Saturday , September 25 2021
Breaking News
Home / ସ୍ୱାସ୍ଥ୍ୟ / ମେଡିକାଲ କଲେଜରେ ରୋଗୀସେବା ସୁବ୍ୟବସ୍ଥିତ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ

ମେଡିକାଲ କଲେଜରେ ରୋଗୀସେବା ସୁବ୍ୟବସ୍ଥିତ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ

 ୭ମେଡିକାଲ କଲେଜର ଅଧକ୍ଷ ଓ ଅଧୀକ୍ଷକଙ୍କ ସହ ଆଲୋଚନା

ଭୁବନେଶ୍ୱର,୨୨/୦୬/୨୦୧୯ (ଓଡ଼ିଶା ସମାଚାର/ପ୍ରଭାକର ସାହୁ)- ମେଡିକାଲ କଲେଜ ଗୁଡିକରେ ରୋଗୀସେବାକୁ ସୁବ୍ୟବସ୍ଥିତ କରିବା ସହିତ ସରକାର ଯୋଗାଇ ଦେଇଥିବା ଯନ୍ତ୍ରପାତି ଗୁଡିକର ଅଧିକରୁ ଅଧିକ ସଦୁପଯୋଗ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟର ୭ଟି ମେଡିକାଲ କଲେଜର ଅଧ୍ୟକ୍ଷ ଓ ଅଧୀକ୍ଷକମାନଙ୍କ ସହିତ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ଦାସ ଏଭଳି ନିର୍ଦ୍ଦେଶ ଦେବା ସହିତ ସୁପରସ୍ପେଶିଆଲିଷ୍ଟ ବିଭାଗ ଗୁଡିକୁ ‘ସେଂଟର ଅଫ ଏକ୍ସିଲେନ୍ସି’ ରେ ପରିଣତ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ବିଶେଷକରି ହାର୍ଟ, କିଡନୀ, ଯକୃତ ଭଳି ବିଭାଗ ଗୁଡିକୁ ଏ କ୍ଷେତ୍ରରେ ଅଗ୍ରାଧିକାର ଦେବାଲାଗି କୁହାଯାଇଛି ।

ମେଡିକାଲ କଲେଜ ଗୁଡିକୁ ଯୋଗାଇ ଦିଆଯାଉଥିବା ଅତ୍ୟାଧୁନିକ ଯନ୍ତ୍ରପାତି ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱଆରୋପ କରିଛନ୍ତି । ସେହିଭଳି ପ୍ରତ୍ୟେକ ମେଡିକାଲ କଲେଜରେ ଥିବା ସମସ୍ତ ପ୍ରକାର ଯନ୍ତ୍ରପାତିର ଯେଭଳି ଉପଯୁକ୍ତ ରକ୍ଷଣାବେକ୍ଷଣ ହେବ ସେ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି । ମେଡିକାଲ କଲେଜ ଗୁଡିକରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ଭିତିଭୂମିର ବିକାଶ ଲାଗି କୁହାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ମାଧ୍ୟମରେ ରୋଗୀମାନେ ଯେଭଳି ଠିକଣା ସେବା ପାଇପାରିବେ ଓ ଆବଶ୍ୟକ ସ୍ଥଳେ ଅନ୍ୟ ଚିକିତ୍ସାଳୟକୁ ରୋଗୀଙ୍କୁ ରେଫର କରିବାରେ ଯେଭଳି ଆଦୌ ବିଳମ୍ବ ନଘଟେ ତାହା ଉପରେ ଦୃଷ୍ଟିଦେବାକୁ ମେଡିକାଲ କଲେଜ ଅଧୀକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ସ୍ପଷ୍ଟଭାବେ କୁହାଯାଇଛି । ମେଡିକାଲ କଲେଜଗୁଡିକରେ ଅଧିକାଂଶ ସମୟରେ ଡାକ୍ତରଙ୍କ ଠାରୁ ଆରମ୍ଭକରି ଅନ୍ୟାନ୍ୟ କର୍ମଚାରୀମାନେ ଅନୁପସ୍ଥିତ ରହୁଥିବାର ଅଭିଯୋଗ ଆସୁଥିବାରୁ ଏହାର ସମାଧାନ ଲାଗି ବାୟୋମେଟ୍ରିକ ଯନ୍ତ୍ର ଲଗାଇବା ସହିତ ନିୟମିତ ବ୍ୟବଧାନରେ ଏହାର ଯାଂଚକରି ପଦକ୍ଷେପ ନେବାକୁ କୁହାଯାଇଛି । ରାଜ୍ୟ ସରକାର ମେଡିକାଲ କଲେଜଗୁଡିକୁ ଯୋଗାଇ ଦେଉଥିବା ପାଣ୍ଠିର ଯେଭଳି ଠିକଣା ଭାବେ ବିନିଯୋଗ ହେବ ସେଥିପାଇଁ ପଦକ୍ଷେପ ନେବା ସହିତ ଗବେଷଣା ଉପରେ ଅଧିକ ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ସେହିଭଳି ମେଡିକାଲ କଲେଜଗୁଡିକରେ ଆର୍ଥିକ ପରିଚାଳନା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ କାର୍ଯ୍ୟ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ବିଭାଗର ଯୁଗ୍ମ ସଚିବ ୟାମିନୀ ଷଡଙ୍ଗୀ ଏବଂ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡାକ୍ତର ସୋନାମାଲି ବାଗଙ୍କ ସମେତ ୭ଟି ଯାକ ମେଡିକାଲ କଲେଜର ଅଧକ୍ଷ, ଅଧୀକ୍ଷକ, ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ – ୧୦୧ ଜଣ ଶିଶୁ ଆକ୍ରାନ୍ତ – ୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୨/୦୯/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *