କେନ୍ଦ୍ରାପଡ଼ା, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)-୨୦୧୯-୨୦ ବହୁ ଚର୍ଚ୍ଚିତ ସୟଦ୍ ଉସ୍ମାନ୍ ଅଲ୍ଲି ଓରଫ୍ ଟିଟୋର କଳା ସାମ୍ରାଜ୍ୟ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଥିବା କ୍ରାଇମ୍ ବ୍ରାଂଚର ଏସ୍ଟିଏଫ୍ ଟିମ୍ ଗୁରୁବାର ଟିଟୋର ଭାଇ ଜି. ବାବୁ ଓରଫ୍ ସୟଦ୍ ଆସଫାକ୍ ଅଲ୍ଲୀ ଚିତୋ ଓରଫ ସୟଦ୍ ଇଫତେଖାର୍ ଅଲ୍ଲି ଓ ଷଡୁ ମୁନା ଓରଫ ଅମଜାଦ୍ ଖାଁଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ୨୦୧୮ ମସିହା ଜୁଲାଇ ମାସରେ ଟିଟୋର ଘର ସମେତ ବ୍ୟବସାୟ ପ୍ରତିଷ୍ଠାନ, ପେଟ୍ରୋଲ୍ ପମ୍ପ ପ୍ରଭୃତି ଉପରେ ଏସ୍ଟିଏଫ୍ ଚଢାଉ କରିବା ସହ ଟିଟୋକୁ ଏନ୍କାଉଂଟର କରି ଗିରଫ କରିଥିଲା । ଦୀର୍ଘଦିନ ବ୍ୟବଧାନରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲାରପୁର ସ୍ଥିତ ବାସଭବନ ଉପରେ ଚଢାଉ କରି ଟିଟୋର ଦୁଇ ଭାଇ ଓ ଷଡୁଙ୍କୁ ଗିରଫ କରି ନିଜ କବ୍ଜାକୁ ନେଇଥିଲା । ଗୁରୁବାର ଅପରାହ୍ନରେ ସେହି ତିନି ଜଣଙ୍କୁ କେନ୍ଦ୍ରାପଡା କୋର୍ଟରେ ହାଜର କରାଇଥିବା ଜଣାପଡିଛି । ଟିଟୋର ଆର୍ଥିକ ସାମ୍ରାଜ୍ୟର ମୂଳ ଖୋଳୁଥିବା ଏସ୍ଟିଏଫ୍ର ଏକ ୧୫ ଜଣିଆ ଟିମ୍ ଏହି ଚଢାଉରେ ସାମିଲ୍ ଥିଲେ । ସୂଚନା ମୁତାବକ ୫ ନମ୍ବର (କ) ଜାତୀୟ ରାଜପଥର ସଦରଥାନା ଅଧିନ ଶାମଗୁଡିଆରେ ଥିବା ଏକ ୩୬ ଗୁଣ୍ଠ ଜମି ଜୋର ଜବରଦସ୍ତ ହାତେଇବା ପାଇଁ ଅଭିଯୁକ୍ତମାନେ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । କୁଜଙ୍ଗ ଫତେପୁର ଗ୍ରାମର ଗେ।।ବିନ୍ଦ ଚନ୍ଦ୍ର ମହାନ୍ତି ଏ ନେଇ ଅଭିଯୋଗ କରିଥିଲେ । ଏହି ମାମଲାରେ ସୟଦ୍ ଉସ୍ମାନ୍ ଅଲ୍ଲି ଓରଫ ଟିଟୋ, କମଳାକାନ୍ତ ଚଇନି, ସୟଦ୍ ଅଲ୍ଲି ଓ ଶୁଭେନ୍ଦୁ ପତ୍ରି ପ୍ରମୁଖ ପୂର୍ବରୁ ଗିରଫ ହୋଇଥିବାବେଳେ ଟିଟୋଙ୍କୁ ଛାଡି ଅନ୍ୟ ୩ ଜଣ ଜାମିନ୍ରେ ଆସିଥିଲେ । ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଚିତୋ ଓରଫ ସୟଦ୍ ଇଫତେଖାର୍ ଅଲ୍ଲୀ, ଜି ବାବୁ ସୟଦ୍ ଆସ୍୍ଫାକ୍ ଅଲ୍ଲି ସଡୁ ମୁନା ଓରଫ୍ ଅମଜାଦ୍ ଖାଁ ପ୍ରମୁଖ ଅଭିଯୁକ୍ତ ଥାଇ ଦୀର୍ଘର୍ଦିନରୁ ଫେରାର୍ ଥିବା ପୋଲିସ ସୁତ୍ରରୁ ଜଣାପଡିଥିଲା । ତେବେ ଏହି ଅଭିଯୁକ୍ତ ମାନଙ୍କ ନାମରେ କୋର୍ଟ କେଶ୍ ନମ୍ବର – ୮୮୪/୧୮ ଓ ଏସ୍ଟିଏଫ୍ କେଶ୍ ନମ୍ବର- ୧୦/ ୧୮ରେ ଦଫା ୪୪୭, ୫୦୬, ୧୨୦ ବି, ୩୪ ଆଇପିସି, ୨୫, ୨୭ ଆର୍ମସ୍ ଆକ୍ଟ ଆଧାରରେ ମାମଲା ଚାଲିଛି । ଅଭିଯୁକ୍ତ ମାନଙ୍କୁ ଗୁରୁବାର ମାନ୍ୟବର ଏସ୍ଡିଜେଏମ୍ ଦିଗବିଜୟ ଦାସଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ୍ ଆବେଦନ ନାମଂଜୁର ହେବାରୁ ଏହି ତିନିଜଣଙଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଆଇନ୍ଜିବୀ ନିରଞ୍ଜନ ବଳ ମାମଲା ପରିଚାଳନା କରୁଥିଲେ । ଓଡ଼ିଶା ସମାଚାର