Tuesday , October 26 2021
Breaking News
Home / ତାଜା ଖବର / ୧୦୩ କେଜି ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

୧୦୩ କେଜି ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ସମ୍ବଲପୁର,୨୪/୦୬/୨୦୧୯ (ଓଡ଼ିଶା ସମାଚାର)-ଗଞ୍ଜେଇ ଚାଲାଣ ରୋକିବା କ୍ଷେତ୍ରରେ ସମ୍ବଲପୁର ପୁଲିସକୁ ଏକ ବଡ଼ ସଫଳତା ମିଳିଛି । କୋରାପୁଟ ଜିଲ୍ଲାରୁ ଏକ ଜାଇଲୋ କାର୍ (ଓଆର୍-୦୫-ଏଏନ୍ ୨୨୨୨)ରେ ଦୁଇଟି ବସ୍ତାରେ ୧୦୩ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ରେଙ୍ଗାଲି ପୁଲିସ ହାତରେ ଧରାପଡ଼ିଛି । ପୁଲିସ ଏହି ମାମଲାରେ ଗାଡ଼ିର ଡ୍ରାଇଭର କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ଭିତରସୁବାଇ ଗ୍ରାମର ଗଙ୍ଗାଧର ପାଣ୍ଡବ (୨୮)କୁ ଗିରଫ କରିଛି । କୋରାପୁଟର କେଉଁ ସ୍ଥାନରୁ ଓ କେଉଁଠିକୁ ଉକ୍ତ ଗଞ୍ଜେଇ ଚାଲାଣ ହେଉଥିଲା ଓ ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ପୁଲିସ ଅଧିକ ତଦନ୍ତ କରୁଛି ବୋଲି ସଦର ଏସ୍ଡିପିଓ ଭବାନୀ ଶଙ୍କର ଉଦ୍ଗାତା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ରେଙ୍ଗାଲି ଥାନା ଆଇଆଇସି ସୁରୁବାବୁ ଛତ୍ରିଆ ଗଞ୍ଜେଇ ଚାଲାଣ ସମ୍ପର୍କରେ ସୂଚନା ପାଇଥିଲେ । ରେଙ୍ଗାଲି ଛକରେ ପୁଲିସ ଗାଡ଼ିକୁ ଛକି ବସିଥିବାବେଳେ ଏକ ଜାଇଲୋ କାର୍ ଦ୍ରୁତ ଗତିରେ ଝାରସୁଗୁଡା ଅଭିମୁଖେ ଯାଉଥିବା ଦେଖି ପିଛା କରିଥିଲେ । ପଛରେ ପୁଲିସ ଆସୁଥିବା ଦେଖି ଚାଳକ ଗଙ୍ଗାଧର କାର୍କୁ ଜଙ୍ଗଲ ନିକଟବର୍ତୀ ଗୁରୁପାଲିରେ ଅଟକାଇ ଗାଡ଼ିର ଚାବି ଜଙ୍ଗଲକୁ ଫିଙ୍ଗି ଫେରାର ହେବାକୁ ଉଦ୍ୟମ କରିଥିଲା । ତେବେ ପୁଲିସ ଦଳ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତଦନ୍ତ ବେଳେ ଗାଡ଼ିର ପଛପାଖରେ ଦୁଇଟି ବସ୍ତାରେ ୧୦୩ କେଜି ଗଞ୍ଜେଇ ଥିବା ପୁଲିସ ଦେଖିବାକୁ ପାଇଥିଲା । ପରେ ରେଙ୍ଗାଲି ସହକାରୀ ତହସିଲଦାର ପ୍ରଦୀପ କୁମାର ବେହେରାଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ ହୋଇଥିଲା । ସେହିପରି ଗିରଫ ଗଙ୍ଗଧର ଠାରୁ ୨୬୦୦ଟଙ୍କା ମଧ୍ୟ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଗାଡ଼ି ମାଲିକଙ୍କ ସମ୍ପୃକ୍ତି ରହିଛି ନା ନାହିଁ ସେ ନେଇ ତଦନ୍ତ ଚାଲିଛି ବୋଲି ଶ୍ରୀ ଉଦ୍ଗାତା କହିଛନ୍ତି । ଚଢ଼ଉରେ ଆଇଆଇସି ଶ୍ରୀ ଛତ୍ରିଆଙ୍କ ସହିତ ଏସ୍ଆଇ ସୁଦୀପ୍ତ ରାଉତରାୟ, ହାବିଲଦାର ସୁବାସ ଚନ୍ଦ୍ର ମାଝୀ, କନଷ୍ଟେବଲ ଫଗୁ ଓରାମ, ଓଏପିଏଫ୍ ହରିପାଲ ସିଂ, ଅକ୍ଷୟ ମହାପାତ୍ର, ସରୋଜ ଗୌଡ଼ ପ୍ରମୁଖ ସାମିଲ୍ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *