ସାଲେପୁର, ୧୫/୦୬/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା)- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକକୁ ଠେଙ୍ଗାରେ ପିଟି ପିଟି ରକ୍ତାକ୍ତ କରିଥିବା ଅଭିଯୋଗରେ କିଶୋରନଗର ପୋଲିସ ୨ଜଣଙ୍କୁ ଅଟକ ରଖିଥିବାବେଳେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ରଜ ଅବସରରେ ଗତକାଲି ସକାଳ ପ୍ରାୟ ୮ଟା ସମୟରେ ତରିତୋ ଗ୍ରାମର ଅଜୟ କୁମାର ମହାନ୍ତି ନିକଟସ୍ଥ ଏକ ଦୋକାନକୁ ମାଂସ ନେବାକୁ ଆସି ଛିଡା ହୋଇଥିବାବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଉକ୍ତ ଗ୍ରାମର ରବିନ୍ଦ୍ର ମହାନ୍ତିଙ୍କ ପୁତ୍ର ବାବିନା ମହାନ୍ତି, କାବୁନା ମହାନ୍ତି, ଟୁବୁନା ମହାନ୍ତି ଓ ଉକ୍ତ ଗ୍ରାମର ଅନ୍ୟ ଜଣେ ଅଭି ସାହୁ ଏକ ଠେଙ୍ଗାରେ ଅଜୟ କୁମାର ମହାନ୍ତିକୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ନିର୍ଧୁମ୍ ପିଟି ଚାଲିଥିଲେ । ଫଳରେ ଏହି ଆକ୍ରମଣରେ ଅଜୟଙ୍କର ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହେବା ସହ ତାଙ୍କ ହାତ ଭାଙ୍ଗିଯାଇଥିଲା । ଅଜୟଙ୍କ ଚିକ୍ରାର ଶୁଣି ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଂଚିଯିବାରୁ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଖସି ପଳାଇଯାଇଥିଲେ । ଅଜୟକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ଏହାନେଇ ଅଜୟଙ୍କ ସାନଭାଇ ବିଜୟ କୁମାର ମହାନ୍ତି କିଶୋରନଗର ଥାନାରେ ଲିଖିତ ଅଭିଯୋଗ କଲାପରେ କିଶୋରନଗର ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ତରିତୋ ଗ୍ରାମର କାବୁନା ମହାନ୍ତି ଓ ଟୁବୁନା ମହାନ୍ତିଙ୍କୁ ଥାନାରେ ଅଟକ ରଖିଥିବାବେଳେ ଅନ୍ୟ ଦୁଇଜଣ ଆକ୍ରମଣକାରୀ ଫେରାର ଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ଏବେ ଉକ୍ତ ଅଂଚଳରେ ଚାପା ଉତେଜନା ଦେଖାଯାଇଛି । ଓଡ଼ିଶା ସମାଚାର