ସାଲେପୁର,୨୨/୦୬/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) – ସାଲେପୁରରେ ଡ୍ରେନେଜ୍ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇନଥିବାରୁ ବର୍ଷାଦିନେ ସାଲେପୁର ସହର ବର୍ଷା ପାଣିରେ ଉବୁଟୁବୁ ହେବାର ଆଶଙ୍କା ଉପୁଜିଛି । ଡ୍ରେନେଜ୍ ବିଭାଗ ପକ୍ଷରୁ ସାଲେପୁର କଂଟାସାହି ଠାରୁ ୟୁକୋ ବ୍ୟାଙ୍କ୍ ପର୍ଯ୍ୟନ୍ତ ଓ କଳାଗ୍ନୀ ଛକ ନିକଟରୁ ଫ୍ରେଣ୍ଡ୍ସ କଲୋନୀ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ମୁଖ୍ୟତଃ ସାଲେପୁର ବଜାରରେ ଡ୍ରେନେଜ୍ କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇନାହିଁ । ଫଳରେ ସାମାନ୍ୟ ବର୍ଷା ହେଲେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଲେଖା ପାଣି ଜମି ରହୁଛି । ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ସାଲେପୁର ସହରର ଏକମାତ୍ର ଖେଳପଡ଼ିଆ ଓ ଶିଶୁ ଉଦ୍ୟାନ ଦେଇ ଚାଷଜମିକୁ ବହୁ କଷ୍ଟରେ ଜଳ ନିଷ୍କାସିତ ହେଉଛି । ଏପରିକି ଲଗାଣ ବର୍ଷା ହେଲେ ଖେଳପଡ଼ିଆ ଓ ଶିଶୁ ଉଦ୍ୟାନ ପାଣି ଜମି କୃତିମ ହ୍ରଦର ପରିଚୟ ସୃଷ୍ଟି କରୁଛି । ଉକ୍ତ ମଧ୍ୟ ଦେଇ ରାସ୍ତା ବର୍ଷାପାଣିରେ ବୁଡ଼ି ରହୁଥିବାରୁ ଲୋକମାନଙ୍କ ଯାତାୟତରେ ବ୍ୟାଘାତ ସୃଷ୍ଟି କରୁଛି । ସେହିପରି କୁଆଁପାଳ ରାସ୍ତାର କୁଆଁପାଳ ଛକଠାରୁ ବେଙ୍ଗସାହୁ କଲୋନୀ ପର୍ଯ୍ୟନ୍ତ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଲଗାଣ ବର୍ଷା ହେଲେ ଚନ୍ଦ୍ରାଦେଇପୁର ସ୍କୁଲ ଓ ସାଲେପୁର ହାଟ ନିକଟରେ ରାସ୍ତା ଉପରେ ଅଂଟାଏ ଲେଖାଁ ପାଣି ଜମି ରହୁଥିବାରୁ କୁଆଁପାଳ-ସାଲେପୁର ରାସ୍ତାରେ ଯାତାୟତ କରିବାରେ ବ୍ୟାଘାତ ସୃଷ୍ଟି ହେଉଛି । ଏ ସଂପର୍କରେ ସ୍ଥାନୀୟ ଜନସାଧାରଣ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅବଗତ କରାଇଆସୁଥିଲେ ମଧ୍ୟ ଏ ଦିଗରେ କେହି କର୍ଣ୍ଣପାତ କରୁନାହାଁନ୍ତି । ଆଉ ଦୁଇଦିନ ମଧ୍ୟରେ ମୌସୁମୀ ଆସି ପହଂଚିବାର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲାବେଳେ ଅଦ୍ୟାବଧି ସାଲେପୁର ସହରରୁ ଜଳ ନିଷ୍କାସନ କରିବାପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ । ସେହିପରି ୪ଟି ନିର୍ବାଚନମଣ୍ଡଳୀର କ୍ରୀଡ଼ାବିତ୍ମାନଙ୍କ ପାଇଁ ସାଲେପୁର ଖେଳପଡ଼ିଆ ଏକମାତ୍ର ଅଭ୍ୟାସର କେନ୍ଦ୍ରବିନ୍ଦୁ ହୋଇଥିବାବେଳେ ଏହି ଖେଳପଡ଼ିଆରୁ ବର୍ଷା ପାଣି ନିଷ୍କାସନ କରିବାପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଲଗାଣ ବର୍ଷା ହେଲେ ବଜାର ପାଣି ସମେତ ଆଖପାଖ ଅଂଚଳର ବର୍ଷା ପାଣି ଏହିଠାରେ ୭/୮ଦିନ ଧରି ଜମି ରହୁଥିବାରୁ ଏହି ଖେଳପଡ଼ିଆରେ ଖେଳାଳୀମାନେ ଖେଳ ଅଭ୍ୟାସ କରିବାକୁ ସକ୍ଷମ ହୋଇପାରୁନାହାଁନ୍ତି । ସେହିପରି ସହରାଂଚଳ ଠାରୁ ଗ୍ରାମାଂଚଳର ଅବସ୍ଥା ଅଧିକ ଶୋଚନୀୟ । ଏବେ କେତେକ ଲୋକେ ଗ୍ରାମାଂଚଳର ଚାଷଜମିକୁ କ୍ରୟ କରି ସେଠାରେ ଘର ନିର୍ମାଣ କରିବା ସହ ଚାଷଜମିକୁ ଜଳସେଚନ ପାଇଁ ପୂର୍ବରୁ ଥିବା କାଡ଼ା କେନାଲଗୁଡିକୁ ପୋତି ପକାଇ ରାସ୍ତା ନିର୍ମାଣ କରୁଥିବାରୁ ବର୍ଷାଦିନେ ବର୍ଷା ପାଣି ବିଭିନ୍ନ ଗ୍ରାମରୁ ନିଷ୍କାସିତ ହୋଇନପାରି ଜମି ରହୁଛି । ଫଳରେ ଏହି ଅଂଚଳରେ ଥିବା କଚାଘର ଗୁଡିକର ମାଟିକାନ୍ଥ ପଡିଯାଉଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଏହାର ସ୍ଥାୟୀ ପ୍ରତିକାର ଗ୍ରହଣ କରିବାପାଇଁ ଏହି ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ଓଡ଼ିଶା ସମାଚାର