ତାରପୁର, ୧୫/୦୬/୨୦୧୯ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ତାରପୁର ବାଇପାସ ଠାରେ ରାଜ୍ୟ ବିଜୁ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ ଙ୍କ ନେତୃତ୍ୱରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ରାଜ୍ୟ ବିଜୁ ଜନତା ଦଳର ଉପମୁଖ୍ୟ ସଚେତକ ପ୍ରଣବ ବଳବନ୍ତରାୟ, ଖଦି ଓ ଗ୍ରାମ ଉଦ୍ୟୋଗ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଗାମୀ ପାଟକୁରା ନିର୍ବାଚନ ପରିପ୍ରେକ୍ଷିରେ ଉକ୍ତ ନେତୃବୃନ୍ଦ ଶନିବାର ଉକ୍ତ ଅଂଚଳକୁ ଗସ୍ତ କରିବା ସମୟରେ ଦଳିୟ କର୍ମୀ ଓ ସାଧାରଣ ଜନତା ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ନିର୍ବାଚନ ପରିଚାଳନା ପାଇଁ ଗରଦପୁର ବ୍ଲକ୍ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଓ ନିର୍ମଳ ଶାସନ ପ୍ରତି ପାଟକୁରା ବାସୀ ଅନୁରକ୍ତ ଥିବାବେଳେ ଅଧ୍ୟକ୍ଷ ଶ୍ରୀ ପରିଡ଼ା ପ୍ରକାଶ କରିଥିଲେ । ଦଳିୟ ଯୁବ ନେତା ତାରାକାନ୍ତ ଜେନା, ନୀହାର ରଂଜନ ସାହୁ ନେତୃବୃନ୍ଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୂର୍ବରୁ ଅପେକ୍ଷାରତ ପାଟକୁରା ଅଂଚଳର ସରୋଜକାନ୍ତ ମଙ୍ଗରାଜ, ଚିତରଂଜନ ସେଠୀ, ହିରଣ୍ୟ କୁମାର ପଣ୍ଡା, ବଳରାମ ଦାସ, ଦୀପକ ବିଶ୍ୱାଳ, କଳାବୁଦା ସମିତି ସଭ୍ୟ ନୃସିଂହ ଚରଣ ସ୍ୱାଇଁ, ତେଣ୍ଡାକୁଡ଼ା ସମିତି ସଭ୍ୟା ଜ୍ଞାନିଶା ବିଶ୍ୱାଳ ପ୍ରମୁଖ ଏକ ବାଇକ୍ ଶୋଭାଯାତ୍ରାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ନେତୃବୃନ୍ଦଙ୍କୁ ବାଇପାସ ଠାରୁ ପାଛୋଟି ନେଇଥିଲେ । ଦିନକ ତଳେ ଭୁବନେଶ୍ୱର ଏମପି ଅପରାଜିତା ଷଢ଼ଙ୍ଗୀ ଉକ୍ତ ଅଂଚଳକୁ ରୋଡ଼ ସୋରେ ଯିବା ଏବଂ ବିଜେଡ଼ି ପକ୍ଷରୁ ନେତା ଓ ମନ୍ତ୍ରୀ ଙ୍କ ଗସ୍ତକୁ ନେଇ ପାଟକୁରା ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଓଡ଼ିଶା ସମାଚାର