ଭୁବନେଶ୍ୱର, ୧୭/୦୬/୨୦୧୯ (ଓଡ଼ିଶା ସମାଚାର)- ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍ ନେଚର, ଏଜୁକେସନ ଆଣ୍ଡ ହେଲଥ୍–‘ସ୍ନେହ’ ଆନୁକୁଲ୍ୟରେ ସ୍ଥାନୀୟ ସାଲିଆସାହି ବସ୍ତିର ମହିଳା ଏବଂ ଶିଶୁମାନଙ୍କ ପାଇଁ ରଜ ଉତ୍ସବ ଆୟୋଜନ କରାଯାଇଛି । ସାଲିଆସାହିର ବିଭିନ୍ନ ବସ୍ତିରେ ରହୁଥିବା ମହିଳାମାନଙ୍କ ପାଇଁ ରଜ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ଯଥା- ମେହେନ୍ଦି, ଷ୍ଟ୍ର-ବଲ୍ ଏବଂ ମୁରୁଜ ପ୍ରତିଯୋଗିତା ଆଦି ଆୟୋଜନ କରାଯାଇ ସେଥି ମଧ୍ୟରୁ ପ୍ରଥମ ତିନିଜଣଙ୍କୁ ବଛାଯାଇ ଶେଷ ରଜ ଦିନ ମେ’ଫେୟାର ବସ୍ତିରେ ଅବସ୍ଥିତ ‘ସ୍ନେହ’ ସେଲ୍ଟର ଠାରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା । ଏଥିସହିତ ମେହେନ୍ଦି ଲଗା ଏବଂ ରଜଦୋଳି ବସ୍ତିର ମହିଳା ଓ ଝିଅ ମାନେ ଉପଭୋଗ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ସାଲିଆ ସାହିର ଆଠଟି ବସ୍ତିରେ ‘ସ୍ନେହ’ ଅନୁଷ୍ଠାନ ତରଫରୁ ଶାନ୍ତି ଓ ସଦ୍ଭାବନା କାର୍ଯ୍ୟକ୍ରମ ଗତ ୨୦୧୮ ମସିହା ଠାରୁ ଆରମ୍ଭ ହୋଇଅଛି । ଶାନ୍ତି ପାଇଁ କ୍ରୀଡା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବକ ମାନଙ୍କ ପାଇଁ ଭଲିବଲ୍ ପ୍ରତିଯୋଗିତା ରଜ ସଂକ୍ରାନ୍ତିରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିଭିନ୍ନ ସଂପ୍ରଦାୟର ଯୁବକମାନେ ଅଂଶ ଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଗ୍ରାଣ୍ଡ ଫିନାଲେରେ ରଙ୍ଗୋଲି ରେ ସୁନିତା ପରିଡା, ଷ୍ଟ୍ରବଲ୍ରେ ଅଭିଲିପ୍ସା ସେନ୍ ଏବଂ ମେହେନ୍ଦିରେ ପିଙ୍କି ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ଜଗତର କଳାକାର ପପୁ ପମ୍ ପମ୍ ଏବଂ ଚିର୍କୁଟ୍ ଫିଲ୍ମର ନାୟକ ଶ୍ରୀମାନ ଅରିଜିତ୍, ପୂର୍ବତନ କର୍ପୋରେଟର ଶ୍ରୀମତୀ ଭାରତୀ ସିଂ, ମର୍ଣ୍ଣିଙ୍ଗ କ୍ଲବ୍ର ସଂପାଦକ ଶ୍ରୀ ଅମୁଲ୍ୟ କୁମାର ଦାସ, ମେନୋନାଇଟ୍ ସେଂଟ୍ରାଲ୍ କମିଟି, କୋଲକାତାର ପ୍ରକଳ୍ପ ଅଧିକାରୀ କୁମାରୀ ମଂଜୁଳା ପଟ୍ଟନାୟକ ଡାଃ ବିଶ୍ୱକଲ୍ୟାଣୀ ଦାସ ଯୋଗଦେଇ ତିନୋଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ତିନି ପ୍ରତିଯୋଗୀଙ୍କୁ ରଜ କୁଇନ୍ ମୁକୁଟ ସହିତ ପୁରସ୍କାର ମାନ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ‘ସ୍ନେହ’ର ଉପଦେଷ୍ଟା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ ଏବଂ ନିରଞ୍ଜନ ସାହୁ ଉପସ୍ଥାପନା କରିଥିଲେ । ସ୍ନେହର କର୍ମକର୍ତା ଏବଂ ସ୍ୱେଚ୍ଛାସେବୀ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର