Friday , September 29 2023
Breaking News
Home / ବିଶେଷ / ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ବନ୍ୟା ଓ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶନିବାର ଆୟୋଜିତ ଏହି ବୈଠକରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ନିରାକରଣ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇଛି । କମିଟିର ସଦସ୍ୟମାନେ ସେମାନଙ୍କର ସୁଚିନ୍ତିତ ପ୍ରସ୍ତାବ ସରକାରଙ୍କ ଆଗରେ ଉପସ୍ଥାପନ କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୮- ୧୯ରେ ରାଜ୍ୟ ତିତ୍ଲି ଓ ଫାନି ଭଳି ପ୍ରଳୟଙ୍କାରୀ ବାତ୍ୟାକୁ ସାମ୍ନା କରିଛି । ରାଜ୍ୟ ସରକାରଙ୍କର ସଫଳ ବିପର୍ଯ୍ୟୟ ପରିଚାଳନା ଯୋଗୁଁ ଓଡ଼ିଶାର ଧନଜୀବନକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇପାରିଛି । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ୱ ବ୍ୟାପୀ ପ୍ରଶଂସା ଗୋଟାଇଛି । ସଦ୍ୟ ପ୍ରକାଶିତ ପାଣିପାଗ ରିପୋର୍ଟ ଅନୁସାରେ ରାଜ୍ୟରେ ହେବାକୁ ଥିବା ବନ୍ୟାକୁ ସାମ୍ନା କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଏପରିକି ସରକାର ରାଜ୍ୟରେ ସୃଷ୍ଟି ହେବାକୁ ଥିବା ପ୍ରତିକୂଳାତ୍ମକ ମରୁଡ଼ି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଆବଶ୍ୟକ । ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ରାପିଡ ଆକ୍ସନ ଫୋର୍ସ ଓ ଅଗ୍ନିଶମ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସେ କହିଥିଲେ ଯେ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଭାବୀ ଖାଦ୍ୟ ସମସ୍ୟାକୁ ଦୂର କରିବା ପାଇଁ ସବୁପ୍ରକାର ପୂର୍ବ ପ୍ରସ୍ତୁତିର ଆବଶ୍ୟକତା ରହିଛି । ସେହିଭଳି ଗ୍ରାମ୍ୟ ଉନ୍ନୟନ, ଗୃହ ଓ ସହରାଂଚଳ ବିକାଶ ବିଭାଗକୁ ସମସ୍ତ ପରିସ୍ଥିତିରେ ଜଳଯୋଗାଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳର ନିର୍ମାଣ କରିବା ସହ ବନ୍ୟା ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟସେବା ଓ ଖାଦ୍ୟ ଯୋଗାଣକୁ ସୁଚାରୁ ରୂପେ ପରିଚାଳନା ପାଇଁ ଜିଲ୍ଲାପାଳମାନଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି । ଏହାବାଦ୍ ରାଜ୍ୟ ସରକାରଙ୍କର ସମସ୍ତ ବିଭାଗକୁ ଜରୁରିକାଳୀନ ପରିସ୍ଥିତିରେ ପୁନରୁଦ୍ଧାର କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିପର୍ଯ୍ୟୟ ପରିଚାଳନା କମିଟିର ସଦସ୍ୟମାନେ ନିଜର ମତାମତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ବୈଠକରେ ଯୋଗଦେଇ କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର କହିଥିଲେ ଯେ, ଓଡ଼ିଶାରେ ଲଗାତାର ପ୍ରକୃତିକ ବିପର୍ଯ୍ୟୟ ହେଉଛି । ତେଣୁ ଏହାର କ୍ଷତିକୁ ଭରଣା କରିବା କୌଣସି ରାଜ୍ୟ ସରକାରଙ୍କ ପକ୍ଷେ ସମ୍ଭବ ହେବନାହିଁ । କେନ୍ଦ୍ର ସରକାରଙ୍କଠାରୁ ଅଧିକ ସହାୟତାର ଆବଶ୍ୟକତା ରହିଛି । ସେପଟେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ନେଇ ନିଜର ମତାମତ ରଖିଥିଲେ । ଓଡ଼ିଶାରେ ପ୍ରତିବର୍ଷ ବନ୍ୟା, ବାତ୍ୟା ଓ ମରୁଡ଼ି ହୋଇଥାଏ । ତେବେ ନୂତନ ଜ୍ଞାନକୌଶଳ ଦ୍ୱାରା ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ତେବେ ଏନେଇ ବିପର୍ଯ୍ୟୟ କମିଟିର ବ୍ଲୁପ୍ରିଂଟ କେତେଦୂର ସହାୟକ ହେଉଛି ତାହା ଉପରେ ସମସ୍ତଙ୍କର ନଜର । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *