ସବୁ ସରପଂଚଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୬/୦୬/୨୦୧୯ (ଓଡ଼ିଶା ସମାଚାର/ଏଜେନ୍ସି)- ଗ୍ରାମାଂଚଳରେଖରାଦିନେ ଜଳ ସଙ୍କଟ ଗୁରୁତର ରୂପ ଧାରଣ କରୁଥିବାରୁ ଏହାର ସମାଧାନ ପାଇଁ ବର୍ଷା ଋତୁରେ ପର୍ଯ୍ୟାପ୍ତ ଜଳ ସଂରକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ଏଥି ପାଇଁ ସେ ଦେଶର ସବୁ ସରପଂଚମାନଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖିଛନ୍ତି । ଜିଲ୍ଲାପାଳଙ୍କ ମାଧ୍ୟମରେ ସରପଂଚମାନଙ୍କୁ ହାତାହାତି ଦିଆଯାଉଥିବା ଏହି ଚିଠି ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଧାନମନ୍ତ୍ରୀ ଲେଖିଥିବା ଏହି ଚିଠି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଜଳ ସଙ୍କଟ ଏଡ଼ାଇବାକୁ ଏହି ଚିଠିରେ ଦିଆଯାଇଥିବା ପରାମର୍ଶକୁ ସମସ୍ତେ ପ୍ରଶଂସା କରିବା ସହ ଏହା କାର୍ଯ୍ୟକାରୀ କରିବାକୁ ଆଗଭର ହୋଇଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଚିଠିର ବିଷୟବସ୍ତୁ ହେଲା, ‘ପ୍ରିୟ ସରପଂଚ ମହାଶୟ, ନମସ୍କାର । ଆପଣଙ୍କ ସହ ପଂଚାୟତରେ ଥିବା ମୋର ସବୁ ଭାଇ ଓ ଭଉଣୀ ନିରାମୟରେ ଥିବା ମୁଁ ଆଶା କରୁଛି । ବର୍ଷା ଋତୁ ଆସନ୍ନ । ଆମେ ଭଗବାନଙ୍କ ଆଶୀର୍ବାଦରୁ ପର୍ଯ୍ୟାପ୍ତ ପରିମାଣର ବର୍ଷାଜଳ ପାଉଥିବାରୁ ତାଙ୍କ ନିକଟରେ କୃତଜ୍ଞ । ତେବେ ଏହି ଜଳକୁ ସଂରକ୍ଷଣ କରିରଖିବାକୁ ଆମେ ସମସ୍ତ ଉଦ୍ୟମ ଓ ବ୍ୟବସ୍ଥା କରିବା ଉଚିତ ।’ ହିନ୍ଦୀରେ ଲେଖାଯାଇଥିବା ଏହି ଏକ ପୃଷ୍ଠା ବିଶିଷ୍ଟ ଚିଠିରେ ପ୍ରଧାନମନ୍ତ୍ରୀ ସରପଂଚମାନଙ୍କୁ ଏକ ଗ୍ରାମସଭା ଡକାଇ ସେଠାରେ ତାଙ୍କ ଚିଠିକୁ ପଢ଼ାଇବା ସହ ପ୍ରତ୍ୟେକ ବୁନ୍ଦା ବର୍ଷାଜଳକୁ ନଷ୍ଟ କରିବାକୁ ନଦେଇ କିଭଳି ସଂରକ୍ଷଣ କରିହେବ ସେନେଇ ଆଲୋଚନା ମାଧ୍ୟମରେ ବ୍ୟବସ୍ଥା କରିବାକୁ ସ୍ୱତନ୍ତ୍ର ଆବେଦନ କରିଛନ୍ତି । ବର୍ଷାଜଳ ଅମଳ ପାଇଁ ପ୍ରତି ଗ୍ରାମାଂଚଳରେ ଚେକ୍ ଡ୍ୟାମ ଓ ପୋଖରୀ ନିର୍ମାଣ ନିମନ୍ତେ ସେ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଉତର ପ୍ରଦେଶର ଆମରୋହ ଜିଲ୍ଲାରେ ଜିଲ୍ଲାପାଳ ମୋଦୀଙ୍କ ଚିଠିକୁ ୬୦୧ଜଣ ସରପଂଚଙ୍କ ନିକଟରେ ପହଂଚାଇବା ପରେ ସେଠାରେ ଜାଗରଣ ସୃଷ୍ଟି ହୋଇଛି । ଜିଲ୍ଲାର ଗ୍ରାମଗୁଡ଼ିକରେ ୭୭୫ଟି ପୋଖରୀ ଖନନ ସକାଶେ କାର୍ଯ୍ୟକ୍ରମ ସ୍ଥିର ହୋଇ ପ୍ରାରମ୍ଭିକ ଭାବେ ୫୦୦ ପୋଖରୀ ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ଶନିବାର ଆରମ୍ଭ ହୋଇଥିବା ନୀତି ଆୟୋଗ ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀ ଗ୍ରାମାଂଚଳରେ ଜଳ ସଙ୍କଟକୁ ସୁଧାରିବାକୁ ବର୍ଷାଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନବଗଠିତ ଜଳଶକ୍ତି ମନ୍ତ୍ରାଳୟ ଏହି ପ୍ରସଙ୍ଗ ନେଇ ନିକଟରେ ଆନ୍ତଃରାଜ୍ୟ ବୈଠକ ବସାଇ ସବୁ ରାଜ୍ୟର ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର