Wednesday , October 20 2021
Breaking News
Home / ସ୍ୱାସ୍ଥ୍ୟ / ସୁନେତ୍ର ଯୋଜନାରେ ନବଜାତକଙ୍କ ଜଟିଳ ଚକ୍ଷୁରୋଗ ଚିକିତ୍ସା

ସୁନେତ୍ର ଯୋଜନାରେ ନବଜାତକଙ୍କ ଜଟିଳ ଚକ୍ଷୁରୋଗ ଚିକିତ୍ସା

କ୍ୟାପିଟାଲ ହସ୍ପିଟାଲ ସମେତ ୫ ମେଡିକାଲ କଲେଜରେ ରେଟକ୍ୟାମ୍ ଓ ଲେଜର ଯନ୍ତ୍ର ଉପଲବ୍ଧ
ଭୁବନେଶ୍ୱର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ସମୟ ପୂର୍ବରୁ ଜନ୍ମ ହେଉଥିବା ଓ କମ ଓଜନର ଶିଶୁଙ୍କ ଚକ୍ଷୁର ଅନ୍ତଃପଟ୍ଟଳରେ ରକ୍ତବାହୀ ଶିରା ପ୍ରଶିରା ଗୁଡିକ ଅନେକ ସମୟରେ ଅସ୍ୱାଭାବିକ ଭାବେ ବଢିଥାଏ । ଠିକଣା ସମୟରେ ଏହାର ଚିକିତ୍ସା ନହେଲେ ଶିଶୁମାନଙ୍କ ବୟସ ବୃଦ୍ଧି ସହିତ ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ଥାଏ । ହେଲେ ଏଭଳି ଜଟିଳ ରୋଗର ଚିକିତ୍ସା ଏବେ ସରକାରୀ ଚିକିତ୍ସାଳୟରେ ବିନା ମୂଲ୍ୟରେ ଉପଲବ୍ଧ । ରାଜ୍ୟ ସରକାରଙ୍କ ସୁନେତ୍ର ଯୋଜନାରେ ଏହି ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ଓ ଅତି ସହଜରେ ହୋଇପାରୁଛି ।
ଜନ୍ମ ପରେ ଏସଏନସିୟୁରେ ରହୁଥିବା ପିଲାଙ୍କ ଚକ୍ଷୁର ଆରଓପି ସ୍କ୍ରିନିଂ କରାଯିବାପରେ ଏହି ରୋଗ ସଂକ୍ରାନ୍ତରେ ଚିକିତ୍ସକମାନେ ଜାଣିଥାନ୍ତି । ଏଥି ସହିତ ଆବଶ୍ୟକସ୍ଥଳେ ଅନ୍ୟ ଶିଶୁମାନଙ୍କର ମଧ୍ୟ ସ୍କ୍ରିନିଂ କରାଯାଇଥାଏ । ଏହି ପରୀକ୍ଷା ଲାଗି ପ୍ରାୟ ଦେଢ କୋଟି ଟଙ୍କା ମୂଲ୍ୟର ‘ରେଟ୍ କ୍ୟାମ୍’ ଓ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ‘ଲେଜର ଯନ୍ତ୍ର’ ଆବଶ୍ୟକ ହୋଇଥାଏ । ରେଟ୍କ୍ୟାମ୍ରେ ଶିଶୁଙ୍କ ଚକ୍ଷୁର ପରୀକ୍ଷାପରେ ଆବଶ୍ୟକସ୍ଥଳେ ସେମାନଙ୍କର ଲେଜର ଚିକିତ୍ସା କିମ୍ବା ଇଞ୍ଜେକସନ ଦେବାକୁ ପଡିଥାଏ । ରାଜ୍ୟ ସରକାର ଇତି ମଧ୍ୟରେ ସୁନେତ୍ର ଯୋଜନାରେ କ୍ୟାପିଟାଲ ହସ୍ପିଟାଲର ଏସଏନସିୟୁ ସମେତ ଏସସିବି ମେଡିକାଲ କଲେଜ, ଭିମସାର, ଏମକେସିଜି, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଏସଏନସିୟୁକୁ ଏହି ମୂଲ୍ୟବାନ ଯନ୍ତ୍ର ଯୋଗାଇ ଦେଇଛନ୍ତି ।
କ୍ୟାପିଟାଲ ହସ୍ପିଟାଲର ଏସଏନସିୟୁରେ ଶିଶୁ ବିଶେଷଜ୍ଞଙ୍କ ସହିତ ଦିଲ୍ଲୀ ଏମସରୁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଅଶ୍ୱିନୀ ମେହେର୍ଦ୍ଦା ଏବଂ ତାଙ୍କ ଟିମ ଏହି ଜଟିଳ ଚିକିତ୍ସା କରୁଛନ୍ତି । ଏଥିପାଇଁ ହସ୍ପିଟାଲର ଏସଏନସିୟୁ ନିକଟରେ ସ୍ୱତନ୍ତ୍ର ଭାବେ କୋଠରୀ ପ୍ରସ୍ତୁତ ହୋଇଛି । ବର୍ତର୍ମାନ ସୁଦ୍ଧା ଏଠାରେ ୧୮୬ ଶିଶୁଙ୍କ ଚକ୍ଷୁର ଆରଓପି ସ୍କ୍ରିନିଂ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ଜଣ ଶିଶୁଙ୍କ ଚକ୍ଷୁରେ ଲେଜର ଚିକିତ୍ସା ଓ ଆଉ ୬ଜଣଙ୍କୁ ଆଂଟି ଭେଜ ଇଞ୍ଜେକସନ ଦିଆଯାଇଛି । ଏହି ଇଞ୍ଜେକସନର ବଜାର ମୂଲ୍ୟ ୨୦ହଜାର ଟଙ୍କାରୁ ଅଧିକ ହୋଇଥିବାବେଳେ ରାଜ୍ୟ ସରକାର ସୁନେତ୍ର ଯୋଜନାରେ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଥିବା ଡାକ୍ତର ମେହେର୍ଦ୍ଦା କହିଛନ୍ତି ।
ଉଲ୍ଲେଖନୀୟ ଯେ ପୂର୍ବରୁ ସୁନେତ୍ର ଯୋଜନାରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟୟବହୁଳ ରେଟିନା ଅପରେସନ ଆରମ୍ଭ ହୋଇଛି । ଘରୋଇ ଡାକ୍ତରଖାନା ଗୁଡିକରେ ଏଥିପାଇଁ ରୋଗୀଙ୍କୁ ୫୦ରୁ ୬୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାବେଳେ ଏଠାରେ ଏହା ବିନାମୂଲ୍ୟରେ ହୋଇପାରୁଛି । ଏଥି ସହିତ ମଧୁମେହ ଆକ୍ରାନ୍ତ ରୋଗୀଙ୍କ ଚକ୍ଷୁରେ ଆବଶ୍ୟକ ପଡୁଥିବା ଦାମୀ ଇଞ୍ଜେକସନ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି । ଓଡ଼ିଶା ସମାଚାର

About admin

Check Also

ଗତକାଲି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୧୫ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା ୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଗତକାଲି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୧୫ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା …

Leave a Reply

Your email address will not be published. Required fields are marked *