ଜଟଣୀ,୨୭/୦୬/୨୦୧୯ (ଓଡ଼ିଶା ସମାଚାର)- ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା– ୨୦୧୯ ପାଇଁ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ ଡିଭିଜନ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଯାତ୍ରୀମାନଙ୍କୁ ସମସ୍ତ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ରେଳବିଭାଗର ଏକ ସାମ୍ବାଦିକ ସମ୍ମିଳନୀ ବୁଧବାର ମଧ୍ୟାହ୍ନରେ ସ୍ଥାନୀୟ ଡିଆର୍ଏମ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧାରୋଡ଼ ଡି.ଆର୍.ଏମ୍ ଶଶିକାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଘୋଷଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ପାଠ କରି ଡିଭିଜନ୍ର ସିନିଅର୍ ଡିସିଏମ୍ – ପି.କେ.ସାମଲ୍ କହିଥିଲେ ଯେ, ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରା ପାଇଁ ଯାତ୍ରୀ ପରିବହନ କ୍ଷେତ୍ରରେ ରେଳବିଭାଗ ପ୍ରମୁଖ ଅଂଶ ଗ୍ରହଣ କରିଆସୁଛି । ଚଳିତ ବର୍ଷ ମଧ୍ୟ ଏହି ଧାରା ଜାରୀ ରହିବ । ସେ କହିଥିଲେ ଯେ, ଚଳିତ ରଥଯାତ୍ରା ପରିପ୍ରେକ୍ଷୀରେ ଖୋର୍ଦ୍ଧାରୋଡ ରେଳ ଡିଭିଜନ୍ ପକ୍ଷରୁ ପୁରୀକୁ ୪ ତାରିଖ ତଥା ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ୩୦ ଗୋଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସେହିପରି ୫ ତାରିଖରେ ୪୮ଟି ଟ୍ରେନ୍, ୧୦ ତାରିଖ ସନ୍ଧ୍ୟା ଦର୍ଶନ ପାଇଁ ୧୦ଟି ଟ୍ରେନ୍, ୧୨ ତାରିଖ ବାହୁଡ଼ା ଯାତ୍ରାରେ ୩୦ଟି ଟ୍ରେନ୍ ଏବଂ ସୁନାବେଶ ଅବସରରେ ୨୮ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳରେ ବ୍ୟବସ୍ଥା ରହିବ । ଏହିଭଳି ମୋଟ ୧୯୨ଟି ଟ୍ରେନ ଚଳାଚଳ କରିବ । ଖୋର୍ଦ୍ଧାବଲାଙ୍ଗୀର ରେଳପଥରେ ନୟାଗଡ଼ ଟାଉନ୍ ଷ୍ଟେସନ୍ ଠାରୁ ଖୋର୍ଦ୍ଧାରୋଡ଼ ମଧ୍ୟରେ ୪ ତାରିଖ ଘୋଷଯାତ୍ରା ଆରମ୍ଭରେ ୨୪ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ସୁନାବେଶ ମଧ୍ୟରେ ୨୪ଟି ଟ୍ରେନ୍ର ବ୍ୟବସ୍ଥା ରହିଛି । ଲକ୍ଷାଧିକ ଭକ୍ତଙ୍କ ଜନସମାଗମକୁ ଲକ୍ଷ୍ୟ ରଖି ଭୁବନେଶ୍ୱର, କଟକ, ଖୋର୍ଦ୍ଧା. ବ୍ରହ୍ମପୁର, ବାଲୁଗାଁ, ପାରାଦ୍ୱୀପ, ଭଦ୍ରକ ଏହିପରି ବିଭିନ୍ନ ଷ୍ଟେସନ ଗୁଡିକରେ ୨୪ ଘଂଟିଆ ୬୦ଟି ଟିକେଟ କାଉଂଟର ଖୋଲାଯିବ । ଯାତ୍ରୀମାନଙ୍କ ପ୍ରବଳ ଭିଡ଼ ଆଶଙ୍କା କରାଗଲେ ତିନୋଟି (ଏଟିଭିଏମ୍) ଅଟୋମେଟିକ୍ ଟିକେଟ୍ ଭେଡିଂ ମେସିନ୍ ର ବ୍ୟବସ୍ଥା କରାଯିବ । ତଦନ୍ତ ଓ ସୂଚନା ପାଇଁ ୪ ଟି ଅତିରିକ୍ତ କାଉଂଟର୍ ରହିବ । ‘ମେ ଆଇ ହେଲ୍ପ ୟୁ’ ନାମକ ୪ଟି ବୁଥ୍ ଷ୍ଟେସନ ପରିସରରେ ରହିବ । ୬ ଲକ୍ଷ ଲୋକଙ୍କ ସୁବିଧା ନିମନ୍ତେ ଟ୍ୟୁରିଷ୍ଟ କମ୍ପେ୍ଲକ୍ସରେ ଶୌଚାଳୟ, ସ୍ନାନଗୃହ ବ୍ୟବସ୍ଥା, ରୋଷଇ ଏବଂ ଚିକିତ୍ସା କାଉଂଟର୍ କରାଯିବ । ପୁରୀ ଷ୍ଟେସନ୍ ରେ ଭୋଜନ ବ୍ୟବସ୍ଥା ଜନତା ମିଲ୍ସରୁ ୧୫ ଟଙ୍କାରେ ମିଳିବ । ଚା, ଜଳଖିଆ ଓ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ରହିବ । ପ୍ରଶାସନିକ ସ୍ତରରେ ସୁଭଦ୍ରା ବାହିନୀର ୯ ଟି ଆର୍ପିଏଫର ମହିଳା ଟିମ୍ କଡ଼ା ନଜର ରଖିବେ । ୫୩୦ ରେଳ ସୁରକ୍ଷା ବଳ ଟିମ୍, ଏକ କମ୍ପାନୀ ଫୋର୍ସ ମୂତୟନ ହେବେ । ୫୫୦ ଜଣ ଜିଆର୍ପିର ଏପିଆର୍ ସେଟ୍ ରହିବେ । ପୁରୀରେ ୭୩ଟି ସିସିଟିଭି, ଭୁବନେଶ୍ୱରରେ ୩୮ ଓ କଟକ ଷ୍ଟେସନ ପ୍ରଭୃତିରେ ୩୧ ଟି ସିସିଟିଭି ରହିବ । ପୁରୀ ଷ୍ଟେସନ୍ ରେ ୩ ଟି, ଭୁବନେଶ୍ୱର – ୧ ଓ କଟକ ଷ୍ଟେସନ୍ ରେ ୧ଟି ସନ୍ଧାନୀ କୁକୁର ଟିମ୍ ର ମୋଟ୍ ୫ ୟୁନିଟ୍ ରହିବେ । ପୁରୀ ଷ୍ଟେସନ୍ ରେ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଅପରାଧିଙ୍କ ଗତିବିଧି ଓ ଯାତ୍ରୀଙ୍କ ସମସ୍ୟା ଉପରେ କଡ଼ା ନଜର ରଖାଯିବ । ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ପୁରୀରେ ୨ଟି ଫାଷ୍ଟଏଡ୍ ବୁଥ୍ ମଧ୍ୟରୁ ଗୋଟିଏ ଷ୍ଟେସନ ଅଂଚଳ ଏବଂ ଅନ୍ୟଟି ଯାତ୍ରା ଅଂଚଳରେ ରହିବ । ଡାକ୍ତର, ନର୍ସ, ପାରାମେଡିକାଲ୍ ଷ୍ଟାଫ୍, ୨୪ ଘଂଟିିଆ ସେବା ଯୋଗାଇବେ । ୨ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ । ଷ୍ଟେସନ୍ ସହିତ ସମସ୍ତ ସେବା କାର୍ଯ୍ୟରେ ନିୟୋଜିତ ଥିବା ସେଡ଼ରେ ୨୪ ଘଂଟିିଆ ବିଦ୍ୟୁତ୍ ବ୍ୟବସ୍ଥା ରହିବ । ଘୋଷଯାତ୍ରାର ମୋବାଇଲ୍ ଆପ୍ଲିକେସନରେ ରେଳବିଭାଗର ରଥଯାତ୍ରା ସ୍ପେଶାଲର ସମସ୍ତ ସୁବିଧା ଦେଖିପାରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧାରୋଡ଼ ଡିଭିଜନ୍ ର ଏଡିଆରଏମ୍ ରାଜକୁମାର, ସିନିଅର୍ ଡିସିଏମ୍ ପିକେ ସାମଲ, ସିନିଅର୍ ଡିଇଏନ୍ ଏସ୍.କେ. ପରିଡ଼ା, ସିନିଅର୍ ଡିଓଏମ୍ – ସାମ୍ମାସ ହମିଦ୍, ସିନିଅର୍ ଡିଏମଇ ଏନଆର୍ ସାହୁ, ସିନିଅର୍ ଡିଏସଟିଇ ଭୁପେଷ କୁମାର, ସିନିଅର୍ ଡିଏସଓ ଜି.ସି. ନାୟକ, ସିନିଅର୍ ଡିଇଏନ୍ ଆର୍.କେ. ସ୍ୱାଇଁ, ଡିଓଏମ୍ (କୋଚିଂ) ଅଖିଳେଶ ତ୍ରିପାଠୀ, ଡିସିଏମ୍ ଡି.ପି. ଜେନା, ଆସିଷ୍ଟାଂଟ ସିକ୍ୟୁରିଟି କମିଶନର୍ ବରୁଣ କୁମାର ବେହେରା ଏବଂ ଏସିଏମଏସ୍ ଡ଼ାକ୍ତର ପିକେ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର