ସୋମବାର ବ୍ୟତୀତ ପ୍ରତ୍ୟେକ ଦିନ ପୂର୍ବାହ୍ଣ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଓ ଅପରାହ୍ଣ ୨ଟା ୩୦ରୁ ୪ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ
ଭୁବନେଶ୍ୱର, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘଟଣାବହୁଳ ଜୀବନ ଆଧାରିତ ଏକ ଫଟୋ ଗ୍ୟାଲେରୀ ‘ବିଜୁ ପଟ୍ଟନାୟକ ଫଟୋ ଗ୍ୟାଲେରୀ’ ଅଶୋକନଗରରେ ଉଦ୍ଘାଟିତ ହୋଇଯାଇଛି । ଏହି ଗ୍ୟାଲେରୀକୁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଉଦ୍ଘାଟନ କରିଛନ୍ତି । ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏହି ଗ୍ୟାଲେରୀକୁ ଲୋକାର୍ପଣ କରି ଏହା ବିଜୁ ବାବୁଙ୍କ ସ୍ୱପ୍ନ ଓ ସଂକଳ୍ପପୂର୍ଣ୍ଣ ଜୀବନ କାହାଣୀକୁ ସମକାଳ ଓ ଭବିଷ୍ୟତ ନାଗରିକମାନଙ୍କ ନିକଟରେ ଉପସ୍ଥାପିତ କରିବାରେ ସମର୍ଥ ହେବ ବୋଲି ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଏପରି ଗ୍ୟାଲେରୀ ପ୍ରବାଦପୁରୁଷଙ୍କ ପ୍ରତି ଅନ୍ୟତମ ଯଥାର୍ଥ ଶ୍ରଦ୍ଧାଞ୍ଜଳି ବୋଲି ମତ ଦେଇଥିଲେ । ଏହି ଗ୍ୟାଲେରୀରେ ବିଜୁବାବୁଙ୍କ ଘଟଣାବହୁଳ ଜୀବନର ଆଲେଖ ବହନ କରିଥିବା ଶତାଧିକ ବିରଳ ସ୍ମରଣୀୟ ଫଟୋଚିତ୍ର ସ୍ଥାନ ପାଇଛି । ଏହାବ୍ୟତୀତ ବିଜୁବାବୁ ତାଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାରେ ବ୍ୟବହାର କରୁଥିବା ଅନେକ ଉପକରଣ ଓ ସାମଗ୍ରୀ ମଧ୍ୟ ଗ୍ୟାଲେରୀରେ ସ୍ଥନ ପାଇଛି । ସେଗୁଡ଼ିକ ମଧ୍ୟରେ ରହିଛି କଲମ, ଘଂଟା, ଚଷମା, ହାତପୋଛା ତଉଲିଆ, ଚଉକି, ପାଣିଜଗ୍, ବହି, ପେପର୍ ୱେଟ୍ ଆଦି । ପ୍ରବାଦ ପୁରୁଷଙ୍କ ପବିତ୍ର ଚିତାଭସ୍ମ ମଧ୍ୟ ଗ୍ୟାଲେରୀରେ ରହିଛି । ସୋମବାର ବ୍ୟତୀତ ପ୍ରତ୍ୟେକ ଦିନ ପୂର୍ବାହ୍ଣ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଓ ଅପରାହ୍ଣ ୨ଟା ୩୦ରୁ ୪ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାୟକ ଦେବୀପ୍ରସାଦ ମିଶ୍ର, ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଇଷ୍ଟର୍ଣ୍ଣ ଏଜେନ୍ସିର ସତ୍ୱାଧିକାରୀ ବିଶିଷ୍ଟ ସାମ୍ବାଦିକ ଅନୀଲ ମିଶ୍ର ସ୍ୱାଗତଭାଷଣ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର