କେନ୍ଦ୍ରାପଡା, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ଶ୍ରୀ ବଳଦେବଜୀଉ, ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ ସ୍ନାନ ପୂର୍ଣ୍ଣିମାରେ ମନ୍ଦିର ଭିତରୁ ସ୍ନାନବେଦୀକୁ ଅଣାଯାଇଥିଲା । ଏହି ଉପଲକ୍ଷେ ରବିବାର ରାତି ୧୨ଟାରେ ସେନାପଟ୍ଟା ଓ ସକାଳ ୫ଟାରେ ପୁଷ୍ପାଞ୍ଜଳି ଦିଆଯାଇ ୭ଟାରେ ଧାଡି ପହଁଣ୍ଡିରେ ଦିଅଁମାନଙ୍କୁ ସ୍ନାନବେଦୀକୁ ନିଆଯାଇ ମଙ୍ଗଳ ଆଳତି କରାଯାଇଥିଲା । ପରେ ୧୦୮ଗରା ପାଣିରେ ସ୍ନାନ କରାଯାଇଥିଲା । ଏହାପରେ ଅପରାହ୍ନ ୨ଟାରେ ଦିଅଁମାନଙ୍କୁ ହାତୀବେଶରେ ସଜ୍ଜିତ କରାଯାଇ ଖେଚୁଡି ଧୂପ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ମନ୍ଦିର ପ୍ରବେଶ ପାଇଁ ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ମନ୍ଦିର ଭିତରକୁ କାହାରିକୁ ଛଡାଯାଇନଥିଲା । ରାତି ୯ଟାରେ ଡୋରି ବନ୍ଧାଯାଇ ଦିଅଁମାନଙ୍କୁ ଧାଡି ପହଁଣ୍ଡିରେ ଅଣସର ଘରକୁ ନିଆଯାଇଥିଲା । ଦିଅଁମାନେ ୧୫ଦିନ ପାଇଁ ଗୁଣ୍ଡିଚା ଯାତ୍ରାର ପୂର୍ବଦିନ ପର୍ଯ୍ୟନ୍ତ ଅଣସର ଘରେ ରହିବେ । ସନ୍ଧ୍ୟାଠାରୁ ତିନିଦିଅଁଙ୍କ ବଦଳରେ ତିନି ପଟି ଦିଅଁଙ୍କୁ ମନ୍ଦିରରେ ପୂଜା କରାଯାଇ ଭକ୍ତଙ୍କ ପାଇଁ ଦର୍ଶନର ସୁବିଧା କରାଯାଇଛି । ଓଡ଼ିଶା ସମାଚାର