Thursday , September 28 2023
Home / ରାଜନୀତି / ବିଧିବଦ୍ଧ ଭାବେ ବିଜେପିରେ ମିଶିଲେ ଅଶ୍ୱିନୀ ବୈଷ୍ଣବ

ବିଧିବଦ୍ଧ ଭାବେ ବିଜେପିରେ ମିଶିଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ହେବାପରେ ଶନିବାର ବିଜେପିରେ ବିଧିବଦ୍ଧ ଭାବେ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି । ଶୁକ୍ରବାର ରାଜ୍ୟ ବିଜେପି ପକ୍ଷରୁ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବେଳେ ତାଙ୍କ ପ୍ରାର୍ଥୀତ୍ୱକୁ ବିଜେଡି ମଧ୍ୟ ସମର୍ଥନ କରିଥିଲା । ବିଜେପିରେ ଯୋଗ ଦେବା ପରେ ଅଶ୍ୱିନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଓଡ଼ିଶାର ପ୍ରଗତି ଓ ବିକାଶ ପାଇଁ ଯାହା ତାଙ୍କ ଦ୍ୱାରା ସମ୍ଭବପର ହେବ ତାହା ନିଶ୍ଚୟ କରିବେ ବାଲି ଅଶ୍ୱିନୀ କହିଛନ୍ତି । ଅଶ୍ୱିନୀ ବୈଷ୍ଣବ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଘୋଷଣା କରିବାର ପୂର୍ବରୁ ବିଜେପି ଅଶ୍ୱିନୀ ନିଜର ଦଳୀୟ ପ୍ରାର୍ଥୀ ବୋଲି ଟୁଇଟର୍ ମାଧ୍ୟମରେ ସୂଚନା ଦେଇଥିଲା । ଯାହାକୁ ନେଇ ଗଣମାଧ୍ୟମରେ ଜୋରଦାର ଆଲାଚନା ହେବା ପରେ ନବୀନ ପୁଣିଥରେ ସଫେଇ ଦେଇ କହିଥିଲେ ଯେ, ଶ୍ରୀ ବୈଷ୍ଣବ ବିଜେପି ପ୍ରାର୍ଥୀ ଓ ବିଜେଡି ତାଙ୍କୁ ସମର୍ଥନ କରିବ । ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଘୋଷଣା ପରେ ବିଜେଡି ଉଦ୍ଦେଶ୍ୟରେ ସାଧୁବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ସେ କହିଛନ୍ତି ରାଜ୍ୟସଭା ବିଲ ଅନୁମାଦନ କରିବା ସମୟରେ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି ହେଉଥିଲା । ବିଜେଡି ସମର୍ଥନ ପରେ ଏଥିରେ କିଛିଟା ସୁଧାର ଆସିବ । ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେବାକୁ ପଡ଼େ । ସମର୍ଥନ ପରେ ବର୍ତମାନ ବିଜେପି ଜନକଲ୍ୟାଣକାରୀ ପଦକ୍ଷେପ ନେବାରେ ସକ୍ଷମ ହୋଇପାରିବ । ଗଠନମୂଳକ ସହଯୋଗ ପାଇଁ ଭାରତୀୟ ଜନତା ପାର୍ଟି ସବୁବେଳେ ସମସ୍ତଙ୍କର ସହଯୋଗ ଲୋଡ଼ି ଆସିଛି । ବିଜେଡିକୁ ମଧ୍ୟ ସମର୍ଥନ ମଗାଯାଇଥିଲା, ସମର୍ଥନ ମିଳିଥିବାରୁ ବସନ୍ତ ବିଜେଡିର ନିଷ୍ପତିିକୁ ସ୍ୱାଗତ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *