Saturday , October 16 2021
Breaking News
Home / Uncategorized / ଶରୀରକୁ ସମ୍ଭାଳ – ଶ୍ରୀ ଅଖଣ୍ଡ

ଶରୀରକୁ ସମ୍ଭାଳ – ଶ୍ରୀ ଅଖଣ୍ଡ

 

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଧର୍ମର ସମନ୍ୱୟର ଇଶ୍ୱର । ବିଭିନ୍ନ ଯୁଗରେ ପ୍ରକଟ ହୋଇଥିବା ଅବତାର ହେଉଛନ୍ତି ସ୍ୱୟଂ ଜଗନ୍ନାଥ । ତ୍ରେତୟାରେ ସେ ହିଁ ପୁରୁଷୋତମ ଶ୍ରୀରାମ ହୋଇ ପ୍ରକଟ ହୋଇ ରାବଣ ଓ ଅନ୍ୟାନ୍ୟ ଅସୁରକୁ ଶାନ୍ତ କରି ଧର୍ମ ସଂସ୍ଥାପନ କରିଥିଲେ । ଦ୍ୱାପର ଯୁଗରେ ଦେବକୀନନ୍ଦନ, ଗୋପୀରତ୍ନ ଓ ଯୋଶଦାକୋଳମଣ୍ଡନକାରୀ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ରୂପରେ ଉଭା ହୋଇ ଅନେକ ଲୀଳା ମାଧ୍ୟମରେ ସାରା ଜଗତରେ ପ୍ରେମ ଓ ଆନନ୍ଦର ସନ୍ଦେଶ ପ୍ରତିଷ୍ଠା କରିଥିଲେ । ପୁଣି ବୁଦ୍ଧରୂପରେ ସାରା ବିଶ୍ୱରେ ଅହିଂସା ଓ ଶାନ୍ତି ମାର୍ଗଦର୍ଶନର ଶିକ୍ଷା ଦେଇଥିଲେ । ସବୁ ଅବତାର ସେହି, ପୁଣି ସେ ଅବତାରୀ । କଳିଯୁଗରେ ଏକ ମାତ୍ର ଅବତାର ପ୍ରଭୁ ଶ୍ରୀଜଗନ୍ନାଥ । ସେ ହିଁ କକ୍କୀ । ସେ ହିଁ ଆମର ସୃଷ୍ଟିକର୍ତା । ସେ ହିଁ ଆମର ତ୍ରାଣକର୍ତା । ବିଶ୍ୱର ଆଦି ଗୁରୁ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ସେ ହିଁ ବିଶ୍ୱଗୁରୁ । ତାଙ୍କୁ କିଏ ପ୍ରଣାମ ନକରେ କହିଲେ ? ସଂସାରରେ କୋଟି କୋଟି ଭକ୍ତ ତାଙ୍କ ଭକ୍ତିରେ ମୋହିତ ହେଉଛନ୍ତି । ଜଗନ୍ନାଥଙ୍କ ଭକ୍ତିରେ ମଜି ଆନନ୍ଦ ଅମୃତ ପାଇଛନ୍ତି । ଦୁନିଆରେ ସବୁ ଜିନିଷ ଦିନେ ନା ଦିନେ ନାଶ ଯିବ, କିନ୍ତୁ ପ୍ରଭୁ ହେଉଛନ୍ତି ଅକ୍ଷୟ । ସଂସାରର ସବୁ ଜିନିଷକୁ ବ୍ୟକ୍ତ କରିହେବ, କିନ୍ତୁ ଇଶ୍ୱର ହେଉଛନ୍ତି ଅବ୍ୟକ୍ତ । ଏହି ଜଗତରେ ଯାହାର ଆଦି ଅଛି, ତାହାର ନିଶ୍ଚିତ ଅନ୍ତ ଅଛି । କିନ୍ତୁ ମହାପ୍ରଭୁ ହେଉଛନ୍ତି ଅନାଦି, ଅନନ୍ତ ଓ ଅମର । ଏଭଳି ମହାପ୍ରଭୁଙ୍କୁ ଭକ୍ତି କଲେ, ପ୍ରଣାମ କଲେ ନିଶ୍ଚିତ ଭାବେ ଅଶାନ୍ତ ମନରେ ମଧ୍ୟ ଆନନ୍ଦର ଜୁଆର ସୃଷ୍ଟି ହୁଏ । ଶ୍ରୀଜଗନ୍ନାଥଙ୍କ ନାମ ଓ ଗୀତକୁ ପ୍ରେମ ଓ ସ୍ନେହ ସହକାରେ ଭଜନ୍ତୁ । ସେ ଭାବର ଠାକୁର । ଭକ୍ତର ଭାବରେ ସେ ବନ୍ଧା । ପ୍ରଭୁ ସିନା ଜଗତର ମାଲିକ । କିନ୍ତୁ ଭକ୍ତ ନିକଟରେ ପ୍ରଭୁ କବଳିତ । ଭକ୍ତର ଭାବ ପାଖରେ ସେ ଦୁର୍ବଳ । ତେଣୁ ‘ଗୀତ ଶ୍ରୀଜଗନ୍ନାଥ’ ପୁସ୍ତକରେ କୁହାଯାଇଛି, “ସ୍ନେହଭାବେ ଭଜ ଜଗନ୍ନାଥ ଗୀତ, ଭକ୍ତ କବଳିତ ପ୍ରଭୁ ଜଗନ୍ନାଥ” । ଆମେ ପ୍ରଭୁଙ୍କ ନିକଟବର୍ତୀ ହେବା ପାଇଁ କଣ କରୁଛେ, ଏହା ଆମକୁ ଚିନ୍ତା କରିବା ଦରକାର । ପ୍ରଭୁଙ୍କ ନିକଟବର୍ତୀ ହେବା ପାଇଁ ଆମେ କଣ ଦିବ୍ୟ ମାର୍ଗକୁ ଆପଣେଇଛେ କି ? ଆମେ କଣ ଆମ ପାଇଁ କିଛି ନିୟମ କରିଛେ କି ? ତେବେ ଆମ ପାଖକୁ କିଭଳି ପ୍ରଭୁଙ୍କ ଦିବ୍ୟ କୃପା ପଂହଚିବ ? ଜଗତର ବାନ୍ଧବ ସେହି ଶ୍ରୀରାମ କେଶବ ଶ୍ରୀଜଗନ୍ନାଥ । କିନ୍ତୁ ଆମେ ତାଙ୍କ ସହ ବନ୍ଧୁତ୍ୱ କରିବା ପାଇଁ କେତେ ଦୂର ପ୍ରସ୍ତୁତେ ରହୁଛେ ? ଆମେ ପ୍ରଭୁଙ୍କ ଦ୍ୱାରା ପ୍ରତିଷ୍ଠିତ ମାର୍ଗରେ ନ ଯିବାର କାରଣ କଣ ? ଆମେ ପ୍ରଭୁଙ୍କ ଜାଣିବା ଦରକାର ଓ ସବୁବେଳେ ମନନ ସ୍ମରଣ କରିବା ଦରକାର । ଏହି ଦେହରେ ହିଁ ବିଶ୍ୱାତ୍ମା ପ୍ରଭୁ ଜଗନ୍ନାଥ ବ୍ରହ୍ମ ରୂପରେ ଅବସ୍ଥାନ କରିଛନ୍ତି, ତାହା ବୁଝିବା ଦରକାର । କୋଟିତୀର୍ଥ ସମ ଏହି ନୀଳାଚଳ ଧାମ ଭଳି ଆମ ଶରୀର ପବିତ୍ର । ଆମେ କାହିଁକି ତାକୁ ମଦ, ମାଂସ, ନିଶାରେ ଅପବିତ୍ର କରୁଛେ? ଆମ ଦେହ ଶ୍ରୀମନ୍ଦିର । ତାରି ଭିତରେ ମହାପ୍ରଭୁ ଅବସ୍ଥାନ କରୁଛନ୍ତି । ଏହା ଯଦି ଆମେ ଭାବୁଛେ, ତାହାଲେ ଶରୀର ଶ୍ରୀମନ୍ଦିରକୁ ଆମେ ଜାଣିଶୁଣି ନଷ୍ଟ କରୁଛେ କାହିଁକି ? ଆସନ୍ତୁ ଶ୍ରୀଜଗନ୍ନାଥଙ୍କ ନାମ ନେବା ଏବଂ ଆମ ଦେହ ଓ ମନକୁ ପବିତ୍ର ରଖି ଦିବ୍ୟ ଜୀବନ ଅତିବାହିତ କରିବା ।

-୦-

ଠିକଣା : ଦୀକ୍ଷା ମିଶନ, ପିପିଲି, ପୁରୀ, ମୋ – ୭୦୦୮୮୧୬୮୯୧

About admin

Check Also

ଆସେଲିରେ ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ଦମ୍ପତି ଗୁରୁତର: ଆସନ୍ନ ମୃତ୍ୟୁ ରୁ ବଂଚିଲେ

ନିରାକାରପୁର, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- ହାତୀ ଓ ମଣିଷର ଲଢେଇ ବର୍ତମାନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ରେ ଏକ ନିତିଦିନିଆ …

Leave a Reply

Your email address will not be published. Required fields are marked *