ପାଟକୁରା, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମାଣ କରାଯାଇଥିବା ରାସ୍ତାରେ ଅନିୟମିତତା ହୋଇଥିବାର ସ୍ଥାନିୟ ଅଂଚରୁ ଅଭିଯୋଗ ହୋଇଛି । ରାସ୍ତା ନିର୍ମାଣର ଦୁଇ ମାସ ପରେ ଦୁଇଟି ସ୍ଥାନରେ ଢଳେଇ ଫାଟିଯାଇଥିବାର ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ, କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ନଛିପଡା-ପାଇଲୋ ୬କି.ମି.ରାସ୍ତାକୁ ୨କୋଟି ୭୮ ଲକ୍ଷ ୯୯ ଜହାର ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭଗରେ ସାମିଲ କରାଯାଇ ୨୦୧୮ମଇ ମାସ୧୬ ତାରିଖ ଠାରୁ କାର୍ଯ୍ୟ ଆରମ୍ଭ କରାଯାଇ ୨୦୧୯ ମଇ ମାସ୧୫ ତାରିଖ ଦିନ କାର୍ଯ୍ୟ ଶେଷ ହେବା ନେଇ ବିଭାଗୀୟ ପକ୍ଷରୁ ନିର୍ଦ୍ଦେଶ ରହିଛି । ମାତ୍ର ଆଜି ପର୍ଯ୍ୟନ୍ତ ଏହି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନ ଥିବାର ଜଣାଯାଇଛି । ଏହି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସ୍ଥାନିୟ ରାମଚନ୍ଦ୍ରପୁର, ପେଗଡପଡା, ନଛିପଡା,ମଙ୍ଗରାଜପୁର, ବୁଢାପଡା, ମନ୍ତେଇ, ଅନ୍ତେଇ,ପାଇଲୋ ଆଦି ଗ୍ରାମଗୁଡିକର ଲୋକମାନେ ଉପକୃତ ହେବା ସହିତ ଏହି ରାସ୍ତା ମଧ୍ୟ ଦେଇ ଅନ୍ତେଇ ଠାରେ ଥିବା କଲେଜ, ପାଇଲୋ ଠାରେ ଡାକ୍ତର ଖାନା,ଅନ୍ତେଇଠାରେ ଥିବା ମିନି ବ୍ୟାଙ୍କ ଆଦିକୁ ଦୈନିକ ବହୁ ସଂଖ୍ୟକ ଲୋକମାନେ ସହଜରେ ଯାତାୟତ କରିପାରିବେ । ପାଇଲୋ ଠାରୁ ନଛିପଡା ପର୍ଯ୍ୟନ୍ତ ଏହି ରାସ୍ତାରେ ଥିବା ପିଚୁ ଓ ଢଳେଇ କାର୍ଯ୍ୟ ଶେଷ ହୋଇଛି । ନଛିପଡା ଛକର ୫୦ ମିଟର ମଧ୍ୟରେ ବର୍ଷା ପାଣି ଯାତାୟତ କରିବା ପାଇଁ ଏକ ପୁରୁଣା କଲ୍ଭର୍ଟ ରହିଥିଲା । ମାତ୍ର ଏଠାରେ କଲଭର୍ଟ ନିର୍ମାଣ କରାଯାଇ ନ ଥିବାରୁ ବର୍ଷା ଦିନରେ ଉଦ୍ବୃତ ବର୍ଷା ଜଳ ନିଷ୍କାସିତ ହେବାରେ ସମସ୍ୟା ଦେଖାଦେବ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ନଛିପଡା ଛକ ସ୍ଥାନକୁ ପୁନରୁଦ୍ଧାର କରାଯିବା କଥା,ଏହି ଛକସ୍ଥାନକୁ ପୁନରୁଦ୍ଧାର କରାଯାଇ ନ ଥିବାରୁ ଯାନବହାନ ଯାତାୟତ କରିବା ବେଳେ,ଏଠାରେ ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ରହିଛି । ଏହି ଛକ ସ୍ଥାନର ପାଶ୍ୱର୍ରେ ଏକ ଚାଳି ଦୋକାନ ଘର ରହିଥିବାରୁ ଛକ ସ୍ଥାନ ସଂପ୍ରସାରଣ କରାଯାଇ ପାରୁ ନ ଥିବାର ଜଣାଯାଇଛି । ରାସ୍ତାର ମଝିରେ ଥିବା କେତକ ସ୍ଥାନରେ ପିଚୁ କରାଯାଇ ନାହିଁ । ପାଇଲୋ ଗ୍ରାମର କୁଞ୍ଜବିହାରୀ ସ୍ୱାଇଁ ଓ ବିଜୟ ସ୍ୱାଇଁଙ୍କ ଘର ନିକଟରେ କରାଯାଇଥିବା ଢଳେଇ ରାସ୍ତାର ପାଶ୍ୱର୍ରେ ଢଳେଇ ରାସ୍ତା ଫାଟିଯାଇଛି । ରାସ୍ତା ଫାଟି ଥିବା ଗୋଟିଏ ସ୍ଥାନ ଉପରେ ମାଟି ଗଦା ହୋଇଥିବାର ଦେଖିବାକୁ ମିଳିଛି । ମନ୍ତେଇ ଗ୍ରାମର ଦଣ୍ଡା ନିକଟରେ ମଧ୍ୟ ସମାନ ଅବସ୍ଥା ଥିବାର ଅଭିଯୋଗ ହେଉଛି । ନଛିପଡା ଛକ ଠାରୁ କୁଞ୍ଜବନପୁର ପର୍ଯ୍ୟନ୍ତ କରାଯାଇଥିବା ରାସ୍ତାର ସବ୍-ବେସ୍ ନିର୍ମାଣ କରାଯାଇ ନାହିଁ । ରାସ୍ତା ମଝିରେ ୧୦୦ମିଟର ପିଚୁ କାର୍ଯ୍ୟ କରାଯାଇ ନାହିଁ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ରାସ୍ତା ନିର୍ମାଣ ସମୟରେ ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରିବା ପାଇଁ ବିଭିନ୍ନ ସମୟରେ ଆସୁଥିବା ଉଚ୍ଚ ପଦସ୍ଥ ଇଂଜିନିୟରମାନେ କି ପ୍ରକାର ତଦନ୍ତ କରିଛନ୍ତି ବୋଲି ସାଧାରଣ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି । ଅସମ୍ପୂର୍ଣ୍ଣ ରହିଥିବା ଏହି ରାସ୍ତା ନିର୍ମାଣ କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରାଯିବାକୁ ସ୍ଥାନିୟ ରାମଚନ୍ଦ୍ରପୁର ଗ୍ରାମର କୁମରବର ଦାସ,ନଛିପଡା ଗ୍ରାମର ଗୌରାଙ୍ଗ ଚରଣ ଗୋଛାୟତ, ଅନ୍ତେଇ ଗ୍ରାମର ଉଦୟନାଥ ଚୌଧୁରୀ, ନଛିପଡା ଗ୍ରାମର ଅଭୟ କୁମାର ନାୟକ ଓ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ଠାରେ ଦାବି ଜଣାଇଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କର ସନ୍ତୋଷ ଜନକ ଉତର ମିଳି ପାରି ନାହିଁ । ଓଡ଼ିଶା ସମାଚାର
Home / ବିଶେଷ / ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଅନିୟମିତତା , ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ପାଇଁ ଦାବି