷଣ ନିମନ୍ତେ ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର କଲିକତାଙ୍କ ଗୁରୁଶିଷ୍ୟ ପରମ୍ପରା ଯୋଜନାରେ ୨୦୦୯-୧୦ ମସିହାରୁ ଲଉଡ଼ି ନୃତ୍ୟକୁ ସାମିଲ୍ କରାଯାଇଛି । ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ୨୦୧୮ ମସିହାରେ ଅନ୍ୟ କଳାକାରଙ୍କ ସହ ଲଉଡ଼ି ନୃତ୍ୟ କଳାକାରମାନଙ୍କୁ ୧୨୦୦ ଟଙ୍କାର ମାସିକ ପେନ୍ସନ୍ ଦିଆଯିବା ସହ ଯାଦବ ବା ଗୋପାଳ ସମ୍ପ୍ରଦାୟଙ୍କ ଦ୍ୱାରା ପରିବେଷିତ ଲଉଡ଼ି ନୃତ୍ୟ କଳାକାରମାନଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ପୁରସ୍କାର ପ୍ରଦାନ ପାଇଁ ବ୍ୟବସ୍ଥା ଅଛି । ୨୦୧୭ ମସିହାରୁ ନଗର କଳା, ରାଜ୍ୟକଳା ସଂଘରେ ଲଉଡ଼ି ନୃତ୍ୟ ଦଳକୁ ମଧ୍ୟ ସାମିଲ୍ କରାଯିବାର ବ୍ୟବସ୍ଥା ହୋଇଛି ବୋଲି ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ବିଧାନସଭାରେ ଆଗତ ୫୮ ନମ୍ବର ଲିଖିତ ପ୍ରଶ୍ନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଧାନସଭାରେ ଉତର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର