ପାଟକୁରା,୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ଚଳିତ ବର୍ଷ ଦୁର୍ବଳ ମୌସୁମୀ ସାଙ୍ଗକୁ ବିଳମ୍ବରେ ପ୍ରସ୍ତୁତି କରାଯାଉଥିବା ତଳି ଘେରାରେ ପାଣିର ଅଭାବ ଦେଖାଦେଇଛି । ଅନେକ ସ୍ଥାନରେ ଚାଷୀମାନେ ତଳି ଘେରା ପ୍ରସ୍ତୁତି କରି ପାରି ନାହାଁନ୍ତି । ରାଜ୍ୟରେ ମୌସୁମୀ ପ୍ରବେଶ କରିବା ଦିନ ପାଟକୁରା ଅଂଚଳରେ ତୁହାକୁ ତୁହା ବର୍ଷା ହୋଇଥିଲା । ଏଇ ବର୍ଷା ଦେଖି ଚାଷୀ ମନରେ ଆନନ୍ଦ ପ୍ରକାଶ ପାଇଥିଲା ,ମାତ୍ର ତା’ପର ଦିନ ଠାରୁ ଟାଣ ଖରା ହେଉଥିବାରୁ ଚାଷୀ ମନରେ ତଳି ଘୋରା ପ୍ରସ୍ତୁତି କରିବାର ଆଶା ମଉଳି ଯିବାକୁ ବସିଛି । ଏପରିସ୍ଥଳେ ଅଂଚଳରେ ଥିବା ସମସ୍ତ ଉଠା-ଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ପାଇଁ ଚାଷୀମାନଙ୍କ ପକ୍ଷରୁ ଦାବି କରାଯାଇଛି । ଅପରପକ୍ଷରେ ଉଠା-ଜଳସେଚନ ବିଭାଗ ସୂତ୍ରରୁ ଜଣାଯାଇଛି ଯେ,ଚଳିତ ଖରିଫ୍ ରତୁରେ ଚାଷୀମାନଙ୍କୁ ଉଠା ଜଳସେଚନ ମାଧ୍ୟମରେ ଚାଷ ଜମିକୁ ଜଳ ଯୋଗାଣ କରାଯିବା ପାଇଁ ତ୍ୱରିତ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ମାର୍ଶାଘାଇ ବ୍ଲକ ଅଂଚଳରେ ମୋଟ ୧୮୧ ଗୋଟି ଉଠା- ଜଳସେଚନ ପ୍ରକଳ୍ପ ରହିଛି । ସେଥି ମଧ୍ୟରୁ ୪୨ ଗୋଟି ସେଚ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବରେ ଅଚଳ ପଡିଥିବାବେଳେ,୧୩୯ଗୋଟି ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି । ଯାହାକି ଏହି ସଚଳ ଅବସ୍ଥାରେ ରହି ଥିବା ସେଚ ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ କରାଗଲେ ଅଞ୍ଚଳର ମୋଟ ୩ହଜାର ୩୯୬ ହେକ୍ଟର ଜମି ଜଳସେଚିତ ହୋଇ ପାରିବାର ଲକ୍ଷ୍ୟ ରଖା ଯାଇଛି । ଗରଦପୁର ବ୍ଲକ ଅଂଚଳରେ ମୋଟ ୧୭୫ ଗୋଟି ସେଚ ପ୍ରକଳ୍ପ ରହିଛି ,ସେଥି ମଧ୍ୟରୁ ୫୫ ଗୋଟି ସେଚ ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି । ଅବଶିଷ୍ଟ ସଚଳ ଥିବା ୧୨୦ଗୋଟି ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଗଲେ ମୋଟ୨ହଜାର୨୨୦ହେକ୍ଟର ଜମି ଜଳସେଚିତ ହୋଇ ପାରିବାର ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ସେହିପରି ମହାକାଳପଡା ବ୍ଲକ ଅଂଚଳରେ ମୋଟ ୧୯୮ ଗୋଟି ସେଚ ପ୍ରକଳ୍ପ ରହିଥିବାବେଳେ,ସେଥି ମଧ୍ୟରୁ ୨୫ ଗୋଟି ସେଚ ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି । ସଚଳ ଅବସ୍ଥାରେ ରହିଥିବା ଅବଶିଷ୍ଟ୧୭୩ ଗୋଟି ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଗଲେ ମୋଟ ୪ହଜାର୨୮୯ ହେକ୍ଟର ଜମିରେ ଜଳ ସେଚିତ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ନାର୍ବାର୍ଡ ଆର୍ଥିକ ଅନୁଦାନରେ ଗ୍ରାମ ଭିତିଭୂମି ବିକାଶ ଯୋଜନାରେ ବଛରାଇ ଠାରେ ଦୁଇ ଗୋଟି ଉଠା-ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏହି ଦୁଇଟି ସେଚ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆସନ୍ତା ୩୦ ଦିନ ମଧ୍ୟରେ ସମ୍ପୁର୍ଣ୍ଣ କରାଯିବାର ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଦୁଇଗୋଟି ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୬୦ ହେକ୍ଟର ଜମିରେ ଜଳସେଚିତ ହୋଇପାରିବ ବୋଲି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ବିଭାଗୀୟ ରାଜ୍ୟ ଯୋଜନାର ଆର୍ଥିକ ଅନୁଦାନରେ ଗରଦପୁର ଠାରେ ମଧ୍ୟ ଅନ୍ୟ ଏକ ସେଚ ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି । ଯାହାକି ଆସନ୍ତା ମାସରେ ଏହାର ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ସହିତ ଏହି ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩୦ହେକ୍ଟର ଜମିରେ ଜଳ ସେଚିତ ହୋଇ ପାରିବ ବୋଲି ଉଠା ଜଳସେଚନ ବିଭାଗର ସହକାରୀ କନିଷ୍ଟ ଯନ୍ତ୍ରୀ ଇଂ ନିମାଇଁ ଚରଣ ସେଠୀ ଉଠା-ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅନୁଧ୍ୟାନ କରିବା ଅବସରରେ ପାଟକୁରା ଠାରେ ପ୍ରକାଶ କରିଛନ୍ତି । ମୌସୁମୀର ଲୁଚକାଳି ଖେଳକୁ ମୁକାବିଲା କରିବା ପାଇଁ ବିଭାଗୀୟ ଉଚ୍ଚଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା ସହିତ ଗୁରୁତ୍ୱ ଦେଇ ଅଚଳ ରହିଥିବା ସମସ୍ତ ଉଠା ଜଳସେଚନ ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଚାଷୀ ମହଲରୁ ଦାବି କରାଯାଇଛି । ଓଡ଼ିଶା ସମାଚାର