Thursday , June 17 2021
Home / ସ୍ୱାସ୍ଥ୍ୟ / ସିଡିଏମଓ ସମ୍ମିଳନୀର ଅନ୍ତିମ ଦିନ : ଠିକା ଡାକ୍ତରଙ୍କ ବୟସସୀମା ୭୦କୁ ବଢିବ

ସିଡିଏମଓ ସମ୍ମିଳନୀର ଅନ୍ତିମ ଦିନ : ଠିକା ଡାକ୍ତରଙ୍କ ବୟସସୀମା ୭୦କୁ ବଢିବ

ଘରୋଇ ସଂସ୍ଥାର ପରୀକ୍ଷା ରିପୋର୍ଟ ଉପରେ କଟକଣା – ସିଡିଏମଓମାନଙ୍କ ପରିଚାଳନାଗତ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର/ପ୍ରଭାକର ସାହୁ)- ଅବସର ଗ୍ରହଣ କରିଥିବା ଡାକ୍ତରମାନେ ଏଣିକି ୭୦ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ଚିକିତ୍ସାଳୟରେ ଠିକା ଭିତିିରେ କାର୍ଯ୍ୟ କରିପାରିବେ । ପୂର୍ବରୁ ଏହି ବୟସସୀମାକୁ ସରକାର ୬୮ବର୍ଷ ଧାର୍ଯ୍ୟ କରିଥିଲେ । ଗୁରୁବାର ସିଡିଏମଓ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେବା ସହିତ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ଅବସରପ୍ରାପ୍ତ ଡାକ୍ତର ରହିଛନ୍ତି ଆସନ୍ତା ଜୁଲାଇ ୧୫ ତାରିଖ ମଧ୍ୟରେ ତାହାର ତାଲିକା ପ୍ରସ୍ତୁତ ପାଇଁ ସିଡିଏମ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ମିଳନୀରେ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟସେବା ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଜିଲ୍ଲାୱାରୀ ସମୀକ୍ଷା କରିବା ସହିତ କେଉଁଠାରେ କି ପ୍ରକାର ଆବଶ୍ୟକତା ରହିଛି ତାହା ଉଲ୍ଲେଖ କରିବା ସହିତ ବିହିତ ପଦକ୍ଷେପ ନେବାକୁ ସିଡିଏମଓମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଅବସରପ୍ରାପ୍ତ ଡାକ୍ତରଙ୍କ ବୟସସୀମାକୁ ଦୁଇବର୍ଷ ବଢାଇବା ସହିତ ୭୦ବର୍ଷ ବୟସ ହୋଇନଥିବା ଅବସରପ୍ରାପ୍ତ ଡାକ୍ତରମାନଙ୍କ ତଥ୍ୟ ଟ୍ରେଜେରୀରୁ ସଂଗ୍ରହକରି ଆସନ୍ତା ଜୁଲାଇ ୧୫ ସୁଦ୍ଧା ସରକାରଙ୍କୁ ତାଲିକା ଦେବାପାଇଁ ସିଡିଏମଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ସଂକ୍ରାନ୍ତରେ ସିଡିଏମଓ ସମ୍ମିଳନୀରେ ସମୀକ୍ଷା କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ ମଞ୍ଜୁରୀପ୍ରାପ୍ତ ମୋଟ ୬୭୧୯ଟି ପଦବୀ ଥିବାବେଳେ ସେଥିରୁ ମାତ୍ର ୫୧୩ଟି ଖାଲି ପଡିଛି । ଡାକ୍ତରଙ୍କ ସଂଖ୍ୟା କମ ରହିଥିବାବେଳେ କେତେକ ସ୍ଥାନରେ ବିନା ଅନୁମତିରେ ଡାକ୍ତରମାନେ ଅନୁପସ୍ଥିତ ରହିଯାଉଛନ୍ତି । ଏଭଳି ଘଟଣାକୁ ଆଉ ବରାଦାସ୍ତ କରାଯିବନାହିଁ ଏବଂ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଚେତାବନୀ ଦେଇଛନ୍ତି । ସେହିଭଳି ରାଜ୍ୟ ସରକାର ନିଦାନ ଯୋଜନାରେ ରୋଗୀମାନଙ୍କୁ ବିଭିନ୍ନ ପରୀକ୍ଷା ନିରୀକ୍ଷା ବିନା ମୂଲ୍ୟରେ ଯୋଗାଉଛନ୍ତି । ହେଲେ କିଛି ରୋଗୀ ଡାକ୍ତରଙ୍କ ପରାମର୍ଶ ନମାନି ଘରୋଇ ସଂସ୍ଥାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଏହାକୁ ରୋକିବା ଲାଗି ବେସରକାରୀ ସଂସ୍ଥାର ରିପୋର୍ଟକୁ ସରକାରୀ ଡାକ୍ତରମାନେ ଗ୍ରହଣ ନକରିବାକୁ କୁହାଯାଇଛି । ସମସ୍ତ ପରୀକ୍ଷା ସରକାରୀ ଡାକ୍ତରଖାନାରେ ଉପଲବ୍ଧ ହେଉଥିବାରୁ ଡାକ୍ତରମାନେ ରୋଗୀଙ୍କୁ ଏଥିପାଇଁ ପ୍ରବର୍ତାଇବାକୁ କୁହାଯାଇଛି । ସେହିଭଳି ଡାକ୍ତରଖାନାରେ ରୋଗୀମାନଙ୍କର ହେଉଥିବା ବିଭିନ୍ନ ପରୀକ୍ଷାର ରିପୋର୍ଟକୁ ତୁରନ୍ତ ସମ୍ପୃକ୍ତ ରୋଗୀଙ୍କୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟରତ ଡାକ୍ତରମାନଙ୍କର ତାଲିକା ପ୍ରସ୍ତୁତ ସହିତ କେଉଁ ସମୟରେ କେଉଁ ଡାକ୍ତର ଚିକିତ୍ସାଳୟରେ ଉପସ୍ଥିତ ରହିବେ ସେ ସଂକ୍ରାନ୍ତୀୟ ‘ଡ୍ୟୁଟି ଚାର୍ଟ’ ସମ୍ପୃକ୍ତ ଡାକ୍ତରଙ୍କୁ ଦିଆଯିବା ସହିତ ଡାକ୍ତରଖାନାରେ ଲଗାଯିବାପାଇଁ ସ୍ଥିର ହୋଇଛି । ଜିଲ୍ଲା ସ୍ତରରେ ଡାକ୍ତରଖାନା ପରିଚାଳନା କ୍ଷେତ୍ରରେ ସିଡିଏମଓମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେମାନଙ୍କର ପରିଚାଳନାଗତ ଦକ୍ଷତା ବୃଦ୍ଧି ପାଇଁ ନିଷ୍ପତି ହୋଇଛି ।

ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁସଂଗଠିତ କରିବାପାଇଁ ଜିଲ୍ଲା ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ବିଭାଗର ନୋଡାଲ ଅଫିସରମାନେ ଏଣିକି ପ୍ରତିମାସରେ ଜିଲ୍ଲା ଗସ୍ତ କରିବେ । ସେଠାରେ ସ୍ୱାସ୍ଥ୍ୟସେବା ପାଇଁ କି ପ୍ରକାର ଆବଶ୍ୟକତା ରହିଛି ଓ କିଭଳି ତାହା ପୂରଣ ହେବ ସେ ସଂକ୍ରନ୍ତୀୟ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ । ସିଡିଏମଓମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଅର୍ଥ ପ୍ରଦାନ କରୁଥିବାବେଳେ ତାହାର ଉପଯୁକ୍ତ ବିନିଯୋଗ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । କୌଣସି ଡାକ୍ତରଖାନାରେ ଜରୁରୀ ଆବଶ୍ୟକତା ଦେଖାଦେଲେ କାଳବିଳମ୍ବ ନକରି ସିଡିଏମଓମାନେ ‘ଫ୍ଲେକ୍ସି ପୁଲ’ ରେ ଥିବା ଅର୍ଥରୁ ବ୍ୟୟ କରିବାପାଇଁ ପରାମର୍ଶ ଦିଆଯାଇଛି । ବର୍ତମାନ ଡାକ୍ତରଖାନା ଗୁଡିକୁ ଯୋଗାଇ ଦିଆଯାଇଥିବା ଯନ୍ତ୍ରପାତି ଆଦିର ଯେଭଳି ସଠିକ ବିନିଯୋଗ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ସିଡିଏମଓମାନଙ୍କୁ କୁହାଯାଇଛି । ଦାନ ମାଝି ଘଟଣାର ଆଉ ଯେଭଳି ପୁନରାବୃତିି ନହୁଏ ତାହା ଉପରେ ସିଡିଏମଓ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି । ଏଣିକି କୌଣସି ମୃତ ରୋଗୀଙ୍କୁ ଡାକ୍ତର ସାର୍ଟିଫିକେଟ ପ୍ରଦାନ ପୂର୍ବରୁ ମୃତକଙ୍କ ସମ୍ପର୍କୀୟ ଚାହିଁଲେ ସେମାନଙ୍କୁ ମହାପ୍ରୟାଣ ଗାଡି ଯୋଗାଇ ଦିଆଯିବ । ମହାପ୍ରୟାଣ ଗାଡି ଯୋଗାଣରେ ଯେଭଳି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ସିଡିଏମଓମାନେ ନିଜ ସ୍ତରରେ ହ୍ୱାଟସଆପ୍ ଗ୍ରୁପ ଗଠନ ପାଇଁ ପରାମର୍ଶ ଦିଆଯାଇଛି । ଏଥିରେ ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାରମାନଙ୍କୁ ଯୋଡିବାପାଇଁ କୁହାଯାଇଛି । ସିଡିଏମଓ ସମ୍ମିଳନୀର ଅନ୍ତିମ ଦିବସ ହୋଇଥିବାବେଳେ ଜିଲ୍ଲାସ୍ତରରେ ସବୁ ଲୋକଙ୍କୁ ଯେଭଳି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେଥିପାଇଁ ଜିଲ୍ଲା ଚିକିତ୍ସା ବ୍ୟବସ୍ଥାର ମୁଖ୍ୟ ସିଡିଏମଓମାନେ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଦାସ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

୧୮ ରୁ ୪୪ ବର୍ଷଙ୍କୁ ଟୀକାକରଣରେ ବିଳମ୍ବ -ପାରାଦୀପର ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କଟକ, ଭୁବନେଶ୍ୱର ମହାନଗର ନିଗମର ୧୮ ରୁ ୪୪ ବର୍ଷ ଯୁବ ବର୍ଗଙ୍କୁ ଟୀକାକରଣର ସଫଳତା ପରେ ରାଜ୍ୟ …

Leave a Reply

Your email address will not be published. Required fields are marked *