କେନ୍ଦ୍ରାପଡ଼ା, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ବିଭିନ୍ନ ଜାଗାରେ ନିର୍ମିତ ବେଆଇନ୍ ଇଟାଭାଟି ଉପରେ କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ ଗୁରୁବାର ଇଟାଭାଟି ଉପରେ ଚଢାଉକରି ଜୋରିମାନା ଆଦାୟ କରିବା ସହ ନିଆଁଲାଗିଥିବା ଇଟାଭାଟି ଗୁଡିକୁ ଅଗ୍ନିଶମ ବିଭାଗ ଦ୍ୱାରା ପାଣି ମାରି ଲିଭାଇଥିଲେ । ପ୍ରକାଶ ଯୋଗ୍ୟ ଯେ ଦୀର୍ଘଦିନ ହେଲା ବେଆଇନ୍ ଇଟାଭାଟି ହେବା ଦ୍ୱାରା ବାୟୁ ପ୍ରଦୂଷଣରେ ନିକଟସ୍ଥ ଗ୍ରାମବାସୀମାନେ ଅତିଷ୍ଟ ହୋଇ ପଡିଥିଲେ । ଏନେଇ ଅଭିଯୋଗ ହେବାପରେ ତହସିଲଦାର ଶ୍ରୀମତୀ ବାହାଲିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି । ତେବେ ସମଗ୍ର ଜିଲାରେ ବେଆଇନ୍ ଇଟାଭାଟି ଦ୍ୱାରା ବାୟୁ ପ୍ରଦୂଷଣରେ ନିକଟସ୍ଥ ଗ୍ରାମବାସୀମାନେ ଅତିଷ୍ଟ ହୋଇପଡ଼ୁଥିବାବେଳେ ରାଜସ୍ୱ ବିଭାଗର ରାଜସ୍ୱ ନିରୀକ୍ଷକ, ରାଜସ୍ୱ ସୁପରଭାଇଜର , ତହସିଲଦାରମାନେ ସେମାନଙ୍କ ଠାରୁ ଭଲ ଦିପଇସା ରିସପତ୍ ନେଇ ଚୁପ୍ ବସିଛନ୍ତି । ସମସ୍ତ ରାଜସ୍ୱ ସର୍କଲରେ ବେଆଇନ ଇଟାଭାଟି ଚାଲିଛି । ୧୦ ଲକ୍ଷ ଇଟା ପଡ଼ିଥିବାବେଳେ ୧ ଲକ୍ଷ ଇଟା ପଡ଼ିଥିବା ରେକର୍ଡ଼ ଦେଖାଇ ନାଁକୁ ମାତ୍ର ଜୋରିମାନା ଆଦାୟ କରି ବଡ଼ ପରିମାଣର ରାଜସ୍ୱ ସରକାରୀ ତହବିଲକୁ ନଯାଇ ସେମାନଙ୍କ ପକେଟ କୁ ଚାଲିଯାଉଥିବା ଅଭିଯୋଗ ହେଉଛି । ଜିଲାର ସମସ୍ତ ରାଜସ୍ୱ ସର୍କଲରେ ବେଆଇନ ଭାବେ ଇଟାଭାଟି ଚାଲିଛି । ଓଡ଼ିଶା ସମାଚାର