Friday , September 29 2023
Breaking News
Home / ରାଜନୀତି / ବିଜେପିର ‘ସଦସ୍ୟତା ସଂଗ୍ରହ ଅଭିଯାନ’ ବୈଠକ

ବିଜେପିର ‘ସଦସ୍ୟତା ସଂଗ୍ରହ ଅଭିଯାନ’ ବୈଠକ

               ସଦସ୍ୟତା ଅଭିଯାନ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)-ବିଜେପିର ସଦସ୍ୟତା ଅଭିଯାନକୁ ସଠିକ୍ ଭାବରେ କ୍ରିୟାନ୍ୱିତ କରିବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସଦସ୍ୟତା ଅଭିଯାନକୁ ସର୍ବସ୍ପର୍ଶୀ ଏବଂ ସର୍ବସ୍ଥାନ ବ୍ୟାପୀ କରିବା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପ୍ରତି ୩ ବର୍ଷରେ ଥରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ହୋଇଥାଏ । ଏହି ସଦସ୍ୟତା ଅଭିଯାନ ଆସନ୍ତା ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ । ଉଭୟ ଅନଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ ବୋଲି ସଦସ୍ୟତା ଅଭିଯାନ ରାଜ୍ୟ ପ୍ରଭାରୀ ଅନନ୍ତ ନାୟକ ବୈଠକ ସମାପ୍ତ ପରେ ସୁଚନା ଦେଇ କହିଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ, ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଏବଂ ନୂତନ ସଦସ୍ୟ ସଂଗ୍ରହ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ରାଜ୍ୟରେ ଜାତି, ବର୍ଣ୍ଣ, ଅନୁସୂଚିତ ଜାତି/ଜନଜାତି, ମହିଳା,ଯୁବକ, ଛାତ୍ର, ଗରିବ, ମଧ୍ୟମ ବର୍ଗ ମଧ୍ୟରେ ସଦସ୍ୟତା ଅଭିଯାନକୁ କୌଣସି ଭେଦଭାବ ନରଖି ତୀବ୍ର କରାଯିବା ଉପରେ ଗୁରୁତ୍ୱ ଦିଆଯିବ । ସାଧାରଣ ଲୋକ ଅନଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରିପାରିବେ । ଏଥି ସହ ନିଜ ମୋବାଇଲ ନମ୍ବର ‘୮୯୮୦୮-୦୮୦୮୦’ ନମ୍ବରରେ ମିସ୍ କଲ୍ ଦେଇ ସଦସ୍ୟତା ଗ୍ରହଣ କରିପାରିବେ । ଯେଉଁଠାରେ ମୋବାଇଲ ସେବା ଉପଲବ୍ଧ ନାହିଁ ସେଠାରେ ବ୍ୟକ୍ତିଗତ ଭାବରେ ସଦସ୍ୟତା ଫର୍ମ ପୂରଣ କରି ସଦସ୍ୟତା ଗ୍ରହଣ କରାଯାଇପାରିବ । ଗୋଟିଏ ମୋବାଇଲ ନମ୍ବରରୁ ସର୍ବାଧିକ ୪ ଜଣ ସଦସ୍ୟତା ନେଇପାରିବେ । ସେହିପରି ପ୍ରଥମ ଥର ମତଦାତା ହୋଇଥିବା ବା ହେବାକୁ ଥିବା ଯୁବକ ଓ ଯୁବତୀମାନଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଦଳର ସଦସ୍ୟ ଭାବେ ସାମିଲ କରାଯିବ । ସରକାରୀ ଯୋଜନାର ଲାଭାର୍ଥୀ, ସ୍କୁଲ, କଲେଜ, ଛାତ୍ରାବାସ, ସହିଦଙ୍କ ପରିବାର ଏବଂ ବସ୍ତିରେ ବାସ କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ସଦସ୍ୟ କରିବା ପାଇଁ ପ୍ରାଥମିକତା ଦିଆଯିବ । ଏହି ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ଓ ରାଷ୍ଟ୍ରୀୟ ସଦସ୍ୟତା ସହ ପ୍ରଭାରୀ ସାଂସଦ ସୁରେଶ ପୂଜାରୀ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଜୁଏଲ ଓରାମଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *