ସମ୍ବଲପୁର,୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ଓଡ଼ିଶାରୁ ରାଜ୍ୟସଭା ପାଇଁ ହେବାକୁ ଯାଉଥିବା ଉପନିର୍ବାଚନରେ ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ମିଳିତ ପ୍ରାର୍ଥୀ କରିବାକୁ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ନିବେଦନ କରିଛି । ସମ୍ବଲପୁର ପ୍ରେସ୍ କ୍ଲବ୍ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ମୁଖ୍ୟ ଉପଦେଷ୍ଟା ନିହାଲ ସିଂ ଉପରୋକ୍ତ ମର୍ମରେ ପ୍ରସ୍ତାବ ରଖିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ ଡ. ହରିପାଲ ଜଣେ ନିର୍ବିବାଦୀୟ ବ୍ୟକ୍ତି । ସମ୍ବଲପୁରୀ ଲୋକସଂସ୍କୃତି ଓ ସଂଗୀତକୁ ବିଶ୍ୱ ଦରବାରରେ ପହଂଚାଇବାରେ ତାଙ୍କର ଅମୂଲ୍ୟ ଅବଦାନ ରହିଛି । ତାଙ୍କର ପ୍ରସିଦ୍ଧ ରଙ୍ଗବତୀ ଗୀତ କେବଳ ପଶ୍ଚିମ ଓଡ଼ିଶା ନୁହେଁ, ସାରା ଓଡ଼ିଶାକୁ ଦେଶବିଦେଶରେ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି । ତେଣୁ ତାଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଗଲେ ଏହା ତାଙ୍କ ଅବଦାନ ପ୍ରତି ଯଥାର୍ଥ ସ୍ୱୀକୃତି ହେବ । ଶ୍ରୀ ସିଂ ଆହୁରି ମଧ୍ୟ କହିଲେ ଯେ ବିଜେପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେଇଥିବାରୁ ଅଂଚଳରେ ଯେଉଁ କ୍ଷୋଭ ଓ ଅସନ୍ତୋଷ ସୃଷ୍ଟି ହୋଇଛି, ଡ. ହରିପାଲଙ୍କୁ ରାଜ୍ୟସଭା ପଠାଗଲେ ଏହି ଅସନ୍ତୋଷ ପ୍ରଶମିତ ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଆଶା କରୁଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଅଧ୍ୟକ୍ଷା ରୂପାଞ୍ଜଳି ରଣବିଡ଼ା ଓ ମହାସଚିବ ଶେଖ୍ ଇନ୍ତେଖାପ୍ ଉପସ୍ଥିତ ଥିଲେ । ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଏହି ପ୍ରସ୍ତାବ ନେଇ ଡ. ହରିପାଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଜଣେ କଳାକାର ଭାବରେ ଅଂଚଳର କଳା ଓ ସଂସ୍କୃତିକୁ ସମୃଦ୍ଧ କରିବାକୁ ସେ ଯଥାସାଧ୍ୟ ଚେଷ୍ଟା କରି ଆସିଛନ୍ତି । କଳା ସଂସ୍କୃତିର ପୂଜାରୀ ଭାବରେ ସେ ରାଜନୈତିକ ବାଦ ବିବାଦରୁ ଦୂରରେ ରହି ଆସିଛନ୍ତି । ତେଣୁ ଯଦି ତାଙ୍କୁ ସମସ୍ତ ରାଜନୈତିକ ଦଳ ରାଜ୍ୟସଭା ଉପନିର୍ବାଚନରେ ମିଳିତ ପ୍ରାର୍ଥୀ କରନ୍ତି ତାହାହେଲେ ଏଥିରେ ତାଙ୍କର କୌଣସି ଆପତିି ରହିବ ନାହିଁ ବୋଲି ଡ. ହରିପାଲ କହିଛନ୍ତି । ଓଡ଼ିଶା ସମାଚାର