Sunday , October 24 2021
Breaking News
Home / ବିଶେଷ / ଜଗତସିଂହପୁରରେ ହେବ ପ୍ଲାଷ୍ଟିକ ପାର୍କ

ଜଗତସିଂହପୁରରେ ହେବ ପ୍ଲାଷ୍ଟିକ ପାର୍କ

ନୂଆଦିଲ୍ଲୀ, ୨୭/୦୬/୨୦୧୯ (ଓଡ଼ିଶା ସମାଚାର/ଏଜେନ୍ସି)-ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ୍ ପାର୍କ । ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ପ୍ରଦାନ କରି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଦେଶବ୍ୟାପୀ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି । ପ୍ରଥମ ଦଫାରେ ଆସାମର ତିନସୁକିଆ, ମଧ୍ୟପ୍ରଦେଶର ରାଇସେନ, ଓଡ଼ିଶାର ଜଗତସିଂହପୁର ଓ ତାମିଲନାଡୁର ଥିରୁଭଲ୍ଲୁରଠାରେ ୨୦୧୯-୨୦ ମଧ୍ୟରେ ଏହି ପାର୍କ ପ୍ରତିଷ୍ଠା କରାଯିବା ପାଇଁ ଅନୁମୋଦନ କରାଯାଇଛି ।
ଯୋଜନାର ଦ୍ୱିତୀୟ ଦଫାରେ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତରପ୍ରଦେଶ, ହରିୟାଣା, ଗୁଜରାଟ, ଛତିଶଗଡ଼, ପଞ୍ଜାବ, ପଶ୍ଚିମବଙ୍ଗ, ଉତରାଖଣ୍ଡ, ମଣିପୁର, ଜାମ୍ମୁ କାଶ୍ମୀର ଏବଂ ରାଜସ୍ଥାନରେ ଏହି ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଆବଶ୍ୟକ ଯୋଗ୍ୟତା ଏବଂ ଡିପିଆର୍ଏସ ସମାପ୍ତି ଆଧାରରେ ଝାଡ଼ଖଣ୍ଡର ଦେଓଗଡ଼ ଏବଂ ମଧ୍ୟପ୍ରଦେଶର ବିଲାଉଆଠାରେ ୨୦୧୮- ୧୯ରେ ଦୁଇଟି ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ପାଇଁ ଚୂଡାନ୍ତ ମଞ୍ଜୁର ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ପୁନଶ୍ଚ କହିଲେ ଯେ, ଯୋଜନାର ନିର୍ଦ୍ଦେଶାବଳୀ ଅନୁଯାୟୀ ସମ୍ପୃକ୍ତ ରାଜ୍ୟ ସରକାର ଏହାର କାର୍ଯ୍ୟକାରିତା ଏବଂ ଡିପିଆର୍ ସ୍ତରରେ ପରିବେଶ ଗତ ଅନୁମତି ସହ ସମସ୍ତ ବୈଧାନିକ ଅନୁମୋଦନ ଦାୟିତ୍ୱରେ ରହିବେ । ଏହି ଯୋଜନା ଫଳରେ ଅଭିନବ ପ୍ରକ୍ରିୟା ମାଧ୍ୟମରେ ବର୍ଜ୍ୟ ପରିଚାଳନା ଏବଂ ପୁନଃଚକ୍ରଣ ଆଦି କରାଯାଇ ପରିବେଶର ସ୍ଥାୟୀ ସୁରକ୍ଷା କରାଯାଇପାରିବ । ବର୍ଜ୍ୟ ପରିଚାଳନା ପାଇଁ ଉତ୍ପାଦନ ୟୁନିଟଗୁଡ଼ିକୁ ସହାୟତା ପ୍ରଦାନ ଲାଗି ଭିତିଭୂମି ପ୍ରତିଷ୍ଠା, ଯାନ୍ତ୍ରିକ ଉପକରଣ, ଅଣ-ଧ୍ୱଂସକାରକ ପଦାର୍ଥ ପରୀକ୍ଷଣ, ଉଷ୍ମାୟନ, ଗୋଦାମ ନିର୍ମାଣ, ପ୍ଲାଷ୍ଟିକ ଚକ୍ରୀକରଣ, ଡିଜାଇନ ପ୍ରସ୍ତୁତି, ଗବେଷଣା ଏବଂ ବିକାଶ ଲାଗି ଏହି ଯୋଜନାରେ ବ୍ୟବସ୍ଥା ରହିଥିବା ଶ୍ରୀ ଗୌଡ଼ା ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *