ଭୁବନେଶ୍ୱର,୨୪/୦୬/୨୦୧୯ (ଓଡ଼ିଶା ସମାଚାର)-କମ୍ ପିଲାର ଆଳରେ ଓଡ଼ିଶାର ୯୬୬ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେବାର ନିଷ୍ପତି ସରକାର ନେଇଛନ୍ତି ଓ ଏହି ସ୍କୁଲ ଗୁଡ଼ିକ ଗ୍ରୀଷ୍ମ ଅବକାଶ ପରେ ଆଉ ଖୋଲିନାହିଁ । ଏହା ପୂର୍ବରୁ ଗତ ବର୍ଷ ଓ ତା’ ପୂର୍ବବର୍ଷ ମଧ୍ୟ ସହସ୍ରାଧିକ ବିଦ୍ୟାଳୟ ବନ୍ଦ କରି ସାରିଛନ୍ତି । ଏଥି ସହ କମ୍ ରେଜଲ୍ଟ ଆଳରେ ବହୁ ମାଧ୍ୟମିକ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେବା ପାଇଁ ଯୋଜନା କରୁଛନ୍ତି ଓ କେତେକ ବିଦ୍ୟାଳୟର ଶିକ୍ଷକମାନଙ୍କର ବାର୍ଷିକ ଦରମା ବୃଦ୍ଧିକୁ କାହିଁକି ବନ୍ଦ କରା ନଯିବ ସେଥିପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ବିଦ୍ୟାଳୟମାନଙ୍କରେ ଉପସ୍ଥାନ ଓ ପରୀକ୍ଷାଫଳ କମ୍ ହେବାର କାରଣକୁ ଖୋଜି, ଏହାର ନିରାକରଣ କରିବା ପରିବର୍ତେ, ସରକାର ମୁଣ୍ଡ ବିନ୍ଧୁଥିଲେ ମୁଣ୍ଡକୁ କାଟିଦେବା ଭଳି ନ୍ୟାୟରେ କାମ କରୁଛନ୍ତି । ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟରେ ମୁଖ୍ୟତଃ ଶିକ୍ଷକ ଅଭାବ, ଶିକ୍ଷକମାନଙ୍କୁ ପାଠ ପଢ଼ାଇବାର ଦାୟିତ୍ୱରୁ କ୍ରମଶଃ ହଟାଇ ନେଇ ବିଭିନ୍ନ ଅଣଶୈକ୍ଷିକ କାର୍ଯ୍ୟକ୍ରମ କରିବାକୁ ବାଧ୍ୟ କରିବା, ଶୈକ୍ଷିକ ବାତାବରଣର ଅଭାବ ଇତ୍ୟାଦି ବିଦ୍ୟାଳୟର ପରୀକ୍ଷା ଫଳ କମ୍ ହେବା ଓ ଛାତ୍ରସଂଖ୍ୟା କମିବାର ମୂଳ କାରଣ । ମାତ୍ର ସରକାର ଉପରୋକ୍ତ ସମସ୍ୟା ଗୁଡ଼ିକୁ ସମାଧାନ କରିବା ପରିବର୍ତେ, ସ୍କୁଲ ଗୁଡ଼ିକୁ ଭାଙ୍ଗିବାର ଯେଉଁ ଯୋଜନା ଗ୍ରହଣ କରୁଛନ୍ତି ଏହା ଅତ୍ୟନ୍ତ ମାରାତ୍ମକ ଓ ନିକଟ ଭବିଷ୍ୟତରେ ଏହି ପ୍ରକ୍ରିୟାରେ ସମସ୍ତ ସରକାରୀ ଓ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନ ଯେ ବନ୍ଦ ହେବ ଏଥିରେ ସନ୍ଦେହ ନାହିଁ ।
ଏହା ପଛରେ ସରକାରଙ୍କର ଏକ ଗଭୀର ଷଡ଼ଯନ୍ତ୍ର କାମ କରୁଛି । ଶିକ୍ଷା ବ୍ୟବସାୟୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ, ସୁଚତୁର ଉପାୟରେ ସରକାର, ସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ଭିତରୁ ପଙ୍ଗୁ କରିଦେଉଛନ୍ତି । ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରତି କିଭଳି ଛାତ୍ର ଓ ଅଭିଭାବକମାନେ ଆକୃଷ୍ଟ ହେବେ, ତା’ର ବାଟ ପରିଷ୍କାର କରୁଛନ୍ତି । ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣ ନୀତିର ଏହା ପରିଣାମ । ଏହି ନୀତି କ୍ରମାଗତ ଲାଗୁ ରହିଲେ, ନିକଟ ଅତୀତରେ ଶିକ୍ଷାର ସମ୍ପୂର୍ଣ୍ଣ ଘରୋଇକରଣ ହେବ ଓ ଯାହାର ଟଙ୍କା ଅଛି, ସେହିମାନେ କେବଳ ତାଙ୍କ ପିଲାମାନଙ୍କୁ ପାଠ ପଢ଼ାଇ ପାରିବେ । କୋଟି କୋଟି ଗରିବ ଘରର ପିଲା, ଶିକ୍ଷାଧିକାରରୁ ବଂଚିତ ହେବେ । ଏହା ସହ ଲକ୍ଷ ଲକ୍ଷ ସରକାରୀ ଶିକ୍ଷକ ପଦବୀ ଉଚ୍ଛେଦ ହେବା ଫଳରେ ସବୁଦିନ ପାଇଁ ତାଲିମ୍ପ୍ରାପ୍ତ ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କ ପାଇଁ ଚାକିରିର ସୁଯୋଗ ବନ୍ଦ ହୋଇଯିବ । ଏଥି ସହିତ ପାହାଡ଼ ଜଙ୍ଗଲଘେରା ଦୁର୍ଗମ ଅଂଚଳର ପିଲାମାନେ ଶିକ୍ଷାଲାଭର ସୁଯୋଗରୁ ସବୁଦିନ ପାଇଁ ବଞ୍ôଚତ ହେବେ । ସରକାରଙ୍କର ଏହିଭଳି ନିଷ୍ପତିକୁ ଡି.ଟି.ଓ ରାଜ୍ୟ ସଭାପତି ବିଭୂତି ଭୂଷଣ ନାୟକ ଓ ସମ୍ପାଦକ ନୃସିଂହ ଚରଣ ପଣ୍ଡା ଘୋର ନିନ୍ଦା କରିବା ସହ ଅବିଳମ୍ବେ ସ୍କୁଲଗୁଡ଼ିକୁ ବନ୍ଦ କରିବାର ପ୍ରକ୍ରିୟାରୁ ନିବୃତ ହେବାପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହା ସହ ବିଭିନ୍ନ ଶିକ୍ଷକ ସଙ୍ଗଠନ, ଛାତ୍ର ସଂଗଠନ ଓ ଅଭିଭାବକବୃନ୍ଦ, ସରକାରଙ୍କର ଏହି ଜନବିରୋଧୀ ନୀତି ବିରୁଦ୍ଧରେ ଶକ୍ତିଶାଳୀ ଆନ୍ଦୋଳନ ଗଢ଼ି ତୋଳିବାକୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର