Sunday , June 13 2021
Breaking News
Home / ଶିକ୍ଷା / ୧୭୬୦ ପ୍ରାଥମିକ ସ୍କୁଲରେ ଝୁଲିବ ତାଲା

୧୭୬୦ ପ୍ରାଥମିକ ସ୍କୁଲରେ ଝୁଲିବ ତାଲା

ଭୁବନେଶ୍ୱର,୨୯/୭/୨୦୧୯(ଓଡ଼ିଶା ସମାଚାର)-ପୁଣି ରାଜ୍ୟରେ ୧୭୬୦ଟି ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲିବାକୁ ଯାଉଛି । ପୂର୍ବ ନିଷ୍ପତିି ଅନୁଯାୟୀ ଏହି ସ୍କୁଲଗୁଡ଼ିକ ଏକ କିଲୋମିଟର ଅଂଚଳ ମଧ୍ୟରେ ରହିଥିବା ବେଳେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ରହିଛି । ଯାହାଫଳରେ ସ୍କୁଲ ଚଳାଇବା ସହିତ ସରକାର ଶିକ୍ଷକଙ୍କୁ ଅଯଥାରେ ବସାଇ ଦରମା ଦେଉଛନ୍ତି । ଏହିସବୁ କାରଣକୁ ଭିତିକରି ୧୭୬୦ ସ୍କୁଲ ବନ୍ଦ କରିବା ସହିତ ଏହି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପାଖ ବିଦ୍ୟାଳୟକୁ ସ୍ଥାନାନ୍ତର କରିବାର ଯୋଜନା ରଖାଯାଇଛି । ପୂର୍ବରୁ ରାଜ୍ୟରେ ପ୍ରାୟ ୬୧୭୯ ସ୍କୁଲ ବନ୍ଦ ହୋଇସାରିଛି । ଯାହାକୁ ନେଇ ରାଜ୍ୟରେ ଶିକ୍ଷାବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି । ଏଣିକି ସବୁ ଜିଲ୍ଲାରେ ପ୍ରାଥମିକ ସ୍କୁଲ ଓ ହାଇସ୍କୁଲ ମଧ୍ୟରେ କୌଣସି ଦୂରତା ରହିବ ନାହିଁ । ଫଳରେ ପୂର୍ବ ଭଳି ପିଲାମାନେ ପ୍ରାଥମିକ ଶିକ୍ଷା ପରେ ଅନ୍ୟ ଏକ ସ୍ଥାନରେ ଥିବା ଉଚ୍ଚବିଦ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ପୂର୍ବରୁ ପ୍ରଥମ ଦଫାରେ ୧୦୦ ମିଟର ବ୍ୟବଧାନରେ ଥିବା ୧୧୮୩ଟି ସ୍କୁଲ ଓ ୨ୟ ପର୍ଯ୍ୟାୟରେ ୫୦୦ ମିଟର ଦୂରରେ ଥିବା ୪ ହଜାର ସ୍କୁଲକୁ ମର୍ଜ କରାଯାଇଥିଲା । ସେହିପରି ୧୦ କିମ୍ବା ଏହାଠାରୁ କମ ପିଲାଥିବା ୯୯୬ଟି ସ୍କୁଲକୁ ବନ୍ଦ କରିବାକୁ ସରକାର ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ରିପୋର୍ଟ ଅନୁଯାୟୀ ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୬ହଜାର ୭୦ଟି ସ୍କୁଲ ରହିଛି । କେବଳ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୭ ଲକ୍ଷ ୭୧ ହଜାର ୨୪୯ ଜଣ । ଏଥିରୁ ଛାତ୍ରଙ୍କ ସଂଖ୍ୟା ୧୯ ଲକ୍ଷ ୪୧ ହଜାର ୫୨୬ ଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୧୮ ଲକ୍ଷ ୨୯ହଜାର ୭୨୩ ରହିଛି । ମାତ୍ର ରାଜ୍ୟରେ ଏପରି ଅନେକ ସ୍କୁଲ ରହିଛି ଯେଉଁଠି ୨ଅଙ୍କ ବିଶିଷ୍ଟ ସଂଖ୍ୟା ଠାରୁ କମ ପିଲା ପଢ଼ୁଛନ୍ତି । ମାତ୍ର ସେହି ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ୫ରୁ ଅଧିକ ରହିଛି । ଅପରପକ୍ଷେ ଏପରି ମଧ୍ୟ କିଛି ସ୍କୁଲ ରହିଛି ଯେଉଁଠି ପିଲାଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ପଢ଼ାଇବାକୁ ଶିକ୍ଷକ ନାହାନ୍ତି । ଏପରି ସମସ୍ୟାକୁ ନଜର ଦେଇ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥାରେ ପରିବର୍ତନ ଆଣିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣି ପ୍ରୟାସ ଆରମ୍ଭ ହୋଇଛି । ମର୍ଜ ହେବାକୁ ଥିବା ୧୭୬୦ ସ୍କୁଲ ମଧ୍ୟରେ ବନ୍ଦ ତାଲିକାରେ ଜିଲ୍ଲା ୱାରି ରିପୋର୍ଟ ଅନୁଯାୟୀ, ଅନୁଗୁଳ ଜିଲ୍ଲାରେ ୩୧ ସ୍କୁଲ ରହିଥିବା ବେଳେ ବାଲେଶ୍ୱରରେ ୪୪, ଭଦ୍ରଖରେ ୪୮, ବରଗଡ଼ରେ ୨୮, ବଲାଙ୍ଗିରରେ ୫୪, ବୌଦ୍ଧରେ ୧୦, କଟକରେ ୫୩, ଦେବଗଡ଼ରେ ୩୬, ଢେଙ୍କାନାଳରେ ୫୮, ଗଜପତିରେ ୧୦୮, ଗଞ୍ଜାମରେ ୧୩୨, ଜଗତସିଂପୁରରେ ୭୪, ଯାଜପୁରରେ ୩୪, ଝାରସୁଗୁଡ଼ାରେ ୪୩, କଳାହାଣ୍ଡିରେ ୭୧, କନ୍ଧମାଳରେ ୩୫, କେନ୍ଦୁଝରରେ ୭୦, କେନ୍ଦ୍ରାପଡ଼ାରେ ୪୭, ଖୋର୍ଦ୍ଧାରେ ୭୪, କୋରାପୁଟରେ ୪୯, ମାଲକାନଗିରିରେ ୯୪, ମୟୂରଭଞ୍ଜରେ ୮୯, ନବରଙ୍ଗପୁରରେ ୩୮, ନୟାଗଡ଼ରେ ୪୧, ନୂଆପଡ଼ାରେ ୧୦୭, ପୁରୀରେ ୨୫, ରାୟଗଡ଼ାରେ ୨୧, ସମ୍ବଲପୁରରେ ୪୯, ସୋନପୁରରେ ୩୫ ଏବଂ ସୁନ୍ଦରଗଡ଼ରେ ୯୦ଟି ସ୍କୁଲ ତାଲିକାରେ ରହିଛି । ଯେଉଁ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ କକ୍ଷ ନାହିଁ, ୧୦ରୁ କମ୍ ପିଲା ଥିବା ବେଳେ ୫ଜଣରୁ ଅଧିକ ଶିକ୍ଷକ ଥିବା ସ୍କୁଲକୁ ମର୍ଜ କରାଯାଇଛି । ଏହି ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ଶେଷ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିବା ବେଳେ ଖୁବ୍ଶୀଘ୍ର ରାଜ୍ୟରେ କେବଳ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୩ହଜାର ୩୦୭ଟି ବିଦ୍ୟାଳୟରୁ ୧୭୦ଟି ସ୍କୁଲ ବନ୍ଦ ହେବ ବୋଲି ଚର୍ଚ୍ଚାରେ ରହିଛି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *