କଟକ,୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ଚୌଦ୍ୱାର ମଣ୍ଡଳ କାରାଗାରର ଜଣେ କଏଦୀର ମୃତ୍ୟୁଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହତ୍ୟାକାଣ୍ଡ ଅଭିଯୋଗରେ ଆଜୀବନ ସଜା କାଟୁଥିବା ଜଣେ କଏଦୀକୁ ଅନ୍ୟଜଣେ କଏଦୀ ଏକ କୋଦାଳରେ ଆକ୍ରମଣ କରିବା ଫଳରେ ତାର ମୃତ୍ୟୁ ଘଟିଛି । କାରାଗାରରେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ସାଙ୍ଗକୁ ଅପରାଧିଙ୍କ ରାଜ ଚାଲିଥିବାବେଳେ ଜେଲ କର୍ତୃପକ୍ଷ ଏହି ଘଟଣାକୁ ଅସ୍ୱୀକାର କରିଛନ୍ତି । ଏଭଳି ଘଟଣାରେ ମାର ମାର ଭଣ୍ଡାରିଆକୁ ନୀତିରେ କେବଳ ଜଣେ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କିନ୍ତୁ କଏଦୀଙ୍କ ସୁରକ୍ଷା ବ୍ୟବସ୍ଥା ଢ଼ିଲା ଓ ଶୃଙ୍ଖଳାରେ ଅବ୍ୟବସ୍ଥା ଥିଲେ ମଧ୍ୟ ଏ ନେଇ ଜେଲ କର୍ତୃପକ୍ଷ ଖସିଯାଉଛନ୍ତି । ତେଣୁ ଚୌଦ୍ୱାର ଜେଲରେ ଏଭଳି ଘଟଣାର ବାରମ୍ବାର ପୁନରାବୃତିି ହେଉଥିବାରୁ ରାଜ୍ୟସରକାର ନିରପେକ୍ଷ ତଦନ୍ତ କରି ଏଥିରେ ଦାୟୀ ଅଧିକାରୀ କିମ୍ବା ପଦାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଏଦୀଙ୍କ ପରିବାର ବର୍ଗ ଦାବି କରିଛନ୍ତି । ଏଥିସହ ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ ସାଧାରଣରେ ଦାବି ହୋଇଛି ।
କଟକ ଡିସିପି ଅଖିଳେଶ୍ୱର ସିଂହ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି । ଚୌଦ୍ୱାର ଜେଲ ଯାଇ ପୁଲିସ ସାକ୍ଷୀ ମାନଙ୍କ ବୟାନ ରେକର୍ଡ କରିବା ପରେ ଘଟଣାର ସମ୍ପୂର୍ଣ୍ଣ ଛାନଭିନ୍ କରାଯିବ । ତେବେ ପ୍ରାଥମିକସ୍ତରରେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି ଜେଲ ଏଡିଜି ମହେନ୍ଦ୍ର ପ୍ରତାପ । ପୁନଶ୍ଚ ରାଜ୍ୟର ସମସ୍ତ ଜେଲରେ ଥିବା ବିଚାରଧୀନ ଓ ସଜା କାଟୁଥିବା କଏଦୀଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖାଯିବ । ଏଥିପାଇଁ ଖୁବ ଶୀଘ୍ର ଆଡ୍ଭାଇଜରି ଜାରି କରାଯିବ ବୋଲି ସେ କହିଛନ୍ତି । ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ ଜେଲ ୱାର୍ଡର ବାସୁଦେବ ବାସ୍କେଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟଜଣେ ଜମାଦାର ରମାବଲ୍ଲଭ ମହାନ୍ତିଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ପୂର୍ବାହ୍ଣରେ ଚୌଦ୍ୱାର ସର୍କଲ ଜେଲରେ ଥିବା ବଗିଚାରେ ୪୨ଜଣ କଏଦୀ ଏକତ୍ର କାମ କରୁଥିଲେ । କୌଣସି କାରଣରୁ ଦୁଇ କଏଦୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ନିଜ ପତ୍ନୀଙ୍କୁ ହତ୍ୟାକରି ଆଜୀବନ କାରାଦଣ୍ଡ ଭୋଗୁଥିବା କଟକ ତୁଳସୀପୁର ଅଂଚଳର ରମେଶ ପ୍ରଧାନ ଏବଂ ହତ୍ୟାକାଣ୍ଡ ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଗତସିଂହପୁର ଜିଲ୍ଲା ସଢ଼େଇକଣା ଅଂଚଳର ଜଳଧର ସାମଲ ନାମକ ଅନ୍ୟଜଣେ କଏଦୀଙ୍କ ମଧ୍ୟରେ ବିବାଦକୁ କେନ୍ଦ୍ର କରି ବଚସା ଓ ଯୁକ୍ତିତର୍କ ସହ ମାର୍ପିଟ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଜଳଧର ଧରିଥିବା ଏକ କୋଦାଳ ଦ୍ୱାରା ରମେଶଙ୍କୁ ଆକ୍ରମଣ କରିଥିଲା । ରମେଶ ବେକରେ କୋଦାଳ ଚୋଟ ବାଜିବା ଯୋଗୁଁ ସେ ଲହୁ ଲୁହାଣ ହେବା ସହ ଚେତାଶୂନ୍ୟ ହୋଇ ପଡ଼ି ତଳେ ପଡ଼ିଯାଇଥିଲା । ତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲକୁ ଅଣାଯାଇଥିଲା । ମେଡ଼ିକାଲରେ ଚିକିତ୍ସାଧୀନ ଥିବାବେଳେ ରମେଶର ମୃତ୍ୟୁ ହୋଇଥିଲା । ଏ ସଂକ୍ରାନ୍ତରେ ଚୌଦ୍ୱାର ଥାନାରେ ଜେଲ ଅଧିକ୍ଷକ ରବୀନ୍ଦ୍ର ସ୍ୱାଇଁ ଦେଇଥିବା ଏତଲାରେ ଏହି ଅଭିଯୋଗ ଆଣିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତ ୫ବର୍ଷ ହେବ ଜେଲରେ ଏକ ହତ୍ୟାଘଟଣାରେ ସଜା କାଟୁଥିଲେ ରମେଶ ପ୍ରଧାନ । ସୋମବାର ସକାଳ ୯ଟା ସମୟରେ ରମେଶଙ୍କୁ ବଡ଼ମେଡିକାଲ ଅଣାଯାଇଥିବା ବିଷୟରେ ତାଙ୍କ ପରିବାର ଲୋକଙ୍କୁ ଜେଲ ପକ୍ଷରୁ ସୂଚନା ଦିଆଯାଇଥିଲା । ପରିବାର ଲୋକେ କଟକ ବଡ଼ ମେଡ଼ିକାଲର କାଜୁଆଲିଟିରେ ରମେଶଙ୍କ ବେକରେ ଗଭୀର ଆଘାତ ଏବଂ ମୁଣ୍ଡ ପଛରେ ରକ୍ତ ଲାଗିଥିବା ଦେଖିଥିଲେ । ତେଣୁ ଜେଲ ପରିସରରେ ତାଙ୍କୁ ଅତି ନୃସଂଶ ଭାବେ ହତ୍ୟା କରାଯାଇଥିବା ତାଙ୍କ ମା’ ଉତମା ପ୍ରଧାନ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ମୃତ କଏଦୀ ରମେଶ ଏବଂ ତାଙ୍କୁ ହତ୍ୟା କରିଥିବା ଜଳଧରଙ୍କ ମଧ୍ୟରେ ଯଦି ପୂର୍ବରୁ କୌଣସି ବିବାଦଥିଲା ତାହେଲେ ଜେଲ କର୍ତୃପକ୍ଷ କିମ୍ବା କର୍ମଚାରୀ ଜାଣିପାରିଲେ ନାହିଁ କେମିତି? ସଙ୍କଟାପନ୍ନ ଥିବା ରମେଶକୁ ମେଡ଼ିକାଲ ଆଣିବାରେ ବିଳମ୍ବ ହୋଇଥିବାର ମଧ୍ୟ ଅଭିଯୋଗ ଉଠୁଛି । ଯଦି ତାକୁ ତୁରନ୍ତ ମେଡ଼ିକାଲକୁ ଆଣିବାର ବ୍ୟବସ୍ଥା କରାଯାଇଥାନ୍ତା ହୁଏତ ରମେଶର ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି କୁହାଯାଉଛି । ତେଣୁ ଚୌଦ୍ୱାର ଜେଲରେ ଘଟିଥିବା ଏହି ନାରକୀୟ କାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ଉଠିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଚୌଦ୍ୱାର ଜେଲରେ ଏଭଳି ଘଟଣା ଘଟିବା ନୂଆ କଥା ନୁହେଁ । ଗତ ମାର୍ଚ୍ଚମାସରେ ସୁଧାଂଶୁ ଶେଖର ଦାସ ଓଫର ଟନି ନାମକ ଜଣେ କଏଦୀକୁ ଜେଲରେ ହତ୍ୟା କରାଯାଇଥିଲା । ପୁନଶ୍ଚ ଅନେକ ଥର ଚୌଦ୍ୱାର ଜେଲରେ ଚଢ଼ାଉ କରାଯାଇ ମାଦକ ଦ୍ରବ୍ୟ, ମୋବାଇଲ, ବ୍ଲେଡ଼ ଆଦି ଜବତ ହୋଇଛି । ଓଡ଼ିଶା ସମାଚାର