ଭୁବନେଶ୍ୱର, ୨୬/୦୬/୨୦୧୯ (ଓଡ଼ିଶା ସମାଚାର)- ପରିବାରର ଆର୍ଥିକ ଅନଟନ ବୋଝକୁ ସହିନପାରି ସିକନ୍ଦରାବାଦକୁ ଦାଦନ ଖଟିବାକୁ ବାହାରିଥିଲେ, ଝାରଖଣ୍ଡର ସାହେବଗଂଜ ଜିଲ୍ଲା ଅନ୍ତଃର୍ଗତ ଭାକୁଡି ଗ୍ରାମର ବାହାଦୁର ରକ୍ଷାସନ ନାମକ ଜଣେ ସାଧାରଣ ଚାଷୀ । ବାଟରେ ବିଶାଖାପାଟନମ୍ ଠାରେ ପାଣି ପିଇବା ପାଇଁ ଟ୍ରେନରୁ ଓହ୍ଲାଇଥିବା ବେଳେ ଦୁର୍ଭାଗ୍ୟ ବଶତଃ ଟ୍ରେନଟି ଛାଡି ଦେଇଥିଲା । ଘଟଣା କ୍ରମେ ସେ ଯାଇ ରହିଥିଲେ ବିଶାଖାପାଟନମ୍ର ସରକାରୀ ମାନସିକ ବିକାରଗ୍ରସ୍ତ ଚିକିତ୍ସାଳୟରେ । ଏଣେ ବାହାଦୁର ରକ୍ଷାସନର ସ୍ତ୍ରୀ ଓ ପାଂଚ ପିଲା ତାଙ୍କ ନିଖୋଜରେ ମର୍ମାହତ ହୋଇ ଦୁଃଖରେ ଭାଙ୍ଗି ପଡିଥିଲେ । ଘରର ଏକମାତ୍ର ରୋଜଗାରିଆ ମଣିଷର ଅନୁପସ୍ଥିତିରେ ଏମାନେ ଭୋକ ଉପାସରେ ଦିନ କାଟୁଥିଲେ । ସୈାଭାଗ୍ୟ ସେଇ ଚିକିତ୍ସାଳୟର କର୍ମଚାରୀ ଲୋକଟିର ହାବ ଭାବକୁ ଭଲଭାବରେ ଠଉରାଇ ତାର ମାନସିକ ଅବସ୍ଥା ଠିକ ଅଛି ଜାଣିଲା ପରେ ପ୍ରଥମେ ଝାରଖଣ୍ଡର ରାଜ୍ୟ ରେଡକ୍ରସ ଶାଖା ସହ ଯୋଗାଯୋଗ କରିଥିଲେ । କିନ୍ତୁ ଝାରଖଣ୍ଡ ରେଡକ୍ରସ ସେତେଟା ଏହି ସବୁ କାର୍ଯ୍ୟରେ ସକ୍ରିୟ ନଥିବାରୁ ସେ ପଡୋଶୀ ଓଡିଶା ରେଡକ୍ରସ ରାଜ୍ୟ ଶାଖା ସହ ଯୋଗାଯୋଗ କରିବାରୁ ଓଡିଶା ରେଡକ୍ରସ ରାଜ୍ୟ ଶାଖାର ଅବୈତନିକ ସଚିବ ମେଜର ଡଃ କଳ୍ପନା ଦାସ କେସ୍ ଟିକୁ ନିଜ ହାତକୁ ନେଇଥିଲେ ।
ଝାରଖଣ୍ଡର ନିକଟ ମଫସଲର ଭାକୁଡି ଗ୍ରାମରୁ ବାହାଦୁର ରକ୍ଷାସନର ସ୍ତ୍ରୀ ଓ ତାଙ୍କ ସାଥିମାନେ ଆସି ପ୍ରଥମେ ପହଂଚିଥିଲେ ଭୁବନେଶ୍ୱରରେ । ପରେ ପରେ ଆଉ ୨ଜଣ ରେଡକ୍ରସର କର୍ମଚାରୀ ତଥା ଜୁନିୟର ରେଡକ୍ରସ ଅଧିକାରୀ ଲଷ୍ମଣ ସ୍ୱାଇଁ ଓ ସଂଜୟ ପାତ୍ର ଏମାନଙ୍କୁ ନେଇ ବିଶାଖାପାଟଣା ଯାଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ଆଖି ଲୁହରେ ଛଳ ଛଳ ହୋଇଉଠିଥିଲା । ଶେଷରେ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଫ୍ୟାମିଲ ନିୟୁଜ ସର୍ଭିସ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପାରିବାର ମିଳନ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦିତ କରିଥିବାରୁ ଏହାକୁ ବିଭିନ୍ନ ମହଲରେ ଭୁୟସୀ ପ୍ରଶଂସା କରାଯାଇଛି । ଓଡିଶା ରେଡକ୍ରସ ରାଜ୍ୟ ଶାଖାର ସଭାପତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ଉପସ୍ଥିତିରେ ଏହି ମହାମିଳନ କାର୍ଯ୍ୟ ସଂପାଦିତ ହୋଇଥିବା ବେଳେ ନିଜ ଜନ୍ମ ମାଟିକୁ ଫେରୁଥିବାରୁ ନିଜ କୋହଭରା କଣ୍ଠରେ ରେଡକ୍ରସକୁ କୃତଜ୍ଞତା ଜଣାଇଥିଲା ବାହାଦୁର ରକ୍ଷାସନ ।
ରେଡକ୍ରସ ତରଫରୁ ଏକ ମୋବାଇଲ ଫୋନ, ଦଶ ହଜାର ଟଙ୍କାର ଚେକ୍ ସହ ଅନ୍ୟାନ୍ୟ ବସ୍ତ୍ର ,ରୋଷେଇ ସରଂଜାମ. ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟ ଏମାନଙ୍କୁ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର
