ସମୟସୀମା ମଧ୍ୟରେ ସଂମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା !
ପାଟକୁରା ୧୬/୦୬/୨୦୧୯ (ଓଡ଼ିଶା ସମାଚାର)-ବନ୍ୟା ନିୟନ୍ତ୍ରଣ ନଦୀବନ୍ଧକୁ ସୁଦୃଢୀକରଣ କରାଯିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିଲେ ମଧ୍ୟ,.ଏହି କାର୍ଯ୍ୟ ଧିର ମନ୍ଥର ଗତିରେ କରାଯାଉଥିବାରୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେବା ନେଇ ଅଂଚଳର ବୁଦ୍ଧିଜିବୀ ମହଲରେ ସନ୍ଦେହ ପ୍ରକାଶ ପାଇଛି । ପ୍ରକାଶ ଯେ, ପାଟକୁରା ଜଳ-ସମ୍ପଦ ସବ୍ -ଡିଭିଜନ ଅନ୍ତର୍ଗତ ପାଇକା ବାମ ପାଶ୍ୱର୍ ନଦୀବନ୍ଧ ବରିପଲ୍ଲା ଠାରୁ ଖୁରୁସିଆ ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତାକୁ ସୁଦୃଢୀକରଣ କରାଯିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଗତ ୨୬.୧୦.୨୦୧୮ ରେ ନଦୀବନ୍ଧର ବଟିରା ପଂଚାୟତ କାର୍ଯ୍ୟାଳୟ ନିକଟରେ ଭିତିପ୍ରସ୍ତର କରାଯାଇଥିଲା । ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ପାଇଁ ୮କୋଟି ୨୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଲକ୍ଷ୍ୟ ରଖାଯାଇଛି । ସରକାରଙ୍କର ‘ଓସିସି’ଠିକା ସଂସ୍ଥାକୁ କାର୍ଯ୍ୟ କରିବା ପାଇଁ ଦାଇତ୍ୱ ଦିଆଯାଇଛି । ମାତ୍ର ଏହି ଓସିସି ପକ୍ଷରୁ ଅନ୍ୟ ଜଣେ ସବ୍ ଠିକାଦାରଙ୍କୁ କାର୍ଯ୍ୟ କରିବା ପାଇଁ ଦାଇତ୍ୱ ଦେଇଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଥିବା ନେଇ ସ୍ଥାନିୟ ଅଂଚଳରୁ ଅଭିଯୋଗ ହେଉଛି । ଏହି ନଦୀବନ୍ଧ ରାସ୍ତା ଉପରେ ଆଭ୍ୟନ୍ତରିଣ ଅଂଚଳରେ ଥିବା ଅନେକ ଗ୍ରାମ ଗୁଡିକର ଜନ ସାଧାରଣ ଦୈନିକ ଯାତାୟତ କରିବା ପାଇଁ ନିର୍ଭର କରିଥାଆନ୍ତି ।ଏହି ନଦୀବନ୍ଧ ରାସ୍ତା ଉପରେ ମୂଖ୍ୟତଃ ଅନ୍ତେଇ, ବଟିରା, ମଙ୍ଗରାଜପୁର, ତିଖିରି, ଅମେଇପାଳ ,ଖୁରୁସିଆ ଆଦି ପଂଚାୟତଗୁଡିକର ପ୍ରାୟ ୫୦ ହଜାରରୁ ଉଦ୍ଧ୍ୱର୍ ଜନ ସାଧାରଣମାନେ ଯାତାୟତ କରିବା ପାଇଁ ନିର୍ଭର କରିଥାଆନ୍ତି । ମାତ୍ର ଓସିସି ପକ୍ଷରୁ ଏହି କାର୍ଯ୍ୟକୁ ଉପଯୁକ୍ତ ତଦାରଖ ଅଭାବରୁ ଧିର ମନ୍ଥର ଗତିରେ କରାଯାଉଛି ବୋଲି ସ୍ଥାନୀୟ ଅଂଚଳର ଲୋକମାନେ ପ୍ରକାଶ କରିଛନ୍ତି । ନଦୀବନ୍ଧ ରାସ୍ତା ଉପରେ ସ୍ୱଳ୍ପ ପରିମାଣର ବାଲି ଓ କାଦୁଆ ମୋରମ ବିଛା ଯାଇଥିବାରୁ ଆସନ୍ତା ବର୍ଷା ଦିନରେ ଏହି ନଦୀବନ୍ଧ ରାସ୍ତା ଉପରେ ଯାତାୟତ କରିବା କଷ୍ଟକର ହୋଇପଡିବ । ରାସ୍ତା ଉପରେ ବାଲି ମୋରମ ବିଛାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ସ୍ୱଳ୍ପ ପରିମାଣର ବାଲି ମୋରମ ବିଛାଯାଇଥିବାରୁ ସେଗୁଡିକ ଉଠିଯାଇ ବାଲି ବାହାରି ପଡିଛି । ରାସ୍ତାରେ ଯାତାୟତ କରୁଥିବା ପଥାଚାରୀମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି । ବରିପଲା, ବଟିରା, ପୋତାରି, ତିଖିରି, ଧନିଆପଡା, ଆଦି କେତକ ସ୍ଥାନରେ ବାଲିଆ ମୋରମ ବିଛାଯାଇଥିବାରୁ ରାସ୍ତାରୁ ତାହା ଉଠିବାକୁ ଆରମ୍ଭ କଲାଣି ବୋଲି ସ୍ଥାନୀୟ ଲୋକମାନେ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓସିସି ପକ୍ଷରୁ ଉପଯୁକ୍ତ ତଦନ୍ତ କରାଯାଉ ନ ଥିବାରୁ ଏପରି ହୋଇଛି ବୋଲି ସ୍ଥାନିୟ ଲୋକମାନେ ପ୍ରକାଶ କରିଛନ୍ତି । ଦୀର୍ଘ ଦିନରୁ ଅବହେଳିତ ଅବସ୍ଥାରେ ରହିଥିବା ଏହି ନଦୀବନ୍ଧ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇ ତୁରନ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ଅଂଚଳ ପକ୍ଷରୁ ବଟିରା ପଂଚାୟତର ପୂର୍ବତନ ସରପଂଚ ମୁକ୍ତାମଣୀ ବେହେରା, ସାମାଜିକ କର୍ମୀ ଗୌରାଙ୍ଗ ଚରଣ ଗୋଛାୟତ, କୁମର ବର ଦାସ ,ଉଦୟନାଥ ଚୌଧୁରୀ ,ରଶି୍ମରଞ୍ଜନ ବେହେରା, ରଶ୍ମିତା ଦାସ, ପ୍ରାଣକୃଷ୍ଣ ଦାସ, ଦିଲ୍ଲୀପ କୁମାର ସାହୁ ବିଶ୍ୱଜିତ୍ ଦାସ ପ୍ରମୁଖ ଦୃଢ ଦାବି ଜଣାଇଛନ୍ତି । ଓଡ଼ିଶା ସମାଚାର