ନିଶ୍ଚିନ୍ତକୋଇଲି,୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ କେରିଲୋ ଗ୍ରାମପଂଚାୟତ ଛପଚିକଣାସ୍ଥିତ ପ୍ରସିଦ୍ଧ ମା’ ହରଶ୍ଚଣ୍ଡୀଙ୍କ ପୀଠରେ ଶନିବାର ରଜ ସଂକ୍ରାନ୍ତି ଅବସରରେ ମା’ଙ୍କ ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ ହରଶ୍ଚଣ୍ଡୀଙ୍କ ପୀଠରେ ତିନିଦିନ ବ୍ୟାପୀ ଏହି ଉତ୍ସବ ପାଳନ କରାଯାଉଥିବା ଜଣାପଡ଼ିଛି । ଏହି ଅବସରରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ମା’ଙ୍କ ମାର୍ଜଣା କରାଯିବା ସହ ହରିବୋଲ, ହୁଳହୁଳି, ଘଂଟ ଓ କାହାଳୀ ଧ୍ୱନିରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା । ସେବାୟତଙ୍କ ଦ୍ୱାରା ଯଥାବିଧି ଅନୁଯାୟୀ ମା’ଙ୍କୁ ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମା’ଙ୍କୁ ମହିଷାମର୍ଦ୍ଦିନୀ ବେଶରେ ସଜା ଯାଇଥିଲା । ଏନେଇ ପୀଠ ଉତ୍ସବମୁଖର ହେବା ସହ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁମାନେ ଯୋଗଦାନ କରି ମା’ଙ୍କ ପୂଜାର୍ଚ୍ଚନା କରିବା ସହିତ ମା’ଙ୍କ ସାନ୍ନିଧ୍ୟ ଲାଭ କରିଥିଲେ । ଏହି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ନିଶ୍ଚିନ୍ତକୋଇଲି ପଂଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ଗିରୀଶ ରଞ୍ଜନ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଗୀତାଞ୍ଜଳି ପଣ୍ଡା, ମନ୍ଦିର ପରିଚାଳନା କମିଟିର ମ୍ୟାନେଜିଂ ଟ୍ରଷ୍ଟି ବ୍ରଜମୋହନ ପଣ୍ଡା, ସରପଂଚ ସୁଶାନ୍ତ କୁମାର ମଲିକ, ସମିତିସଭ୍ୟ ସୁତମ ବେହେରା, ଶିକ୍ଷାବିତ୍ ସୁରେନ୍ଦ୍ରନାଥ ଦାଶଙ୍କ ସମେତ ବହୁ ସ୍ଥାନୀୟ ଲୋକ ସହଯୋଗ କରିଥିଲେ । ଓଡ଼ିଶା ସମାଚାର