ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)-: ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ନିଜ ଅଭିଭାଷଣରେ ମହାନଦୀ ସଫେଇ ପ୍ରସଙ୍ଗ ଉଠାଇ ସମସ୍ତଙ୍କୁ ଚକିତ କରିଛନ୍ତି । ନମାମୀ ଗଙ୍ଗା ଯୋଜନା ଭଳି ମହାନଦୀ ସଫେଇ ପାଇଁ ପଦକ୍ଷେପ ନିଆଯିବ ବୋଲି ରାଷ୍ଟ୍ରପତି କହିଛନ୍ତି । ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । କେବଳ ମହାନଦୀ ନୁହଁ ଦେଶର ସମସ୍ତ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି । ସରକାର କର୍ଭି, ପେରିଆର, ଗୋଦାବରୀ ଓ ନର୍ମଦା ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ମହାନଦୀକୁ ସାମିଲ କରାଯାଇଥିବା ନେଇ ରାଷ୍ଟ୍ରପତି ସୂଚନା ଦେଇଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ନମାମୀ ଗଙ୍ଗା ଯୋଜନାରେ ଗଙ୍ଗା ନଦୀକୁ ଆବର୍ଜନା ମୁକ୍ତ କରିବାରେ ଅନେକ ସଫଳତା ହାସଲ କରିଛନ୍ତି । ଏନେଇ କେନ୍ଦ୍ର ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ୨୦୦୦ କୋଟି ଟଙ୍କା ଅର୍ଥ ବ୍ୟବସ୍ଥା କରାଯାଇଥିଲା । ସେହିଭଳି ଯୋଜନା କରାଯାଇ ଦେଶର ଅନ୍ୟ ନଦୀଗୁଡ଼ିକୁ ସଫା କରିବା ପାଇଁ ସରକାର ପଦକ୍ଷେପ ନେବେ । ଓଡ଼ିଶା ସମାଚାର