Tuesday , October 26 2021
Breaking News
Home / ବିଶେଷ / ବାପା ଫେରାର: ମାଆକୁ ଝୁରି ସିପୁନ କାନ୍ଦ ବନ୍ଦ ହେଉନି

ବାପା ଫେରାର: ମାଆକୁ ଝୁରି ସିପୁନ କାନ୍ଦ ବନ୍ଦ ହେଉନି

                             ବିଷ୍ଣୁପ୍ରିୟାକୁ ହତ୍ୟା ଅଭିଯୋଗ ଘଟଣା

ନିରାକାରପୁର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)- ମାଆ ମୃତ୍ୟୁପରେ ମାଆକୁ ହତ୍ୟା କରିବା ଅଭିଯୋଗରେ ଫସି ବାପା ଫେରାର ହୋଇ ଯିବା ପରେ ମାମୁଁ ଘରେ ରହିଥିବା ଦେଢବର୍ଷର ପୁଅ ସିପୁନ ମାଆକୁ ଝୁରି ଝୁରି କାନ୍ଦୁ ଥିବା ଦୃଶ୍ୟ ବଡ଼ ହୃଦୟ ବିଦାରକ । ତାର ବର୍ତମାନ ସବୁକିଛି ସାହା ଭରଷା ଅଜାଘର ପରିବାର ଲୋକେ । ମାଆ ମୃତ୍ୟୁକୁ ୧୦ ଦିନ ଅତିକ୍ରମ କରିଥିବାବେଳେ କେବଳ ମୃତ ବିଷ୍ଣୁପ୍ରିୟାଙ୍କର ଶାଶୁ,ଶଶୁର ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ମିଥୁନ ଓ ଅନ୍ୟ ୩ ଜଣ ଦିଅର ଏବେ ବି ଫେରାର ହୋଇ ଆତ୍ମ ଗୋପନ କରିଛନ୍ତି । ଏଣେ ସେହି ଦିନଠାରୁ ଶିଶୁପୁତ୍ର ସିପୁନର ଆଖିରୁ ଲୁହ ସୁଖୁନାହିଁ । ମାମୁଁ ଘର ଲୋକେ ଏଣୁତେଣୁ କଥା କହି ସିପୁନକୁ ବୁଝାଇବା ଛଡ଼ା ତାଙ୍କ ପାଖରେ ଅନ୍ୟ ଉପାୟ ଆଉ କିଛି ନାହିଁ । ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଝିଅଘର ଲୋକେ ଟାଙ୍ଗି ଥାନାରେ ବାରମ୍ବାର ଗୁହାରୀ ମଧ୍ୟ କରୁଛନ୍ତି । ସୂଚନାଯୋଗ୍ୟ କି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନନପଡ଼ା କାଂଚନ ରାଉତରାୟ ସ୍ୱାମୀ ସ୍ୱର୍ଗତ ଜଳନ୍ଧର ରାଉତରାୟଙ୍କ ଝିଅ ବିଷ୍ଣୁପ୍ରିୟା ରାଉତରାୟ (କୁନୁ)ଙ୍କର ଗତ ୨୦୧୫ ମସିହା ମାର୍ଚ୍ଚ ମାସ ୮ ତାରିଖ ଦିନ ଭୁଷଣ୍ଡପୁର ମା ଉଗ୍ରତାରାଙ୍କ ପୀଠରେ ବୈଦିକ ରୀତିନୀତିରେ ଟାଙ୍ଗୀ ଥାନା ସିଙ୍ଗରମା ଗ୍ରାମର ଅଭିମନ୍ୟୁ ଭୋଳଙ୍କ ଜ୍ୟଷ୍ଠୋପୁତ୍ର ମିଥୁନ ଭୋଳଙ୍କ ସହ ବିବାହ ହୋଇଥିଲା । ବିବାହ ଘର ସମୟରେ ଯୈାତୁକଭାବେ ଆସବାପତ୍ରଠାରୁ ଆରମ୍ଭ କରି ସୁନାଗହଣା ଓ ନଗଦ ଏକଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଆଜିକୁ ସେମାନଙ୍କର ବିବାହ ୪ବର୍ଷ ୩ ମାସ ହୋଇଥିବାବେଳେ ଏକ ଦେଢବର୍ଷର ଶିଶୁପୁତ୍ର ରହିଛି । ବାହାଘରର ଏକ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ସୁଖର ସଂସାର ଚାଲିଥିବାବେଳେ ପରେ ଅଧିକ ଯୈାତୁକ ଦାବୀ କରି ବିଭିନ୍ନ ସମୟରେ ଶଶୁର ଘର ଲୋକେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା କଥା ବିଷ୍ଣୁପ୍ରିୟା ବାପଘରକୁ ଜଣାଇଥାଏ । ପରେ ଝିଅଘର ଲୋକ ଯାଇ ଶଶୁର ଘର ଲୋକଙ୍କୁ ବୁଝାସୁଝା କରିବା ସହ ଆପୋଷ ମିଳାମିଶା କରାଇ ଆସୁଥିଲେ । ବାହାରେ କମ୍ପାନୀରେ କାର୍ଯ୍ୟରତ ସ୍ୱାମୀ ମିଥୁନ ରଜଯାତ୍ରାକୁ ଆସିଥିବାବେଳେ ଗତ ୧୭ ତାରିଖ ସକାଳ ୬ଟାବେଳେ ଝିଅ ବିଷ୍ଣୁପ୍ରିୟାଙ୍କ ଘରକୁ ଝିଅ ବିଷ ପିଇ ମୃତ୍ୟୁବରଣ କରିଥିବାର ଖବର ଫୋନରେ ଆସିଲା । ପରେ ଝିଅ ଘର ଲୋକେ ସିଙ୍ଗରମାରେ ପହଞ୍ଚିଲାବେଳକୁ ଦେଖିବାକୁ ପାଇଲେ ଝିଅ ମୃତ ଦେହ ଘର ଦାଣ୍ଡପିଣ୍ଢାରେ ପଡ଼ିଛି । ଘରେ ଶଶୁର ଅଭିମନ୍ୟୁ ଭୋଳ ଓ ଶାଶୁ ବାସନ୍ତୀ ଭୋଳ ରହିଥିବାବେଳେ ସ୍ୱାମୀ ମିଥୁନ ଓ ଅନ୍ୟ ୩ ଜଣ ଦିଅର ଫେରାର ହୋଇଯାଇଛନ୍ତି । ଝିଅ ଘର ଏହି ମୃତ୍ୟୁ ସଂପୂର୍ଣ୍ଣ ହତ୍ୟାକାଣ୍ଡ ବୋଲି କହି ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଟାଙ୍ଗୀ ପୋଲିସ ଉଭୟ ଶାଶୁ ଶଶୁରଙ୍କୁ ଗିରଫ କରିଥିବାବେଳେ ଝିଅର କିଛି ଆସବାପତ୍ର ଝିଅ ଘର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ମାଆକୁ ଖୋଜୁଥିବା ଦେଢବର୍ଷର ପୁଅ ସିପୁନ ବି ମାମୁଁଘରକୁ ଆସିଛି । ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ମିଥୁନ ଓ ତାର ୩ ଭାଇ ଅଦ୍ୟାବଧି ଫେରାର ରହିଛନ୍ତି । ସେମାନଙ୍କୁ ପୋଲିସ ଧରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାବେଳେ ଝିଅଘର ଲୋକେ ଅତିଶୀଘ୍ର ସେମାନଙ୍କୁ ଧରି କୋର୍ଟ ଚାଲାଣ କରିବାକୁ ଦାବି କରୁଛନ୍ତି । ଟାଙ୍ଗୀ ଥାନାରେ ଏହି ମାମଲାରେ ଆଇପିସି ୧୮୬୦ ଅଧିନିୟମରେ ୪୯୮ ଏ, ୩୦୪ , ୩୦୨ ,୩୪ ଓ ଯୈାତୁକ ନିରୋଧ ଆଇନ ୧୯୬୧ ଧାରା ୪ ଦଫା ଲାଗିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ବେହେରା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *