Friday , September 22 2023
Breaking News
Home / ବିଶେଷ / ଅଙ୍ଗନବାଡ଼ି କର୍ମଚାରୀ ସଂଘର ବିକ୍ଷୋଭ

ଅଙ୍ଗନବାଡ଼ି କର୍ମଚାରୀ ସଂଘର ବିକ୍ଷୋଭ

କଟକ,୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ଅଖିଳ ଭାରତୀୟ ଅଙ୍ଗନୱାଡି କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଉଛି । ଏହି କ୍ରମରେ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ କଟକ ଜିଲ୍ଲା ପକ୍ଷରୁ ସୋମବାର ଖାନନଗରସ୍ଥିତ କାଳୀମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅଙ୍ଗନୱାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଘୋଷଣା, ଯେପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ମାସିକ ୧୮ ହଜାର ଟଙ୍କା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ପ୍ରଦାନ, ସୁପରଭାଇଜର ପଦବୀରେ ବୟସ ସୀମା ହଟାଇବା, ସାମାଜିକ ସୁରକ୍ଷା ଯଥା ପ୍ରୋଭିଡେଂଟ ଫଣ୍ଡ, ଇଏସଆଇ, ଗ୍ରାଚ୍ୟୁଇଟି ପ୍ରଦାନ ଆଦି ଦାବି ପୂରଣ ପାଇଁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଗତ ଜାନୁଆରୀ ୧୨ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଫଳରେ ଅଙ୍ଗନୱାଡି କର୍ମଚାରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ମାସିକ ୧୫ ଶହ ଟଙ୍କା ଅକ୍ଟୋବର ୨ରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ, ଗ୍ରୀଷ୍ମ ଅବକାଶ ଛୁଟି ୧୫ ଦିନ, ଚାକିରି ବୟସ ସୀମା ୬୨କୁ ବୃଦ୍ଧି, ଅବସର ସମୟରେ ୨୦ ହଜାର ଟଙ୍କା ପ୍ରଦାନ, ରନ୍ଧନ ଗ୍ୟାସ୍ ଯୋଗାଣ, ସୁପରଭାଇଜର ପଦବୀରେ ୫୦ ପ୍ରତିଶତ ରାଜ୍ୟ ସରକାର ଘୋଷଣା କରିଥିବା ଦିନଠାରୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥ, ସମ୍ପାଦକ ଭାଗୀରଥି ବେହେରା, ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର, ଜିଲ୍ଲା ସଭାନେତ୍ରୀ ଗୀତାରାଣୀ ମହାନ୍ତି, ସମ୍ପାଦିକା ଜ୍ୟୋସ୍ôନାରାଣୀ ସିଂହ, ସ୍ୱର୍ଣ୍ଣଲତା ସାହୁ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *