Sunday , June 13 2021
Breaking News
Home / ବିଶେଷ / ୭୨ ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ବାର୍ତ୍ତା

୭୨ ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ବାର୍ତ୍ତା

ମୋର ପ୍ରିୟ ଦେଶବାସୀ,
ଆପଣମାନଙ୍କୁ ନମସ୍କାର
ବିଶ୍ୱର ସର୍ବବୃହତ୍ ତଥା ଜୀବନ୍ତ ଲୋକତନ୍ତ୍ରର ୭୨ତମ ଗଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିବାଦନ । ଆମର ଏହି ଭୂମି ବିବିଧତାରେ ଋଦ୍ଧିମନ୍ତ । ଏହି ସମୃଦ୍ଧ ଭୂମିରେ ଅନେକ ଉତ୍‌ସବାନୁଷ୍ଠାନ ପାଳିତ ହୋଇଥାଏ; କିନ୍ତୁ ଆମର ରାଷ୍ଟ୍ରୀୟ ଉତ୍‌ସବକୁ ସବୁ ଦେଶବାସୀ ଦେଶପ୍ରେମର ଭାବନାରେ ପାଳନ କରିଥାନ୍ତି । ଗଣତନ୍ତ୍ର ଦିବସ ଏକ ରାଷ୍ଟ୍ରୀୟ ପର୍ବ । ଆମେ ସଂପୂର୍ଣ୍ଣ ଉତ୍ସାହର ସହିତ ଏହାକୁ ପାଳନ କରୁଛୁ । ଆମର ରାଷ୍ଟ୍ରୀୟ ଧ୍ୱଜା ତଥା ସମ୍ବିଧାନ ପ୍ରତି ସମ୍ମାନ ଏବଂ ଆସ୍ଥା ବ୍ୟକ୍ତ କରିଆସୁଛୁ ।
ଆଜି ଦିନଟି ଦେଶ ବିଦେଶରେ ରହୁଥିବା ସବୁ ଭାରତୀୟଙ୍କ ପାଇଁ ବିଶେଷ ମହତ୍ୱପୂର୍ଣ୍ଣ । ଆଜି ଦିନରେ ୭୧ ବର୍ଷ ପୂର୍ବେ ଆମେ ଭାରତବାସୀ ନିଜର ଅଦ୍ୱିତୀୟ ସମ୍ବିଧାନକୁ ଅଙ୍ଗୀକୃତ, ଅଧିନିୟମିତ ଏବଂ ଆତ୍‌ମୋର୍ପିତ କରିଥିଲେ । ଏଥିପାଇଁ ଆଜି ଆମ ସମସ୍ତଙ୍କ ନିମନ୍ତେ ସମ୍ବିଧାନର ମୌଳିକ ମୂଲ୍ୟବୋଧ ସଂପର୍କରେ ଗଭୀରଭାବେ ବିଚାର କରିବାର ଅବସର ଆସିଛି । ସମ୍ବିଧାନର ଉଦ୍ୟେଶିକାରେ ରେଖାଙ୍କିତ ନ୍ୟାୟ ସ୍ୱତନ୍ତ୍ରତା, ସମତା ଏବଂ ଭ୍ରାତୃତ୍ୱର ମୂଲ୍ୟବୋଧ ଆମ ସମସ୍ତଙ୍କ ପାଇଁ ଏକ ପୂଣ୍ୟ ଆଦର୍ଶ । ଆମେ ବିଶ୍ୱାସ କରୁ ଯେ କେବଳ ଶାସନ ଦାୟିତ୍ୱ ନିର୍ବାହ କରୁଥିବା ଲୋକ ନୁହନ୍ତି, ବରଂ ଆମେ ସମସ୍ତେ ସାଧାରଣ ନାଗରିକ ମଧ୍ୟ ଏହି ଆଦର୍ଶକୁ ଦୃଢ ଏବଂ ନିଷ୍ଠାର ସହ ପାଳନ କରିବା ଆବଶ୍ୟକ ।
ଗଣତନ୍ତ୍ରର ମୌଳିକ ଆଧାର ପ୍ରଦାନ କରୁଥିବା ଏହି ୪ ଅବଧାରଣାକୁ ସମ୍ବିଧାନର ଆରମ୍ଭରେ ହିଁ ଗୁରୁତ୍ୱର ସହ ରଖିବା ନିଷ୍ପତ୍ତି ଆମର ପ୍ରବୁଦ୍ଧ ସମ୍ବିଧାନ ନିର୍ମାତାଗଣ ବହୁତ ବୁଝିବିଚାରି ଗ୍ରହଣ କରିଥିଲେ । ଏହି ଆଦର୍ଶ ଆମର ମୁକ୍ତି ସଂଗ୍ରାମକୁ ମଧ୍ୟ ଦିଗ୍ଦର୍ଶନ ଦେଇଥିଲା । ବାଳ ଗଙ୍ଗାଧର ତିଳକ, ଲାଲା ଲଜପତ ରାୟ, ମହାତ୍ମା ଗାନ୍ଧୀ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ଅନେକ ମହାନ୍ ଜନନାୟକ ଏବଂ ବିଚାରକ ଆମର ମୁକ୍ତି ସଂଗ୍ରାମକୁ ପ୍ରେରିତ କରିଥିଲେ । ମାତୃଭୂମିର ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ସେମାନଙ୍କ ପରିକଳ୍ପନା ଭିନ୍ନ ଭିନ୍ନ ଥିଲା ; କିନ୍ତୁ ନ୍ୟାୟ, ସ୍ୱତନ୍ତ୍ରତା, ସମତା ଏବଂ ଭ୍ରାତୃତ୍ୱର ମୂଲ୍ୟ ସେମାନଙ୍କ ସ୍ୱପ୍ନକୁ ଏକ ସୂତ୍ରରେ ବାନ୍ଧି ରଖିବାର କାର‌୍ୟ୍ୟ କରିଥିଲା ।
ମୁଁ ଭାବୁଛି ଏହି ମୂଲ୍ୟବୋଧ ଆମର ରାଷ୍ଟ୍ର ନିର୍ମାତାଗଣଙ୍କ ପାଇଁ କାହିଁକି ଆଦର୍ଶ ହୋଇଥିଲା । ସେ ବିଷୟରେ ଆମେ ସମସ୍ତେ ଇତିହାସ ଏବଂ ତା’ଠାରୁ ଆହୁରି ପଛକୁ ଯାଇ ଏହି କଥା ଜାଣିବାକୁ ପ୍ରୟାସ କରିବା ଉଚିତ । ଏହାର ଉତ୍ତର ସ୍ପଷ୍ଟ ଯେ ଅନାଦି କାଳରୁ ଏହି ଭୂମି ଏବଂ ଏଠାକାର ସଭ୍ୟତା ଏହି ମୂଲ୍ୟବୋଧକୁ ଧରି ରଖିଛି । ନ୍ୟାୟ, ସ୍ୱତନ୍ତ୍ରତା, ସମତା ଏବଂ ଭ୍ରାତୃଭାବ ଆମର ଜୀବନ ଦର୍ଶନର ଶାଶ୍ୱତ ସିଦ୍ଧାନ୍ତ ଅଟେ । ଏହାର ଅନବରତ ପ୍ରବାହ ଆମ ସଭ୍ୟତାର ଆରମ୍ଭରୁ ମଧ୍ୟ ରହିଆସିଛି । ଆମ ସମସ୍ତଙ୍କ ଜୀବନକୁ ସମୃଦ୍ଧ କରିଆସୁଛି । ଏହି ମୂଲ୍ୟବୋଧର ସାର୍ଥକତାକୁ ସମୟ ଅନୁସାରେ ସ୍ଥାପିତ କରିବା ପ୍ରତ୍ୟେକ ନୂଆପିଢିର ଦାୟିତ୍ୱ । ଆମର ସ୍ୱାଧୀନତା ସଂଗ୍ରାମୀମାନେ ଏହି ଦାୟିତ୍ୱ ନିଜ ସମୟରେ ନିଖୁଣଭାବେ ନିର୍ବାହ କରିଥିଲେ । ଅତଏବ ବର୍ତ୍ତମାନ ପରିସ୍ଥିତିରେ ଆମକୁ ବି ଏହି ମୂଲ୍ୟବୋଧକୁ ସାର୍ଥକ ଏବଂ ଉପଯୋଗୀ କରିବାକୁ ପଡିବ । ଏହିସବୁ ସିଦ୍ଧାନ୍ତରେ ଆଲୋକିତ ପଥରେ ଆମର ବିକାଶ ଯାତ୍ରାର ନିରନ୍ତର ପ୍ରଗତି ଜାରି ରହିବା ଉଚିତ ।
ମୋର ପ୍ରିୟ ଦେଶବାସୀ,
ଏଡେ ବିଶାଳ ଜନସଂଖ୍ୟା ବିଶିଷ୍ଟ ଆମର ଦେଶର ଖାଦ୍ୟଶସ୍ୟ ଏବଂ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦରେ ଆତ୍ମନିର୍ଭର କରୁଥିବା ଆମର କିଷାନ ଭାଇଭଉଣୀ ଦେଶବାସୀଙ୍କ ହାର୍ଦ୍ଦିକ ଅଭିନନ୍ଦନର ପାତ୍ର । ପ୍ରତିକୂଳ ପ୍ରାକୃତିକ ପରିସ୍ଥିତି, ଅନେକ ସମସ୍ୟା ଏବଂ କୋଭିଡ୍ ଭଳି ବିପଦ ସତ୍ତ୍ୱେ ମଧ୍ୟ ଆମର କିଷାନ ଭାଇଭଉଣୀମାନେ କୃଷି ଉତ୍‌ପାଦନରେ କୌଣସି ହ୍ରାସ ହେବାକୁ ଦେଇନାହାନ୍ତି । ଏହି କୃତଜ୍ଞ ଦେଶ ଆମର ଅନ୍ନଦାତା କିଷାନଙ୍କର କଲ୍ୟାଣ ପାଇଁ ସଂପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।
ଆମର ପରିଶ୍ରମୀ କୃଷକ ଦେଶର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଯେପରି ସଫଳ ହୋଇଛନ୍ତି, ସେହିଭଳି ଆମର ସେନାର ବାହାଦୁର ଯବାନ କଠୋରତମ ପରିସ୍ଥିତିରେ ମଧ୍ୟ ଦେଶର ସୀମାନ୍ତ ସୁରକ୍ଷାକୁ ସୁନିଶ୍ଚିତ କରିପାରିଛନ୍ତି । ଲଦାଖରେ ଥିବା ସିଆଚେନ୍ ଓ ଗଲୱାନ ଘାଟିରେ ହିମାଙ୍କର ୫୦ ଡିଗ୍ରି ସେଲସିୟସ ତଳେ ଥିବା ତାପମାତ୍ରାରେ ଏବଂ ଆଉ କେତେକ ସ୍ଥାନରେ ୫୦ ଡିଗ୍ରି ସେଲସିୟସଠାରୁ ଅଧିକ ତାପମାତ୍ରାରେ ଅସହ୍ୟ ଗ୍ରୀଷ୍ମରେ ଆମ ସାହସୀ ସୈନିକମାନେ ସ୍ଥଳ, ଆକାଶ ଏବଂ ବିଶାଳ ସାମୁଦ୍ରିକ ଉପକୂଳକୁ ସୁରକ୍ଷିତ କରିଆସୁଛନ୍ତି । ଆମ ସେନା ଭାରତର ସୁରକ୍ଷାର ଦାୟିତ୍ୱ ପ୍ରତିକ୍ଷଣ ନିଷ୍ଠାର ସହ ନିର୍ବାହ କରୁଛି । ଆମ ସୈନିକଙ୍କ ବୀରତ୍ୱ, ଦେଶପ୍ରେମ ଏବଂ ବଳିଦାନ ପାଇଁ ଆମେ ସବୁ ଦେଶବାସୀ ଗର୍ବିତ ।
ଖାଦ୍ୟ ସୁରକ୍ଷା, ସାମରିକ ସୁରକ୍ଷା, ବିପଦ ତଥା ବେମାରିରୁ ସୁରକ୍ଷା ଏବଂ ବିକାଶର ବିଭିନ୍ନ କ୍ଷେତ୍ରରେ ଆମର ବୈଜ୍ଞାନିକମାନେ ନିଜର ଯୋଗଦାନ ଦେଇ ରାଷ୍ଟ୍ରୀୟ ପ୍ରୟାସକୁ ଶକ୍ତି ଦେଉଛନ୍ତି । ଅନ୍ତରୀକ୍ଷରୁ ଆରମ୍ଭ କରି ଖେତଖମାର, ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ହସପିଟାଲ ପର‌୍ୟ୍ୟନ୍ତ ବୈଜ୍ଞାନିକ ସମୁଦାୟ ଆମର ଜୀବନ ଏବଂ କାର‌୍ୟ୍ୟକଳାପକୁ ସହଜ ଓ ସୁନ୍ଦର କରୁଛନ୍ତି । ଦିନରାତି ପରିଶ୍ରମ କରି କରୋନା ଭୂତାଣୁକୁ ଡିକୋଡ କରିବା ତଥା ଖୁବ୍ କମ୍ ସମୟରେ ଟିକା ବିକଶିତ କରି ଆମ ବୈଜ୍ଞାନିକମାନେ ସଂପୂର୍ଣ୍ଣ ମାନବଜାତିର କଲ୍ୟାଣ ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଦେଶ ଏହି ମହାମାରୀକୁ କାବୁ କରିବାରେ ତଥା ବିକଶିତ ଦେଶଗୁଡିକ ତୁଳନାରେ ମୃତ୍ୟୁହାରକୁ ସୀମିତ ରଖିବା କ୍ଷେତ୍ରରେ ମଧ୍ୟ ଆମ ବୈଜ୍ଞାନିକମାନେ ଡାକ୍ତର, ପ୍ରଶାସନ ତଥା ଅନ୍ୟ ଲୋକଙ୍କ ସହିତ ମିଶି ଅମୂଲ୍ୟ ଯୋଗଦାନ ଦେଇଛନ୍ତି । ଏହି ପ୍ରୟାସ ପାଇଁ ଆମର ସବୁ କିଷାନ, ଯବାନ ଏବଂ ବୈଜ୍ଞାନିକ ବିଶେଷ ଅଭିନନ୍ଦନର ପାତ୍ର ଓ କୃତଜ୍ଞ ରାଷ୍ଟ୍ର ଗଣତନ୍ତ୍ର ଦିବସର ଶୁଭ ଅବସରରେ ଏହି ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି ।
ମୋର ପ୍ରିୟ ଦେଶବାସୀ,
ସମଗ୍ର ମାନବ ସମାଜ ଗତବର୍ଷ ଏକ ବିରାଟ ମହାମାରୀର ସମ୍ମୁଖୀନ ହୋଇ ତ୍ରସ୍ତ ହୋଇଯାଇଥିଲା । ଏହି ଅବସରରେ ମୁଁ ଭାରତୀୟ ସମ୍ବିଧାନର ମୂଳତତ୍ତ୍ୱ ଉପରେ ମନୋନିବେଶ କରିଥିଲି । ମୁଁ ସ୍ୱୀକାର କରିଥିଲି ଯେ ମୈତ୍ରୀର ଆମ ସାମ୍ବିଧାନିକ ଆଦର୍ଶ ବଳରେ ହିଁ ଏହି ସଂକଟର ପ୍ରଭାବୀ ମୁକାବିଲା କରିବା ସମ୍ଭବ ହୋଇପାରେ । କରୋନା ଭୂତାଣୁ ରୂପି ଶତ୍ରୁର ସମ୍ମୁଖୀନ ହେବାବେଳେ ଦେଶବାସୀ ଏକ ପରିବାର ଭଳି ଏକଜୁଟ ହୋଇ ଅନୁକରଣୀୟ ତ୍ୟାଗ, ସେବା ତଥା ବଳିଦାନର ପରିଚୟ ପ୍ରଦାନ କରିଥିଲେ ଏବଂ ଜଣେ ଅନ୍ୟ ଜଣଙ୍କୁ ରକ୍ଷା କରିବାରେ ସଫଳ ହୋଇଥିଲେ । ମୁଁ ଏଠାରେ ସେସବୁ ଚିକିତ୍ସକ, ସେବିକା, ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟସେବାରେ ଯୋଡି ହୋଇଥିବା ପ୍ରଶାସକ ଏବଂ ସଫେଇ କର୍ମୀଙ୍କ ଅବଦାନ ଉଲ୍ଲେଖ କରିବାକୁ ଚାହୁଁଛି; କାରଣ ସେମାନେ ନିଜ ଜୀବନକୁ ବିପନ୍ନ କରି ପୀଡିତଙ୍କ ଚିକିତ୍ସା ଓ ଦେଖାଶୁଣା କରୁଥିଲେ । ଅନେକ ମଧ୍ୟ ଏହି ପ୍ରକ୍ରିୟାରେ ନିଜ ଜୀବନ ହରାଇଥିଲେ । ସେମାନଙ୍କ ସହିତ ଏହି ମହାମାରୀ ପ୍ରାୟ ଦେଢଲକ୍ଷ ନାଗରିକଙ୍କ ଜୀବନ ନେଇଛି । ସେ ସମସ୍ତ ଶୋକସନ୍ତପ୍ତ ପରିବାର ପ୍ରତି ମୁଁ ମୋର ସମବେଦନା ପ୍ରକଟ କରୁଛି । କରୋନା ବିରୋଧୀ ସାମ୍ମୁଖ୍ୟରେ ଆଗଧାଡିର ଯୋଦ୍ଧାଭାବେ ଆମର ସାଧାରଣ ନାଗରିକ ମଧ୍ୟ ଅସାଧାରଣ ଯୋଗଦାନ ଦେଇଛନ୍ତି । ଆଗାମୀ ପିଢିର ଲୋକ ଯେତେବେଳେ ଏହି ସମୟର ଇତିହାସ ଜାଣିବେ ସେତେବେଳେ ଏହି ଆକସ୍ମିକ ସଂକଟ ଉପରେ ବିଜୟ ହାସଲ ପାଇଁ ଯେଉଁ ସାହସର ସହିତ ଆପଣମାନେ ସମସ୍ତେ ଲଢେଇ କରିଛନ୍ତି ସେଥିପାଇଁ ଶ୍ରଦ୍ଧାର ସହ ସେମାନେ ନସ୍ତମସ୍ତକ ହେବେ ।
ଭାରତର ବିପୁଳ ଜନସଂଖ୍ୟା, ସାଂସ୍କୃତିକ ପରମ୍ପରାର ବିବିଧତା ତଥା ପ୍ରାକୃତିକ ଏବଂ ଭୌଗୋଳିକ ସମସ୍ୟାବଳୀ କାରଣରୁ କୋଭିଡ୍ ରୁ ସୁରକ୍ଷା ଉପାୟ ବାହାର କରିବା ଆମ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ଆହ୍ୱାନମୂଳକ କାର‌୍ୟ୍ୟ ଥିଲା । ଏ ସବୁ ଆହ୍ୱାନ ସତ୍ତ୍ୱେ ଏହି ଭୂତାଣୁର ପ୍ରକୋପ ଉପରେ ନିୟନ୍ତ୍ରଣ ରଖିବାରେ ଆମେ ବିଶେଷ ସଫଳ ରହିଛୁ ।
ଏହି ଭୟଙ୍କର ବିପତ୍ତି ସତ୍ତ୍ୱେ ଆମେ ଅନେକ କ୍ଷେତ୍ରରେ ଆମ କାର‌୍ୟ୍ୟକଳାପକୁ ସଫଳତା ପୂର୍ବକ ଆଗକୁ ବଢାଇପାରିଛୁ । ଏହି ମହାମାରୀ କାରଣରୁ ଆମର ପିଲାଏ ଏବଂ ଯୁବପିଢିଙ୍କ ଶିକ୍ଷା ପ୍ରକ୍ରିୟା ବିଶେଷଭାବେ ବ୍ୟାହତ ହୋଇଥିଲା । କିନ୍ତୁ ଆମର ବିଭିନ୍ନ ସଂସ୍ଥାନ ଓ ଅନୁଷ୍ଠାନ ତଥା ଶିକ୍ଷକକୂଳ ନୂଆ ଟେକନୋଲଜିକୁ ଶୀଘ୍ର ଆପଣାଇ ଏହି ସମସ୍ୟାର ସମାଧାନ କରିବାରେ ସଫଳ ହୋଇଛନ୍ତି । ବିଦ୍ୟାର୍ଥୀଙ୍କୁ ସେମାନେ ନିରନ୍ତର ଶିକ୍ଷା ପ୍ରଦାନ ବ୍ୟବସ୍ଥା ସୁନିଶ୍ଚିତ କରିଛନ୍ତି ।
ବିହାର ଭଳି ଜନବହୁଳ ରାଜ୍ୟ ତଥା ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭଳି ଦୁର୍ଗମ ଓ ସମସ୍ୟାବହୁଳ କ୍ଷେତ୍ରରେ ମଧ୍ୟ ସ୍ୱତନ୍ତ୍ର, ନିରପେକ୍ଷ ଏବଂ ସୁରକ୍ଷିତ ନିର୍ବାଚନ ସଂପନ୍ନ କରାଇବା ଆମ ଗଣତନ୍ତ୍ର ଏବଂ ନିର୍ବାଚନ ଆୟୋଗଙ୍କ ପ୍ରଶଂସନୀୟ ଉପଲବ୍ଧି । ଟେକ୍ନୋଲଜିର ସହାୟତାରେ ନ୍ୟାୟପାଳିକା ମଧ୍ୟ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଜାରି ରଖିଛି । ଏହିଭଳି ଉପଲବ୍ଧିର ସୂଚୀ ବହୁତ ଲମ୍ବା ।
ଆର୍ଥିକ ଗତିବିଧି ଆରମ୍ଭ କରିବା ପାଇଁ ଅନ୍ଲକିଂ ପ୍ରକ୍ରିୟାକୁ ବେଶ୍ ସାବଧାନତାର ସହିତ ପର‌୍ୟ୍ୟାୟକ୍ରମେ ଲାଗୁ କରାଯାଇଥିଲା । ଏହି ରଣନୀତି ସଫଳ ପ୍ରମାଣିତ ହୋଇଛି ତଥା ଅର୍ଥ ବ୍ୟବସ୍ଥାରେ ପୁନର୍ବାର ଦୃଢତାର ସଂକେତ ଦେଖିବାକୁ ମିଳିଲାଣି । ଏବେ ରେକର୍ଡ କରାଯାଇଥିବା ଜିଏସ୍ଟି ସଂଗ୍ରହ ହାର ବେଶ୍ ଉଲ୍ଲେଖନୀୟ ହୋଇଛି ଏବଂ ବିଦେଶୀ ପୁଞ୍ଜି ନିବେଶ ପାଇଁ ଆକର୍ଷଣୀୟ ଅର୍ଥ ବ୍ୟବସ୍ଥାଭାବେ ଭାରତ ଏକ ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି । ଦ୍ରୁତଗତିରେ ଆମର ଯେଉଁ ଆର୍ଥିକ ପୁନରୁଦ୍ଧାର ପ୍ରକ୍ରିୟା ଚାଲିଛି ଏହା ତାହାର ସୂଚକ । ସରକାର ଲଘୁ ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତସାହନ ଯୋଗାଇଛନ୍ତି । ସହଜ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇ ଉଦ୍ୟମିତାକୁ ପ୍ରୋତ୍ସାହିତ କରାଯାଇଛି । ବ୍ୟାପାର କ୍ଷେତ୍ରରେ ଇନୋଭେସନ ପ୍ରୟୋଗ କରି ଏହାକୁ ପ୍ରେରିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।
ମୋର ପ୍ରିୟ ଦେଶବାସୀ
ବିଗତ ବର୍ଷର ପ୍ରତିକୂଳ ପରିସ୍ଥିତି ଆମକୁ କେତେକ ସଂସ୍କାର କାର‌୍ୟ୍ୟକାରୀ କରିବା ପାଇଁ ବାଧ୍ୟ କରିଥିଲା । ସେସବୁ ଆମ ଲୋକଙ୍କ ହୃଦୟରେ ସଦା ବିଦ୍ୟମାନ ରହିଛି । ସମୟର ଆହ୍ୱାନକ୍ରମେ ଆମ ଦେଶବାସୀ ପ୍ରତ୍ୟେକ କ୍ଷେତ୍ରରେ ନିଜ କ୍ଷମତାର ପ୍ରଦର୍ଶନ କରି ନିଜେ ପ୍ରଥମେ ଅନ୍ୟର ହିତକୁ ପ୍ରାଥମିକତା ଦେଇଛନ୍ତି । ମାନବିକତା ପାଇଁ ସହାନୁଭୂତି, ସେବା ଏବଂ ବନ୍ଧୁତାର ଏହି ଗଭୀର ବିଚାର ଓ ଭାବନା ଏଥିରେ ପ୍ରତିଫଳିତ । ଏହା ହିଁ ହଜାର ହଜାର ବର୍ଷଧରି ଆମକୁ ଏକଜୁଟ କରି ରଖିଛି । ଆମେ ଭାରତବାସୀ ମାନବିକତା ପାଇଁ ବଞ୍ଚିଛୁ ଏବଂ ଏହା ପାଇଁ ମଧ୍ୟ ପ୍ରାଣପାତ କରୁଛୁ । ଏହି ଭାରତୀୟ ଆଦର୍ଶକୁ ମହାନ୍ କବି ମୈଥିଳି ଶରଣ ଗୁପ୍ତ ତାଙ୍କ ଭାଷାରେ ବ୍ୟକ୍ତ କରିଛନ୍ତି । ସେ ଲେଖିଥିଲେ-
‘ଏହି ଉଦାରତା ସଦା, ସଜୀବ କୀର୍ତ୍ତି ରଚୁଛି,
ଏହି ଉଦାରତାକୁ ସମସ୍ତ ସୃଷ୍ଟି ପୂଜୁଛି ।
ଅଖଣ୍ଡ ଆତ୍ମଭାବ ଯାହା, ଅସୀମ ବିଶ୍ୱରେ ଭରେ
ଏହି ମଣିଷ ହିଁ ସିଏ ଯିଏ ମଣିଷ ପାଇଁ ମରେ ।’
ମୁଁ ନିଶ୍ଚିତ, ମାନବିକତା ପାଇଁ ଏହି ପ୍ରେମ ଏବଂ ସେବାର ଚେତନା ଆମକୁ ଉଚ୍ଚତର ସୋପାନକୁ ନେଇପାରିବ ।
ଆସନ୍ତୁ ୨୦୨୦ ବର୍ଷଟିକୁ ଦେଖିବା । ମୋ ବିଚାରରେ ଏହି ବର୍ଷଟି ଆମକୁ ଅନେକ କିଛି ଶିକ୍ଷା ଦେଇଛି । ଅନ୍ୟ ବର୍ଷ ତୁଳନାରେ ଏହି ବର୍ଷଟି ଖୁବ୍ କମ୍ ସମୟରେ ନିଜର ସ୍ୱଚ୍ଛ ଏବଂ ନିର୍ମଳ ସ୍ୱରୂପ ପୁନର୍ବାର ପ୍ରାପ୍ତ କରିଥିଲା । ଏତେ ସଫାସୁତୁରା ପ୍ରାକୃତିକ ସୌନ୍ଦର‌୍ୟ୍ୟ ବହୁ ସମୟ ପରେ ଦେଖିବାକୁ ମିଳିଲା । ଏହି ପ୍ରକାର ପ୍ରକୃତି ସ୍ପଷ୍ଟ ସନ୍ଦେଶ ଦେଲା ଯେ ଛୋଟ ଛୋଟ ପ୍ରୟାସ କେବଳ ବାଧ୍ୟବାଧକତା ନୁହେଁ, ବରଂ ବଡ଼ ପ୍ରୟାସର ପୂରକ ହୋଇଥାଏ । ମୋର ବିଶ୍ୱାସ ଯେ ଭବିଷ୍ୟତରେ ମଧ୍ୟ ଆମେ ଏଭଳି ମହାମାରୀର ବିପଦକୁ କମ୍ କରିବା ଉଦ୍ଦେଶ୍ୟରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ବିଶ୍ୱସ୍ତରରେ ଅଗ୍ରାଧିକାର ଦେବା ।
ପ୍ରିୟ ଦେଶବାସୀ,
ଏକ ସଂକଟକୁ ସୁଯୋଗରେ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନର ଆହ୍ୱାନ ଦେଇଥିଲେ । ଆମର ଜୀବନ୍ତ ଗଣତନ୍ତ୍ର କର୍ମଠ ଏବଂ ପ୍ରତିଭାବାନ ଦେଶବାସୀ ବିଶେଷକରି ଆମର ଯୁବ ସଂପ୍ରଦାୟ ଆତ୍‌ମନିର୍ଭର ଭାରତ ନିର୍ମାଣରେ ଆମର ଉଦ୍ୟମକୁ ଶକ୍ତି ପ୍ରଦାନ କରୁଛନ୍ତି । ବସ୍ତୁ ଓ ସେବା ପାଇଁ ଆମ ଦେଶବାସୀଙ୍କ ଚାହିଦା ପୂରଣ କରିବାରେ ଘରୋଇ ପ୍ରୟାସ ଆରମ୍ଭ ହୋଇଛି । ଏହି ଉଦ୍ୟମରେ ଆଧୁନିକ ଟେକ୍ନୋଲଜିର ପ୍ରୟୋଗ କରି ଏହି ଅଭିଯାନକୁ ସଶକ୍ତ କରାଯାଉଛି । ଏହି ଅଭିଯାନ ମାଧ୍ୟମରେ କ୍ଷୁଦ୍ର, ଅତିକ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହନ ଦେବାସହ ଷ୍ଟାର୍ଟଅପ୍ ପରିବେଶ ସୃଷ୍ଟି କରାଯାଇ ଏହାକୁ ଅଧିକ ମଜଭୁତ କରାଯାଉଛି । ଏହା ଆର୍ଥିକ ବିକାଶକୁ ଆଗେଇ ନେବା ସହ ଅଧିକ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ଉଦ୍ଦିଷ୍ଟ । ଆତ୍ମନିର୍ଭର ଭାରତ ଅଭିଯାନ ଏକ ଜନ ଆନ୍ଦୋଳନର ରୂପ ନେଉଛି ।
ଏହି ଅଭିଯାନ କେତେକ ରାଷ୍ଟ୍ରୀୟ ସଂକଳ୍ପକୁ ପୂରଣ କରିବାରେ ସହାୟକ ହେବ । ଏହି ସଂକଳ୍ପ ଭିତରେ ଆମେ ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ହାସଲ କରିବାକୁ ଲକ୍ଷ୍ୟ ରଖିଛୁ । ୨୦୨୨ ରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆମେ ନୂଆ ଭାରତ ଯେପରି ଗଢିପାରିବା ସେଥିପାଇଁ ଏହି ଉଦ୍ୟମ ଜାରି ରହିଛି । ପ୍ରତ୍ୟେକ ପରିବାରକୁ ମୌଳିକ ସୁବିଧା ସୁଯୋଗ ଥିବା ପକ୍କା ଘର ଯୋଗାଇଦେବା ସହ କିଷାନଙ୍କ ଆୟ ଦ୍ୱିଗୁଣ କରିବା ଆଦି ଏଭଳି କିଛି ଲକ୍ଷ୍ୟ ମଧ୍ୟ ରାଷ୍ଟ୍ର ପୋଷଣ କରିଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ମଧ୍ୟରେ ଏସବୁ ଲକ୍ଷ୍ୟ ହାସଲ କରିବା ବିଶେଷ ମହତ୍ୱପୂର୍ଣ୍ଣ । ନବଭାରତର ସମାବେଶୀ ସମାଜ ନିର୍ମାଣ ପାଇଁ ଆମେ ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ବଞ୍ଚିତବର୍ଗଙ୍କ ଉତ୍ଥାନ ଏବଂ ମହିଳାଙ୍କ କଲ୍ୟାଣ ଉପରେ ବିଶେଷ ଗୁରୁତ୍ୱ ଦେଉଛୁ ।
ପ୍ରତିକୂଳ ପରିସ୍ଥିତିରୁ ଆମକୁ କିଛି ନା କିଛି ଶିକ୍ଷା ମିଳୁଛି ଏହା ଆମେ ସ୍ୱୀକାର କରୁଛୁ । ସେସବୁର ସାମନା କରିବାକୁ ଆମର ଶକ୍ତି ଓ ଆତ୍ମବିଶ୍ୱାସ ମଧ୍ୟ ବଢୁଛି । ଏହି ଆତ୍ମବିଶ୍ୱାସର ସହିତ ଭାରତ କେତେକ କ୍ଷେତ୍ରରେ ବଡ଼ ପଦକ୍ଷେପ ଗ୍ରହଣ କରିଛି । ପୂର୍ଣ୍ଣଗତିରେ ଆଗକୁ ବଢୁଥିବା ଆମର ଆର୍ଥିକ ସୁଧାରର ପୂରକରୂପେ ନୂଆ ନିୟମକାନୁନ ତିଆରି କରି କୃଷି ଏବଂ ଶ୍ରମ କ୍ଷେତ୍ରରେ ଅନେକ କିଛି ସଂସ୍କାର ଅଣାଯାଇଛି; ଯାହା ଦୀର୍ଘକାଳଧରି ଉପେକ୍ଷିତ ହୋଇ ରହିଥିଲା । ପ୍ରାରମ୍ଭରେ ଏହି ସଂସ୍କାର ବିଷୟରେ ଆଶଙ୍କା ସୃଷ୍ଟି ହୋଇପାରେ; କିନ୍ତୁ ଏଥିରେ କିଛି ସନ୍ଦେହ କରିବାର ନାହିଁ । ଚାଷୀଙ୍କ ହିତରେ ସରକାର ସଂପୂର୍ଣ୍ଣ ସମର୍ପିତ ହୋଇ କାର‌୍ୟ୍ୟ କରୁଛନ୍ତି ।
ସଂସ୍କାର ପ୍ରକ୍ରିୟାରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯାଇଛି ଯାହା ଉଲ୍ଲେଖନୀୟ । ଏହି ସଂସ୍କାର ମଧ୍ୟ ଦୀର୍ଘଦିନ ଧରି ଜରୁରୀ ଥିଲା; କିନ୍ତୁ ତାହା ହୋଇପାରୁ ନ ଥିଲା । ଏହା ମଧ୍ୟ କୃଷି ଏବଂ ଶ୍ରମ ସୁଧାର ଭଳି ସମାନ ମହତ୍ୱପୂର୍ଣ୍ଣ; କିନ୍ତୁ ଏକ ବଡ଼ ସଂଖ୍ୟକ ଲୋକଙ୍କ ଜୀବନକୁ ବ୍ୟାପକଭାବେ ଏହା ପ୍ରଭାବିତ କରିବାର ସାମର୍ଥ୍ୟ ରଖିଛି । ୨୦୨୦ ରେ ଘୋଷିତ ରାଷ୍ଟ୍ରୀୟ ଶିକ୍ଷାନୀତିରେ ପ୍ରଯୁକ୍ତି ସହିତ ପରମ୍ପରା ଉପରେ ମଧ୍ୟ ଜୋର୍ ଦିଆଯାଇଛି । ଏହାଦ୍ୱାରା ଏଭଳି ଏକ ନୂଆ ଭାରତର ଭିତ୍ତିଭୂମି ସ୍ଥାପନ କରାଯାଇଛି; ଯାହା ଆନ୍ତର୍ଜାତିକ ମଞ୍ଚରେ ଏକ ଜ୍ଞାନକେନ୍ଦ୍ର ରୂପେ ଆତ୍ମପ୍ରକାଶ କରିବାର ଆକାଂକ୍ଷା ରଖିଛି । ନୂଆ ଶିକ୍ଷା ପ୍ରଣାଳୀ ବିଦ୍ୟାର୍ଥୀଙ୍କ ଆଭ୍ୟନ୍ତରୀଣ ପ୍ରତିଭାର ବିକାଶ କରି ସେମାନଙ୍କୁ ଜୀବନର ଆହ୍ୱାନଗୁଡିକର ମୁକାବିଲା ପାଇଁ ସକ୍ଷମ କରିବ ।
ସବୁ କ୍ଷେତ୍ରରେ ସଂକଳ୍ପ ଓ ଦୃଢତାର ସହିତ ଆଗକୁ ବଢିବା ପାଇଁ ଉତ୍ତମ ପରିଣାମ ଦେଖିବାକୁ ମିଳିଲାଣି । କରୋନା ସହିତ ପ୍ରାୟ ଏକବର୍ଷର ଆତ୍ମଘୋଷିତ ଅଗ୍ନି ପରୀକ୍ଷା ସତ୍ତ୍ୱେ ଭାରତ ହତାଶ ହୋଇନାହିଁ । ଏଥିରେ ଭାରତର ଆତ୍ମବିଶ୍ୱାସ ବରଂ ବଢିଛି । ଆମ ଦେଶରେ ଆର୍ଥିକ ମାନ୍ଦାବସ୍ଥା ସ୍ୱଳ୍ପ ସମୟପାଇଁ ରହିଥିଲା । ଏବେ ଆମ ଅର୍ଥ ବ୍ୟବସ୍ଥା ପୁନଃ ପ୍ରତ୍ୟାବର୍ତ୍ତନ ପଥରେ ଆଗେଇଛି । ଆତ୍ମନିର୍ଭର ଭାରତ କରୋନା ଭୂତାଣୁରୁ ସୁରକ୍ଷା ପାଇଁ ନିଜର ଟିକା ତିଆରି କରିପାରିଛି । ଏବେ ବିଶାଳ ପରିମାଣର ଟିକାକରଣର ଯେଉଁ ଅଭିଯାନ ଚାଲିଛି ତାହା ଇତିହାସରେ ସର୍ବବୃହତ୍ ଅଭିଯାନ ହେବ । ଏହି ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ପ୍ରଶାସନ ଏବଂ ସ୍ୱାସ୍ଥ୍ୟସେବା ସହିତ ସଂପୃକ୍ତ ଲୋକ ପୂର୍ଣ୍ଣ ତତ୍ପରତାର ସହ କାର‌୍ୟ୍ୟରତ । ମୁଁ ଦେଶବାସୀଙ୍କୁ ଆହ୍ୱାନ ଦେଉଛି ଯେ ସେମାନେ ସବୁ ସ୍ୱାସ୍ଥ୍ୟରକ୍ଷା ନର୍ଦେଶାବଳୀ ପାଳନ କରି ନିଜ ସ୍ୱାସ୍ଥ୍ୟର ହିତ ପାଇଁ ଏହି ଟିକାରୂପୀ ସଞ୍ଜିବନୀର ଲାଭ ଉଠାନ୍ତୁ ଏବଂ ଟିକା ନିଅନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ହିଁ ଆପଣଙ୍କ ଉନ୍ନତିର ପଥ ଖୋଲିବ ।
ଆଜି ଭାରତକୁ ବାସ୍ତବ ଅର୍ଥରେ ଫାର୍ମାସୀ ଅଫ୍ ଦି ୱାର୍ଲଡ କୁହାଯାଉଛି । କାରଣ ଆମେ ଅନେକ ଦେଶର ଲୋକଙ୍କ ପୀଡାକୁ କମ୍ କରିବାକୁ କାର‌୍ୟ୍ୟ କରୁଛୁ । ମହାମାରୀକୁ ନିୟନ୍ତ୍ରିତ କରିବା ଲାଗି ଔଷଧ ତଥା ସ୍ୱାସ୍ଥ୍ୟସେବାର ଅନ୍ୟ ଉପକରଣ ବିଶ୍ୱର କୋଣଅନୁକୋଣକୁ ଯୋଗାଇ ଦେଉଛୁ । ଏବେ ଆମେ ଟିକା ମଧ୍ୟ ଅନ୍ୟ ଦେଶକୁ ଯୋଗାଇ ଦେବାକୁ ଯାଉଛୁ ।
ମୋର ପ୍ରିୟ ଦେଶବାସୀ,
ଗତବର୍ଷ କେତେକ କ୍ଷେତ୍ରରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଆମେ ଆମ ସୀମା ଉପରେ ବିସ୍ତାରବାଦୀ ଗତିବିଧିକୁ ସାମନା କରିଥିଲୁ ; କିନ୍ତୁ ଆମର ସାହସୀ ସୈନିକମାନେ ଏହି ଉଦ୍ୟମକୁ ବିଫଳ କରିଦେଇଥିଲେ । ଏହା କରିବା ବେଳେ ଆମର ୨୦ ଜଣ ଯବାନ ଶହୀଦ ହୋଇଥିଲେ । ସବୁ ଦେଶବାସୀ ଏହି ଅମର ଯବାନଙ୍କ ପ୍ରତି କୃତଜ୍ଞ । ଆମେ ଶାନ୍ତି ପାଇଁ ଆମର ପ୍ରତିଶ୍ରୁତିବଦ୍ଧତାରେ ଅଟଳ ଥିଲେ ହେଁ ଆମର ସ୍ଥଳସେନା, ବାୟୁସେନା ଏବଂ ନୌସେନା ଆମ ସୁରକ୍ଷାର ବିରୋଧାଚରଣ କରୁଥିବା ଯେକୌଣସି ଦୁଃସାହସକୁ ବିଫଳ କରିବାକୁ ପୁରା ପ୍ରସ୍ତୁତ । ପ୍ରତ୍ୟେକ ପରିସ୍ଥିତିରେ ନିଜ ରାଷ୍ଟ୍ରୀୟ ହିତକୁ ରକ୍ଷା କରିବା ପାଇଁ ଆମେ ସଂପୂର୍ଣ୍ଣ ସକ୍ଷମ । ଆନ୍ତର୍ଜାତିକ ସମୁଦାୟକୁ ଭାରତର ଦୃଢ ଏବଂ ସୈଦ୍ଧାନ୍ତିକ ଆଭିମୁଖ୍ୟ ସଂପର୍କରେ ବେଶ୍ ଭଲଭାବେ ଆମେ ଅବଗତ କରାଇ ଦେଇଛୁ ।
ଭାରତ ପ୍ରଗତି ପଥରେ ଆଗକୁ ବଢୁଛି । ବିଶ୍ୱ ସମୁଦାୟରେ ମଧ୍ୟ ନିଜର ସମୁଚିତ ସ୍ଥାନ ତିଆରି କରିଛି । ବିଗତ କିଛି ବର୍ଷରେ ଭାରତର ପ୍ରଭାବ କ୍ଷେତ୍ର ଆହୁରି ଅଧିକ ପରିବ୍ୟାପ୍ତ ହୋଇ ଏଥିରେ ବିଶ୍ୱର ବ୍ୟାପକ କ୍ଷେତ୍ର ସାମିଲ ହୋଇଛି । ଯେଉଁ ଅସାଧାରଣ ସମର୍ଥନର ସହିତ ଏବର୍ଷ ଭାରତ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟଭାବେ ପ୍ରବେଶ କଲା ତାହା ଆମ ବର୍ଦ୍ଧିଷ୍ଣୁ ପ୍ରଭାବର ସୂଚନା ଦିଏ । ନିଜର ଜୀବନ୍ତ ଗଣତନ୍ତ୍ରର ଶକ୍ତି ଦ୍ୱାରା ଭାରତ ଏକ ଦାୟିତ୍ୱପୂର୍ଣ୍ଣ ଏବଂ ବିଶ୍ୱସନୀୟ ରାଷ୍ଟ୍ରଭାବେ ନିଜର ମର‌୍ୟ୍ୟାଦା ବଢାଇଛି ।
ଏହି ପରିପ୍ରେକ୍ଷୀରେ ଆମେ ଆମ ସମସ୍ତଙ୍କ ହିତରେ ଆମ ସମ୍ବିଧାନରେ ନିହିତ ଆଦର୍ଶକୁ ବେଦବାକ୍ୟ ପରି ସର୍ବଦା ମନେ ରଖିବା ଉଚିତ । ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ବିଚାରକୁ ସ୍ମରଣ କରିବା କଥା ମୁଁ ପୂର୍ବରୁ କହିଥିଲି ଏବଂ ଆଜି ମଧ୍ୟ ପୁନର୍ବାର ଦୋହରାଉଛି । ଏହାକୁ ଆମ ଦିନଚର‌୍ୟ୍ୟାର ଅଂଶବିଶେଷ କରିବା ଉଚିତ । ଆମକୁ ସମସ୍ତ ପ୍ରକାର ଉଦ୍ୟମ କରି ସମାଜର ଜଣେ ବି ସଦସ୍ୟ ଯେପରି ଦୁଃଖୀ କିମ୍ବା ଅଭାବଗ୍ରସ୍ତ ନ ରହନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପଡିବ । ସମତା ଆମ ଗଣତନ୍ତ୍ରର ମହାନ୍ ଯଜ୍ଞର ବୀଜମନ୍ତ୍ର । ସାମାଜିକ ସମତାର ଆଦର୍ଶ ପ୍ରତ୍ୟେକ ବ୍ୟକ୍ତିର ଗରିମା ସୁନିଶ୍ଚିତ କରିଥାଏ । ସେଥିରେ ଆମର ଗ୍ରାମବାସୀ, ମହିଳା, ଅନୁସୂଚିତ ଜାତି ଓ ଜନଜାତି ସହିତ ଅପେକ୍ଷାକୃତ ଦୁର୍ବଳବର୍ଗର ଲୋକ, ଦିବ୍ୟାଙ୍ଗ ଜନ ଏବଂ ପିଲା ଓ ବୁଢା ସମସ୍ତେ ସାମିଲ । ଆର୍ଥିକ ସମତାର ଆଦର୍ଶ ସମସ୍ତଙ୍କ ପାଇଁ ସମାନ ସୁବିଧା ସୁଯୋଗ ଏବଂ ପଛରେ ପଡିଯାଇଥିବା ଲୋକଙ୍କୁ ସହାୟତା ଯୋଗାଣକୁ ସୁନିଶ୍ଚିତ କରିବା ଆମର ସାମ୍ବିଧାନିକ ଦାୟିତ୍ୱକୁ ସ୍ପଷ୍ଟ କରୁଛି । ସହାନୁଭୂତିର ଭାବନା, ପରର ଉପକାର ପାଇଁ ଉଦ୍ଦିଷ୍ଟ କାର‌୍ୟ୍ୟ ଆମର ସମବେଦନା ଦକ୍ଷତାକୁ ସଂପ୍ରସାରିତ କରିଥାଏ । ଆପୋସ ଭ୍ରାତୃଭାବର ନୈତିକ ଆଦର୍ଶ ହିଁ ଆମର ପଥପ୍ରଦର୍ଶକ ରୂପେ କାର‌୍ୟ୍ୟ କରିବ ଏବଂ ଏହାଦ୍ୱାରା ଆମେ ସାମୁହିକ ଯାତ୍ରାର ମାର୍ଗ ପ୍ରଶସ୍ତ କରିପାରିବା । ଆମ ସମସ୍ତଙ୍କୁ ସାମ୍ବିଧାନିକ ନୈତିକତା ମାର୍ଗରେ ନିରନ୍ତର ଗତି କରିବାକୁ ପଡିବ । ବାବା ସାହେବ ଆମ୍ବେଦକର ୧୯୪୮ ନଭେମ୍ବର ୪ ରେ ଏ କଥା ସମ୍ବିଧାନର ଚିଠା ପ୍ରସ୍ତୁତ କରିବା ସମୟରେ ସମ୍ବିଧାନ ପ୍ରଣୟନ ସଭାରେ ଉଲ୍ଲେଖ କରିଥିଲେ । ସେ ସ୍ପଷ୍ଟ କରିଥିଲେ ଯେ ସାମ୍ବିଧାନିକ ନୈତିକତାର ଅର୍ଥ ସମ୍ବିଧାନରେ ନିହିତ ମୂଲ୍ୟବୋଧକୁ ସର୍ବାନ୍ତକରଣରେ ସ୍ୱୀକାର କରିବା ।
ମୋର ପ୍ରିୟ ଦେଶବାସୀ,
ଆମ ଗଣତନ୍ତ୍ର ସ୍ଥାପନାର ଉତ୍ସବ ପାଳନର ଏହି ଅବସରରେ ମୋର ଧ୍ୟାନ ବିଦେଶରେ ରହୁଥିବା ଆମର ଭାଇଭଉଣୀଙ୍କ ଉପରେ ରହିଛି । ପ୍ରବାସୀ ଭାରତୀୟ ଆମ ଦେଶର ଗୌରବ । ଅନ୍ୟ ଦେଶରେ ବସବାସ କରୁଥିବା ଭାରତୀୟମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । ଏଥିରେ କିଛିଲୋକ ରାଜନୈତିକ ନେତୃତ୍ୱର ଉଚ୍ଚସ୍ତରରେ ପହଞ୍ଚିପାରିଛନ୍ତି । ଆହୁରି ଅନେକ ଲୋକ ବିଜ୍ଞାନ, କଳା, ଶିକ୍ଷା, ସମାଜସେବା ଏବଂ ବ୍ୟାପାର କ୍ଷେତ୍ରରେ ମଧ୍ୟ ବହୁମୂଲ୍ୟ ଯୋଗଦାନ ଦେଉଛନ୍ତି । ଆପଣମାନେ ସବୁ ପ୍ରବାସୀ ଭାରତୀୟ, ନିଜର ବର୍ତ୍ତମାନ କର୍ମଭୂମିର ଗୌରବ ମଧ୍ୟ ବଢାଉଛନ୍ତି । ଆପଣମାନଙ୍କ ପୂର୍ବଜଙ୍କ ଭୂମି ଭାରତରୁ ମୁଁ ଆପଣମାନଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ଆମର ସଶସ୍ତ୍ରବାହିନୀ, ଅର୍ଦ୍ଧସୈନିକ ବଳ ଏବଂ ପୁଲିସବାହିନୀର ଯବାନ ପ୍ରାୟତଃ ନିଜ ପରିବାରଠାରୁ ଦୂରରେ ରହି ଉତ୍ସବ ପାଳନ କରିଥାନ୍ତି । ଏ ସମସ୍ତ ଯବାନଙ୍କୁ ମୁଁ ବିଶେଷ ଅଭିନନ୍ଦନ ଜଣାଉଛି ।
ମୁଁ ପୁନର୍ବାର ଆପଣମାନଙ୍କୁ, ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭକାମନା ଜଣାଉଛି ।
ଧନ୍ୟବାଦ
ଜୟହିନ୍ଦ୍

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *