ସମ୍ବଲପୁର, ୧୫/୦୬/୨୦୧୯ (ଓଡ଼ିଶା ସମାଚାର)- ପ୍ରତିଷ୍ଠିତ ଲୋକଙ୍କ ନାମରେ ନକଲି ଫେସବୁକ୍ ଆକାଉଂଟ ଖୋଲି ବିଭିନ୍ନ ଆଳରେ ଟଙ୍କା ଓ ମୂଲ୍ୟବାନ୍ ଜିନିଷ ଲୁଟୁଥିବା ଅଭିଯୁକ୍ତ ନାବାଳକକୁ ସାଇବର କ୍ରାଇମ୍ ମାମଲାରେ ପୋଲିସ ଗିରଫ କରିଛି । ସମ୍ପୃୃକ୍ତ ନାବାଳକ ଜଣକ ଜିଲ୍ଲାପାଳ, ମନ୍ତ୍ରୀ ଓ ବିଧାୟକଙ୍କ ନାମରେ ଫେକ୍ ଫେସବୁକ୍ ଆକାଉଂଟ ଖୋଲି ଅନ୍ୟମାନଙ୍କ ସହିତ ଚାଟିଂ କରୁଥିଲା । ମନ୍ତ୍ରୀ ନବକିଶୋର ଦାଶ, ବିଧାୟକ ଜୟ ନାରାୟଣ ମିଶ୍ର, ନରସିଂହ ମିଶ୍ର ଓ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକସେନାଙ୍କ ନାମରେ ଫେକ୍ ଆକାଉଂଟ ଖୋଲି ସେଥିରେ ଲୋକମାନଙ୍କ ସହିତ ଚାଟିଂ କରୁଥିଲା ଏବଂ ମଉକା ଦେଖି ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦାମୀ ଜିନିଷ ମାଗୁଥିଲା ଓ ସେମାନଙ୍କୁ ଲୁଟୁ ଥିଲା । ଅନୁରୂପ ଢ଼ଙ୍ଗରେ ଅଭିଯୁକ୍ତ ନାବାଳକ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକସେନାଙ୍କ ଫଟୋ ବ୍ୟବହାର କରି ତାଙ୍କ ନାମରେ ଏକ ଫେକ୍ ଆକାଉଂଟ ଖୋଲିଥିଲା । ଏହି ଆକାଉଂଟରୁ ଅଭିଯୁକ୍ତ ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଫ୍ରେଣ୍ଡ ଲିଷ୍ଟରେ ଥିବା ଲୋକଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଉଥିଲା । ଏ ବିଷୟରେ ଜାଣିବା ପରେ ଜିଲ୍ଲାପାଳ ନିଜେ ଫେସବୁକ୍ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ଓ ପୋଲିସକୁ ଏ ସମ୍ପର୍କରେ ଅବଗତ କରିଥିଲେ । ସମ୍ବଲପୁର ମ୍ୟୁନିସିପାଲଟିର ପୂର୍ବତନ ନଗରପାଳ ସିଦ୍ଧାର୍ଥ ସାହାଙ୍କ ନାମରେ ମଧ୍ୟ ଏମିତି ନକଲି ଆକାଉଂଟ ଖୋଲି କେହି ଟଙ୍କା ମାଗୁଥିବା ଜାଣିବା ପରେ ସେ ଗତ ୧୧ ତାରିଖ ଦିନ ଏନେଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଅଭିଯୁକ୍ତର ସମ୍ପୃକ୍ତି ଥିବା ଜାଣିପାରି ପୋଲିସ ତାକୁ ଗିରଫ କରିଛି । ପ୍ରକାଶ ଥାଉ କି, ଗତ ଅପ୍ରେଲ ୪ ତାରିଖରେ ଅଭିଯୁକ୍ତ ନାବାଳକ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ନାମରେ ଫେକ୍ ଫେସବୁକ୍ ଆକାଉଂଟ ଖୋଲି ଅନେକ ଲୋକଙ୍କୁ ଟଙ୍କା ମାଗୁଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିଲା । ଓଡ଼ିଶା ସମାଚାର