Friday , September 29 2023
Breaking News
Home / ରାଜନୀତି / ଯନ୍ତ୍ରୀଙ୍କୁ ଉଠ୍ବସ୍ ମାମଲା : ବିଧାନସଭା ଆରମ୍ଭ ପୂର୍ବରୁ ବିଧାୟକଙ୍କୁ ଗିରଫ କରିବାକୁ ବିଜେପିର ଦାବି

ଯନ୍ତ୍ରୀଙ୍କୁ ଉଠ୍ବସ୍ ମାମଲା : ବିଧାନସଭା ଆରମ୍ଭ ପୂର୍ବରୁ ବିଧାୟକଙ୍କୁ ଗିରଫ କରିବାକୁ ବିଜେପିର ଦାବି

ଭୁବନେଶ୍ୱର,୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ସର୍ବସମ୍ମୁଖରେ ଜଣେ ସରକାରୀ ଯନ୍ତ୍ରୀଙ୍କୁ ରାଜରାସ୍ତାରେ ଉଠ୍ବସ୍ କରାଗଲା । ଏଥିରେ ସଂପୃକ୍ତ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ସିଧାସଳଖ ସଂପୃକ୍ତି ଥିବା ନେଇ ବଲାଙ୍ଗୀର ଜିଲ୍ଲାପାଳ ରିପୋର୍ଟ ପ୍ରଦାନ କରିସାରିଛନ୍ତି । ଖୋଦ୍ ବିଧାୟକ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍ ବସ୍ କରାଇଥିବା କଥା ମାନି ସାରିଛନ୍ତି । ମାତ୍ର ଘଟଣାକୁ ୧୪ ଦିନ ବିତିଥିଲେ ବି ପୋଲିସ ବିଧାୟକଙ୍କୁ ଗିରଫ କରିବା ବଦଳରେ ଚୁପ ବସିଛି । ବିଧାୟକଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି । ଗୁରୁବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ବିଧାୟକଙ୍କୁ ଗିରଫ କରାନଯିବା ପଛରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଛନ୍ନ ହାତ ରହିଥିବା ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ ହୋଇ ଏ ଘଟଣାକୁ ଗୁରୁତର ଭାବେ ନନେଇ ନବନିର୍ବାଚିତ ବିଧାୟକଙ୍କୁ ସୁରକ୍ଷା ଯୋଗାଉଛନ୍ତି । ଆଇନ ତା ବାଟରେ ଯିବ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ଆଜି ନିଜ ଦଳର ନବନିର୍ବାଚିତ ବିଧାୟକଙ୍କ ଦୋଷ ଘୋଡାଇ କାହିଁକି ଚୁପ ବସିଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଜଣେ ଆଦିବାସୀ ଯୁବକର ଅଧିକାର, ତାଙ୍କର ସମ୍ମାନକୁ ଗୋଇଠା ମାରିଥିବା ଜଣେ ବିଧାୟକଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଏତେ ଦରଦ କ’ଣ ପାଇଁ । ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରାଯାଉ ବୋଲି ଲେଖାଶ୍ରୀ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *